ଯୋଦ୍ଧାଙ୍କ ପାଇଁ ଆସିଗଲା ଏସିଯୁକ୍ତ ପିପିଇ କିଟ୍ । ଘଣ୍ଟା ଘଣ୍ଟା କାମ କରି ଆଉ ବେହୋସ୍ ହେବେନି କରୋନା ଯୋଦ୍ଧା । ଯୋଦ୍ଧାଙ୍କୁ ୫ରୁ୬ ଘଣ୍ଟା ଥଣ୍ଡା ଥଣ୍ଡା କୁଲ କୁଲ୍ ରଖିବ ସ୍ୱତନ୍ତ୍ର କିଟ୍ । 

368

କନକ ବ୍ୟୁରୋ : ଯୋଦ୍ଧାଙ୍କ ପାଇଁ ଏସିଯୁକ୍ତ ପିପିଇ କିଟ୍ । ଝାଳରେ ଜୁଡ଼ୁବୁଡ଼ୁ ହେବେନି କି ଘଣ୍ଟା ଘଣ୍ଟା ପିପିଇ କିଟ୍ ପିନ୍ଧିବା ଦ୍ୱାରା ବେହୋସ ହେବେନି କରୋନା ଯୋଦ୍ଧା ।  ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଯୋଦ୍ଧାଙ୍କୁ ସମସ୍ୟାରୁ ମୁକ୍ତି ଦେବାପାଇଁ ମଧ୍ୟପ୍ରଦେଶ ଜବଲପୁରର ଜଣେ ଯୁବକ ତିଆରି କଲେ ଏୟାରକଣ୍ଡିସନ୍ ପିପିଇ କିଟ୍ । ଏହି ପିପିଇ କିଟ୍ ପିନ୍ଧି କରୋନା ୱାରିଅର୍ ଶାନ୍ତିରେ କାମ କରିପାରିବେ ।

ସଂକ୍ରମଣ ସମୟରେ ନିଜ କଥା ଚିନ୍ତା ନକରି କରୋନା ରୋଗୀଙ୍କ ମେଳରେ ରହି ଦିନରାତି ସେବା ଯୋଗାଉଛନ୍ତି କରୋନା ଯୋଦ୍ଧା । ହେଲେ ଘଣ୍ଟା ଘଣ୍ଟା ଧରି ଏହି ପୋଷାକକୁ ପନ୍ଧି କାମ କରିବା କେତେ ଯେ କଷ୍ଟସାଧ୍ୟ, ଯିଏ ପିନ୍ଧୁଛି ସିଏ ଜାଣିଛି । ତେବେ କରୋନା ଯୋଦ୍ଧାଙ୍କ କଷ୍ଟକୁ ମର୍ମେ ମର୍ମେ ଅନୁଭବ କରି ଏୟାରକଣ୍ଡିସନ୍ ଯୁକ୍ତ ପିପିଇ କିଟ୍ ତିଆରି କରିଛନ୍ତି ମୋହମ୍ମଦ ମନସୁରୀ । ସେ ଇଲେକ୍ଟ୍ରେନିକ୍ସ ଇଞ୍ଜିନିୟରିଂରେ ବିଟେକ୍ କରୁଛନ୍ତି । ତେବେ ନୂଆ ପିପିଇ କିଟକ ଭେଣ୍ଟିଲେଟେଜ୍ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟର ନାମ ଦେଇଛନ୍ତି ମନସୁରୀ ।

ଏହି ପିପିଇ କିଟ୍ ପିନ୍ଧିବା ଦ୍ୱାରା ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ସହଜରେ କାମ କରିପାରିବେ ଯୋଦ୍ଧା । ସ୍ୱତନ୍ତ୍ର ପିପିଇ କିଟର ଓଜନ ୮୦୦ ଗ୍ରାମ ହୋଇଥିବା ବେଳେ ଏହାକୁ ତିଆରି କରିବାରେ ୩୫୦୦ ଟଙ୍କା ଖର୍ଚ୍ଚ ହୋଇଛି । ଯୋଦ୍ଧାଙ୍କ ପାଇଁ ଏରୋଡାଇନେମିକ୍ସ ଟେକନିକ୍ ଦ୍ୱାରା କିଟକୁ ପ୍ରସ୍ତୁତ କରାଯାଇଛି ।  ରକେଟ୍ ତିଆରି ବେଳେ ଇଞ୍ଜିନକୁ ଥଣ୍ଡା ରଖିବା ପାଇଁ ଏହି କୌଶଳ ବ୍ୟବହୃତ ହୁଏ । ସ୍ୱତନ୍ତ୍ର କିଟର ଓଜନ କମ ଥିବା ଦ୍ୱାରା ଥରେ ଏହି କିଟକୁ ଚାର୍ଜ କରିବା ଦ୍ୱାରା ୬ ଘଣ୍ଟା ପର୍ଯ୍ୟନ୍ତ ପିନ୍ଧି ସ୍ୱଚ୍ଛନ୍ଦରେ ବିଚରଣ କରିପାରିବେ କରୋନା ଯୋଦ୍ଧା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଏହି ପିପିଇ କିଟକୁ ଆଗ୍ରହ ମଧ୍ୟ ଦେଖାଇଛନ୍ତି ।