ବିଜୁଳି ଯୋଗାଇବ ହୀରାକୁଦ କେନାଲ ପାଣି : ବରଗଡ କେନାଲ ପାଣିରୁ ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ, ତିଆରି ଚାଲିଛି ପ୍ରକଳ୍ପ

419

କନକ ବ୍ୟୁରୋ : ପୃଥିବୀ ବିଖ୍ୟାତ ହୀରାକୁଦ ନଦୀବନ୍ଧ ଯୋଜନାର ଦୁଇଟି କେନାଲ ଶାସନ କେନାଲ ଓ ବରଗଡ କେନାଲ । ଏବେ ସେହି ବରଗଡ କେନାଲରେ ବିଦ୍ୟୁତ ଉତ୍ପାଦନ କରାଯିବ । ରାଜ୍ୟ ସରକାର ଏକ ଘରୋଇ କେନାଲ କମ୍ପାନୀ ସହ ଚୁକ୍ତି କରିଥିବା ବେଳେ କାମ ଜାରି ରହିଛି । ଏହି କେନାଲରୁ ବିଦ୍ୟୁତ ଉତ୍ପାଦନ ହେଲେ ଆଗକୁ ବରଗଡ ଜିଲ୍ଲାରେ ଲୋ-ଭୋଲଟେଜ ସମସ୍ୟା ଦୂରେଇ ଯିବ ।

ବରଗଡ଼ କେନାଲ ପାଣିରୁ ହେବ ବିଦ୍ୟୁତ ଉତ୍ପାଦନ ।  ଚାଷ ପାଇଁ ବ୍ୟବହୃତ କେନାଲ ବିଦ୍ୟୁତ ଯୋଗାଇବ । ହୀରାକୁଦ ନଦୀବନ୍ଧର ବରଗଡ କେନାଲରେ ବିଦ୍ୟୁତ ଉତ୍ପାଦନ କରିବେ ରାଜ୍ୟସରକାର । ନୂତନ ଜ୍ଞାନକୌଶଳ ବ୍ୟବହାର କରି କେନାଲ ଉପର ମୁଣ୍ଡରେ ନିର୍ମାଣ ହେବ ଏହି ବିଦ୍ୟୁତ୍ ପ୍ରକଳ୍ପ । ୨ଟି ଟରବାଇନ ସାହାଯ୍ୟରେ ୪ଟି ଗେଟରେ ଚାଷ ପାଇଁ ଉଦ୍ଦିଷ୍ଟ ପାଣିକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଇ ୯ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ୮ଟି ଗେଟ ବିଶିଷ୍ଟ ବରଗଡ କେନାଲର ୪ଟି ଗେଟର ପାଣିରୁ ବିଦ୍ୟୁତ ଉତ୍ପାଦନ କରିବା ପରେ ଚାଷ ଉଦ୍ଦେଶ୍ୟରେ ଛଡା ଯିବ । ତେଣୁ ଚାଷ ପାଇଁ ବି ସମସ୍ୟା ହେବ ନାହିଁ ।  ଆଗରୁ କେନାଲ ପାଣି କେବଳ ଚାଷ କାମରେ ଲାଗୁଥିବା ବେଳେ ଆଗକୁ ଏହା ଉଭୟ କାମରେ ଲାଗିବ ।

ବରଗଡ କେନାଲରେ ଓଡିଶାର ଦ୍ୱିତୀୟ ପ୍ରକଳ୍ପ ହେବାକୁ ଯାଉଥିବା ବେଳେ ଆଗକୁ ଏହା ସଫଳ ହେଲେ ଏହିଭଳି ଅନେକ ପ୍ରକଳ୍ପ ଗଢିଉଠିବ । ବରଗଡ ଜିଲ୍ଲାର ଅନେକ ଗାଁକୁ ଏବେ ବି ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଲୋ-ଭୋଲଟେଜ ସମସ୍ୟା ମଧ୍ୟ ଲାଗି ରହିଛି । ତେବେ ବରଗଡ କେନାଲ ପାଣିରୁ ବିଦ୍ୟୁତ ଉତ୍ପାଦନ ହେଲେ ବିଜୁଳି ସଂକଟ ଦୂର ହେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ବରଗଡ କେନାଲରେ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶାର ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇପାରିବ ।