ବିଦ୍ୟୁତ ଯୋଗାଣକାରୀ କଂପାନିଙ୍କ ଉପରେ ଅସନ୍ତୁଷ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର ! ଖୁବ ଶୀଘ୍ର ଉପଲବ୍ଧ ହେବ ବିଦ୍ୟୁତ ପାଇଁ ପୋର୍ଟାବିଲିଟି ସୁବିଧା

39

କନକ ବ୍ୟୁରୋ : ବିଦ୍ୟୁତ ଯୋଗାଣକାରୀ କଂପାନିଙ୍କ ଉପରେ ଅସନ୍ତୁଷ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର । ସରକାର ଆଗକୁ ଏଭଳି ଏକ ନିୟମ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ମାଧ୍ୟମରେ ଗ୍ରାହକମାନେ ନିଜର ବିଦ୍ୟୁତ ସଂଯୋଗକୁ ବଦଳାଇପାରିବେ । ଗୋଟିଏ ସ୍ଥାନରେ ଯଦି ଏକାଧିକ କଂପାନି ବିଦ୍ୟୁତ ଯୋଗାଣ କରୁଥାନ୍ତି, ତେବେ ଅସନ୍ତୁଷ୍ଟ ଗ୍ରାହକ ନିଜ କଂପାନି ଛାଡ଼ି ଅନ୍ୟ ଉପଲବ୍ଧ କଂପାନିର ବିଦ୍ୟୁତ ସଂଯୋଗ ନେଇପାରିବେ । ମୋବାଇଲ୍‌ ନମ୍ବର ପାଇଁ ଯେଭଳି ପୋର୍ଟାବିଲିଟି ବ୍ୟବସ୍ଥା ଲାଗୁ କରାଯାଇଛି, ବିଦ୍ୟୁତ ସଂଯୋଗ ପାଇଁ ସେଭଳି ବ୍ୟବସ୍ଥା ଲାଗୁ ହେବ ।

ଏ ସମ୍ପର୍କିତ ବିଲ୍‌ ଶୀତକାଳୀନ ଅଧିବେଶନରେ ଆଣିବାକୁ ସରକାର ଯୋଜନା ରଖିଛନ୍ତି । ଅବଶ୍ୟ ରାଜ୍ୟଗୁଡ଼ିକ ଏଭଳି ପଦକ୍ଷେପକୁ ସମର୍ଥନ କରୁନାହାନ୍ତି । ରାଷ୍ଟ୍ରାୟତ୍ତ ବିଦ୍ୟୁତ ଯୋଗାଣକାରୀ କଂପାନିଗୁଡ଼ିକ ସେମାନଙ୍କ ସ୍ୱେଚ୍ଛାଚାରିତା ହରାଇବାକୁ ଚାହୁନାହାନ୍ତି । ବିଦ୍ୟୁତ ପୋର୍ଟାବିଲିଟି ଲାଗୁ କରିବା ପୂର୍ବରୁ ଗୋଟିଏ ସ୍ଥାନରେ ଏକାଧିକ ବିଦ୍ୟୁତ ଯୋଗାଣକାରୀ କଂପାନି କାମ କରନ୍ତୁ ବୋଲି ସରକାର ଚାହୁଁଛନ୍ତି । ଏହା ଦ୍ୱାରା ଏହି କ୍ଷେତ୍ରକୁ ଅଧିକ ପୁଞ୍ଜିନିବେଶ ଆସିପାରିବ । ଗ୍ରାହକ ଆକୃଷ୍ଟ କରିବା ପାଇଁ କଂପାନିଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ସୃଷ୍ଟି ହେବ ।

ଫଳରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ବିଦ୍ୟୁତ ସେବା ପାଇପାରିବେ । ରାଜ୍ୟଗୁଡ଼ିକର ଚିନ୍ତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିୟମ ଲାଗୁ କରିବାର କୌଣସି ସମୟ ସୀମା ଧାର୍ଯ୍ୟ କରାଯିବ ନାହିଁ । ଫଳରେ ରାଜ୍ୟଗୁଡ଼ିକ ନିଜକୁ ପ୍ରଥମେ ଭଲ ଭାବେ ପ୍ରସ୍ତୁତ କରିବା ପରେ ନିୟମକୁ କାର୍ଯ୍ୟକାରୀ କରିବେ । ତେବେ ତିନିରୁ ପାଞ୍ଚ ବର୍ଷ ଭିତରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କହିପାରନ୍ତି ।

କେନ୍ଦ୍ର ସରକାର ବିଦ୍ୟୁତ ନିୟମ ୨୦୦୩ରେ ସଂଶୋଧନ ଆଣିବା ଉପରେ କାମ କରୁଛନ୍ତି । ବିଦ୍ୟୁତ ଯୋଗାଣ ଏବଂ ରକ୍ଷଣାବେକ୍ଷଣ ସେବାକୁ ଅଲଗା କରିବା ଏବଂ ଗୋଟିଏ ଅଞ୍ଚଳ ପାଇଁ ଏକାଧିକ ବିଦ୍ୟୁତ ଯୋଗାଣ ଲାଇସେନ୍ସ ପ୍ରଦାନ କରିବା ପାଇଁ ସରକାର ଚାହୁଁଛନ୍ତି । ବର୍ତ୍ତମାନ ବିଦ୍ୟୁତ ଯୋଗାଣକାରୀ କଂପାନିଗୁଡ଼ିକ ଯେଉଁ ଅଞ୍ଚଳ ପାଇଁ ଲାଇସେନ୍ସ ହାସଲ କରିଛନ୍ତି ସେହି ଅଞ୍ଚଳର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉଭୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।