କନକ ବ୍ୟୁରୋ : ଚଳିତ ନିର୍ବାଚନରେ କିଏ କେଉଁଠୁ କେତେ ଭୋଟ୍ ପାଇଛି, କେତେ ହରାଇଛି ତାକୁ ନେଇ ଚାଲିଛି କସରତ । ନିର୍ବାଚନ କାମରେ ବ୍ୟସ୍ତ ରହି ମତଦାନରେ ଭାଗ ନେଇ ପାରିନଥିବା ତଥା ଘରଠୁ ଦୂରରେ ଥିବା ସରକାରୀ କର୍ମଚାରୀମାନେ ପୋଷ୍ଟାଲ (ଡାକ) ମାଧ୍ୟମରେ ହିଁ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥାନ୍ତି । ତେବେ ପୁରୀ ଜିଲ୍ଲାରେ ଏଥର ବିଜେପିକୁ ସର୍ବାଧିକ ପୋଷ୍ଟାଲ୍ ଭୋଟ୍ ମିଳିଛି । ତା’ ପଛକୁ ରହିଛି ବିଜେଡି ଓ କଂଗ୍ରେସ ।
ପୁରୀ ଲୋକସଭା କ୍ଷେତ୍ରରେ ମୋଟ ୨୮୧୦ ପୋଷ୍ଟାଲ୍ ଭୋଟ୍ ଆସିଥିଲା । ସେଥିରୁ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସର୍ବାଧିକ ୨୧୦୩ ଭୋଟ୍ ପାଇଥିବା ବେଳେ ବିଜେଡିର ବିଜୟୀ ପ୍ରାର୍ଥୀ ପିନାକୀ ମିଶ୍ର ୫୩୯ ଏବଂ କଂଗ୍ରେସର ସତ୍ୟପ୍ରକାଶ ନାୟକଙ୍କୁ ମିଳିଛି ମାତ୍ର ୧୩୫ ଭୋଟ୍ । ସେହିଭଳି ପୁରୀ ଜିଲ୍ଲାର ୬ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେପିକୁ ସର୍ବାଧିକ ପୋଷ୍ଟାଲ୍ ଭୋଟ୍ ମିଳିଛି । ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୨୯୮ ପୋଷ୍ଟାଲ ଭୋଟ୍ ପଡ଼ିଥିଲା । ସେଥିରୁ ବିଜେପି ଖାତାକୁ ସର୍ବାଧିକ ୧୨୯୯ ଭୋଟ୍ ଯାଇଥିବା ବେଳେ ବିଜେଡିକୁ ୮୦୮ ଓ କଂଗ୍ରେସକୁ ୧୬୧ ଭୋଟ୍ ଯାଇଛି ।