ସୁନ୍ଦରୀର ମଣିଷ ଶିକାର ନେଇ ଆସିଲା ତଥ୍ୟ : ହାତିବାରୀରେ ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ, ମୃତଦେହରେ ରହିଛି ଜଙ୍ଗଲୀ ବନ୍ୟଜନ୍ତୁ ଆକ୍ରମଣର ଚିହ୍ନ

41

କନକ ବ୍ୟୁରୋ : ସାତକୋଶିଆରେ ମହିଳାଙ୍କୁ ଶିକାର ନେଇ, ସୁନ୍ଦରୀ ଉପରେ ଯେଉଁ ସନ୍ଦେହ ଥିଲା ତାହା ସ୍ପଷ୍ଟ ହେବାରେ ଲାଗିଛି । ହାତୀବାରିରେ ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏହି ଦିଗକୁ ଇସାରା କରିଛି । ରିପୋର୍ଟରେ କୁହାଯାଇଛି- କାର୍ଣ୍ଣିଭୋରସ ଆନିମାଲ ବା ମାଂସାଶୀ ବନ୍ୟପ୍ରାଣୀ ଆକ୍ରମଣ ଫଳରେ ମହିଳାଙ୍କ ଦେହରେ ଗଭୀର କ୍ଷତ ହୋଇଛି । ତଂଟିକୁ ଚାପି ଧରିବା ଫଳରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ତେଣୁ ଗାଁ ଲୋକଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଥିବା ବନ ବିଭାଗ, ଏବେ କି ପଦକ୍ଷେପ ନେଉଛି ତା ଉପରେ ନଜର ରହିଛି ।

sundari tigress

ଅନୁଗୁଳ ଜିଲ୍ଲା ହାତୀବାରିରେ ଗତ ୧୩ ତାରିଖରେ ମୃତ ମହିଳା କୈଳାସ ସାଏଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କନକ ନ୍ୟୁଜର ହସ୍ତଗତ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି- ତଂଟିକୁ ଖୁବ ଜୋରରେ ଚାପି ଧରିବା ଫଳରେ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ଦେହରେ ୮ଟି କ୍ଷତଚିହ୍ନ ଅଛି । ପ୍ରଥମ କ୍ଷତଟି କାର୍ଣ୍ଣିଭୋରସ ଆନିମଲ ବା ମାଂସାଶୀ ବନ୍ୟପ୍ରାଣୀ ଆକ୍ରମଣ ଫଳରେ ହୋଇଛି । ସେହିପରି ୨ରୁ ୭ ନମ୍ବର ପର୍ଯ୍ୟନ୍ତ କ୍ଷତ କୌଣସି ଶକ୍ତ ମୁନିଆ ଜିନିଷରେ ଆକ୍ରମଣ ଫଳରେ ହୋଇଛି । ସେହିପରି ୮ ନମ୍ବର କ୍ଷତଟି ମଧ୍ୟ ଏକାଧିକ ଶକ୍ତ ଦନ୍ଥରା ଜିନିଷରେ ଆକ୍ରମଣ ଯୋଗୁଁ ହୋଇଛି ।

ପୋଷ୍ଟମର୍ଟମ ରିପୋର୍ଟ ସିଧାସିଧା ଇସାରା କରୁଛି ମହିଳାଙ୍କ ବେକକୁ ମୁନିଆ ଦାନ୍ତରେ ଜାବୁଡି ଧରିଥିଲା ବାଘୁଣୀ ସୁନ୍ଦରୀ ଏବଂ ଶରୀରରେ ତାର ମୁନିଆ ନଖରେ ଏକାଧିକ କ୍ଷତ କରିଥିଲା । ୨୪ରୁ ୩୬ ଘଂଟା ମଧ୍ୟରେ ହାତୀବାରି ଗାଁର ମହିଳା କୈଳାସ ସାଏଙ୍କ ମୃତ୍ୟୁ ହୋଇଥିଲା । ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ସାତକୋଶିଆ ଅଣାଯାଇଥିବା ବାଘୁଣୀ ହିଁ ମହିଳାଙ୍କୁ ମାରିଥିବା ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ଗାଁ ଲୋକଙ୍କ ଅଭିଯୋଗକୁ ବାଏଁବାଏଁ ଉଡାଇ ଦେଇଥିଲେ ବନ କର୍ମଚାରୀ ଓ ବିଭାଗୀୟ ମନ୍ତ୍ରୀ । ହେଲେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବାରେ ଲାଗିଛି ଯେ, ଜଙ୍ଗଲି ଯନ୍ତୁ ଜନବସତିରେ ପଶିଛି ଓ ହିଂସ୍ର ଆଚରଣ କରୁଛି । ଏବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ହିଁ ସବୁଠାରୁ ବଡ ପ୍ରଶ୍ନବାଚୀ ହୋଇଛି ।


ସେପଟେ ଡେରାଡୁନ୍ ଓ ଜବଲପୁରରୁ ଆସିଥିବା ଦୁଇଟି ଟିମ୍ ଏପର୍ଯ୍ୟନ୍ତ ବାଘୁଣୀଟିକୁ ଠାବ କରିବାରେ ବିଫଳ ହୋଇଛନ୍ତି । ଅନୁମାନ କରାଯାଉଛି ସୁନ୍ଦରୀକୁ ଟ୍ରାକ୍ କରିବା ଲାଗି ବେକରେ ଲାଗୁଥିବା ରେଡିଓ କଲାରରୁ ସିଗନାଲ ମିଳିବା ସମ୍ଭବ ହେଉନାହିଁ । ଜିପିଏସ ଟ୍ରାକିଂ ଫେଲ ମାରିଥିବାରୁ ସୁନ୍ଦରୀ ଏବେ ବନ ବିଭାଗ ଆଢୁଆଳକୁ ଚାଲିଯାଇଛି । ଆଉ ପୁରୁଣା କୋର୍ଟ ରେଞ୍ଜ ଅଂଚଳରୁ ପ୍ରାୟ ଶହେ କିଲୋମିଟର ଦୂରକୁ ଚାଲିଯାଇଥିବା ସନ୍ଦେହ ପ୍ରକାଶ ପାଉଛି । ତେଣୁ ଏବେ ତାକୁ ଠାବ କରିବା ଓ ଟ୍ରାଙ୍କୁଲାଇଜ କରିବା ବଡ ଚ୍ୟାଲେଞ୍ଜ ହୋଇଛି । ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଭାରତୀୟ ବନ୍ୟପ୍ରାଣୀ ବିଭାଗ ସୁନ୍ଦରୀକୁ ନେଇ କି ପଦକ୍ଷେପ ନେଉଛି ଦେଖିବାର କଥା ।