ପିଆଜ ଅଲୋଡ଼ା ହେବା ପରେ ଆଳୁରେ ଦରରେ ଲାଗିଲା ନିଆଁ ! ଖୁଚୁରା ଦର କିଲୋ ପିଛା ୨୦ ଟଙ୍କା, ଭାଙ୍ଗୁନି ପ୍ରଶାସନର ନିଦ

65

କନକ ବ୍ୟୁରୋ : ପିଆଜ ୫ ଟଙ୍କାକୁ ଆଳୁ ୨୦ । ଗୋଟିଏ ପଟେ ଅଭାବୀ ବିକ୍ରିର ଶୀକାର ହେଉଛି ପିଆଜ ଚାଷୀ , ଅନ୍ୟପଟେ ହୁ ହୁ ହୋଇ ବଢିଚାଲିଛି ଆଳୁ ଦର । ଅଧିକ ଅମଳ ହୋଇଛି ହେଲେ ଶୀତଳଭଣ୍ଡାର ଅଭାବରୁ ବାଧ୍ୟ ହୋଇ କମ୍ ଦରରେ ପିଆଜ ବିକ୍ରି କରୁଛି ଚାଷୀ । ଅନ୍ୟପଟେ ଆଳୁ ଦର ଅତିଶୀଘ୍ର ୨୩ ଟପିବା ନେଇ ଆଶଙ୍କା କରିଛି ବ୍ୟବସାୟୀ ସଂଘ । ଏଭଳି ସ୍ଥିତିରେ ରାଜ୍ୟରେ ପିଆଜ ମିଶନ ଓ ଆଳୁ ମିଶନର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି ।

ରାତି ପାହିଲେ ବଦଳୁଛି ଆଳୁର ଦର । ସପ୍ତାହକ ମଧ୍ୟରେ ୧୪ରୁ ପହଁଚିଲାଣି ୧୮ ଟଙ୍କାରେ । ଆଉ ଖୁଚୁରା ବଜାରରେ ଆଳୁ କିଲୋକୁ ୨୦ । ଦର ଉପରେ ଆଉ ଲଗାମ ନାହିଁ । ବଜାରରେ ଦୋକାନୀ ଯେତେ କହୁଛନ୍ତି, ସେତିକିରେ କିଣିବାକୁ ବାଧ୍ୟ ।

ରାଜ୍ୟ ପାଇଁ ବର୍ଷକୁ ୯ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ ପଡୁଥିବା ବେଳେ ବାର୍ଷିକ ୩ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଛି । ଆଳୁ ପାଇଁ ଓଡିଶା ମୁଖ୍ୟତଃ ଉତ୍ତରପ୍ରଦେଶ ଓ ପଶ୍ଚିମ ବଙ୍ଗ ଉପରେ ନିର୍ଭର କରେ । ତେବେ ଏଥର ଏହି ଦୁଇ ରାଜ୍ୟରେ ଆଳୁ ଉତ୍ପାଦନ କମିଥିବାରୁ ସମସ୍ୟା ଦେଖାଦେଇଛି । ଏଭଳି ସ୍ଥିତିରେ ଆଗକୁ ଦର ଆହୁରି ବଢିବ ବୋଲି ଚେତାଇଦେଇଛି ବ୍ୟବସାୟୀ ମହାସଂଘ । ଏପଟେ ଆଳୁ ଦର ବୃଦ୍ଧି ନେଇ ସମୀକ୍ଷା କରିବା ସହ ବେପାରୀ ଚଢା ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସରକାର, ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀ ଅନ୍ତର୍ଭୁକ୍ତ କରିଛନ୍ତି । ଅଭାବ ପୁରଣ ସହ ଦର ନିୟନ୍ତ୍ରଣ ପାଇଁ ରାଜ୍ୟରେ ଗଠନ ହୋଇଛି ଆଳୁ ଓ ପିଆଜ ମିଶନ । ତେବେ ବିରୋଧୀ କହିଛନ୍ତି, ମିଶନ ଆଗରୁ କମିଶନ କଥା ଚିନ୍ତା କରୁଛନ୍ତି ସରକାର । ତେଣୁ ଏଭଳି ସମସ୍ୟା ଉପୁଜିଛି । ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିବା ଆଳୁ ଦର ଖାଉଟିଙ୍କ ଚିନ୍ତା ବଢାଇଦେଇଛି । ବର୍ଦ୍ଧିତ ଦରରେ ଅତିଶୀଘ୍ର ଲଗାମ ନଲାଗିଲେ ଆଗକୁ ପରିସ୍ଥିତି ସାଂଘାତିକ ହୋଇପାରେ ।