ବୌଦ୍ଧରେ ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଦାଉ ସାଜୁଛି ଅଘୋଷିତ ବିଦ୍ୟୁତ୍ କାଟ ! ଡାକ୍ତରଖାନା ବେଡ଼ରେ ଛଟପଟ ରୋଗୀ, ଡିବି ଆଲୁଅରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

29

କନକ ବ୍ୟୁରୋ : ସରକାରଙ୍କ କଡା ନିର୍ଦ୍ଦେଶ ବିଦ୍ୟୁତ୍ କାଟ ହେଲେ ଗ୍ରାହକଙ୍କୁ ଦେବାକୁ ପଡିବ ଶୁଳ୍କ । ହେଲେ ବୌଦ୍ଧ ଜିଲ୍ଲାରେ ଏହାର ଖୋଲାଖୋଲି ଉଲଂଙ୍ଘନ କରାଯାଇଛି । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଦାଉ ସାଜିଛି ଅଘୋଷିତ ବିଦ୍ୟୁତ୍ କାଟ । ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ଡାକ୍ତରଖାନାରେ ହନ୍ତସନ୍ତ ହେଉଛନ୍ତି ରୋଗୀ, ଡିବି ଆଲୁଅରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ବୌଦ୍ଧ ଜିଲ୍ଲାର ପାରଦ ୪୩ ଡିଗ୍ରୀ ଉପରେ ପ୍ରବାହିତ ହେଉଥିବା ବେଳେ ଲୁଚକାଳି ଖେଳୁଛି ବିଜୁଳି । ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ହେଉଛି । ବିଜୁଳି ଚାଲି ଯିବା ପରେ ଅଚଳ ହୋଇଯାଇଛି ପଂଖା, ଅପରେସନ ଥିଏଟରରୁ ବାହାରି ବେଡରେ ପଡିଥିବା ରୋଗୀଙ୍କୁ, ଗାମୁଛାରେ ବିଂଚୁଛନ୍ତି ସଂପର୍କୀୟ । ଜେନେରାଲ ୱାର୍ଡର ଅବସ୍ଥା ସହ ପ୍ରସୂତି ବିଭାଗ ୱାର୍ଡର ଅବସ୍ଥା ମଧ୍ୟ ସମାନ । ନବଜାତକ ଓ ପ୍ରସୂତିଙ୍କୁ ବିଂଚଣାରେ ବିଂଚୁଛନ୍ତି ସଂପର୍କୀୟ । ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ୍ କାଟ ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ଥିବା ସତ୍ୱେ ବୌଦ୍ଧ ଡାକ୍ତରଖାନାରେ ବାରମ୍ବାର ପାୱାରକାଟ୍ ହେଉଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

କେବଳ ଡାକ୍ତରଖାନାର ସ୍ଥିତି ନୁହେଁ ଗାଁର ସ୍ଥିବି କିଛି କମ୍ ସାଂଘାତିକ ନୁହେଁ । ବିଦ୍ୟୁତ୍ କାଟ ଫଳରେ ଡହଳ ବିକଳ ହେଉଛନ୍ତି ଜିଲ୍ଲାବାସୀ । ବିଜୁଳି ଚାଲିଯିବା ପରେ ଛାତ୍ରଛାତ୍ରୀ ଡିବିରି ଆଲୁଅରେ ପଡିଥିବା ବେଳେ ବିଂଚଣା ଓ ଗାମୁଛାରେ ବିଂଚି ହୋଇ ଗୁଳୁଗୁଳିରୁ ତ୍ରାହି ପାଇଁ ଚେଷ୍ଟା କରୁଥାନ୍ତି ବୟସ୍କ ବ୍ୟକ୍ତି । ସବୁଠାରୁ ବଡ କଥା ହେଉଛି, ଦିନେ କି ଦୁଇ ଦିନ ନୁହେଁ ବର୍ଷା ବର୍ଷ ଧରି ବୌଦ୍ଧରେ ଏ ସମସ୍ୟା ଲାଗି ରହିଛି । ଅନ୍ୟପଟେ ଲୋକଙ୍କ ଏଭିଯୋଗର ଉତ୍ତର ରଖିଛନ୍ତି ସାଉଥ୍-କୋର ନିର୍ବାହୀ ଯନ୍ତ୍ରୀ । ଆଗକୁ ଆହୁରୀ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇ ଥିବାବେଳେ ଜିଲ୍ଲାରେ ଯେଭଳି ବିଦ୍ୟୁତ୍ କାଟ ଆଗକୁ ନହୁଏ ସେଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ।