କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଲଗାତାର ଦ୍ୱିତୀୟ ଥର ପ୍ରଚଣ୍ଡ ବହୁମତରେ ବିଜୟ ଟୀକା ପିନ୍ଧିବା ପରେ ନରେନ୍ଦ୍ର ମୋଦି ଗତକାଲି ସ୍ୱାଧୀନତା ଦିବସ ଅବସରରେ ସାର ଦେଶକୁ ସମ୍ବୋଧିତ କରିଛନ୍ତି । ପାଖାପାଖି ଦେଢ଼ ଘଣ୍ଟାର ଭାଷଣରେ ମୋଦି, କେନ୍ଦ୍ର ସରକାରଙ୍କ ଭିଜନକୁ ଦେଶବାସୀଙ୍କ ସାମ୍ନାରେ ରଖିବା ସହ ୩୭୦ ଉଚ୍ଛଦ ଉପରେ ଚର୍ଚ୍ଚା କରିଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର କେଉଁ ଦିଗ ଉପରେ କାମ କରୁଛନ୍ତି ତାହାର ମଧ୍ୟ ସଙ୍କେତ ଦେଇଛନ୍ତି । ବର୍ତ୍ତମାନ ସମୟରେ ଦେଶର ବଢ଼ୁଥିବା ଜନସଂଖ୍ୟା ତଥା ଜଳସଙ୍କଟକୁ ନେଇ ଚିନ୍ତାରେ ମୋଦି ସରକାର ।

Advertisment

ସାରା ଦେଶରେ ପ୍ରକୃତିର ତାଣ୍ଡବ । ପ୍ରକୃତିର ଭିନ୍ନ ରୂପରୁ ଏକଥା ସ୍ପଷ୍ଟ ବାରୀ ହେଉଛି । ଶ୍ରାବଣ ମାସରେ ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳି । ଚାଷ ସମୟରେ ବର୍ଷାକୁ ଅନେଇ ବସିଛନ୍ତି ଚାଷୀକୂଳ । ଗୋଟିଏ ପଟେ ଅଧା ଭାରତ ଉତ୍କଟ ଜଳସଙ୍କଟ ଦେଇ ଗତି କରୁଥିବା ବେଳେ ଅଧା ଭାରତ ବନ୍ୟାରେ ଜଡ଼ସଡ଼ । ସ୍ୱାଧୀନତା ଦିବସ ଅବସରରେ ମୋଦି କହିଛନ୍ତି, ଆଗାମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବାକୁ ହେଲେ ଜଳ ସଂରକ୍ଷଣ, ବର୍ଷା ଜଳ ବ୍ୟବହାର ପାଇଁ ଜନସଚେତନତା ଜରୁରୀ । ଏପରି କରିବା ଦ୍ୱାରା ଭବିଷ୍ୟତ ସୁରକ୍ଷିତ ହୋଇପାରିବ ।

ବିଗତ ଦିନରେ ଦେଶର ଅନେକ ସହରରେ ଜଳାଭାବ ଦେଖାଦେଇଛି । ଚେନ୍ନାଇରେ ଜଳସଙ୍କଟ ପୁରା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପାଣି ପାଇଁ ଡହଳବିକଳ ହେଉଥିଲେ ଲୋକେ । ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ଅନ୍ୟ ସ୍ଥାନରୁ ଟ୍ରେନ ଯୋଗେ ପାଣି ଆଣିବା ପାଇଁ ବାଧ୍ୟ ହୋଇଥିଲେ ରାଜ୍ୟ ସରକାର । ଏସବୁ ଦିଗକୁ ଦୃଷ୍ଟିରେ ରଖି ଉତ୍କଟ ଜଳାଭାବ ଓ ଜନସଂଖ୍ୟା ରୋକିବା ଦିଗରେ ଆଗକୁ ବଡ଼ ନିଷ୍ପତି ନେଇପାରନ୍ତି ମୋଦି ସରକାର ।

ଜଳ ସଙ୍କଟ ଦୂର କରିବା ଉପରେ ମୋଦିଙ୍କ ଫୋକସ୍ । ଜଳଶକ୍ତି ମନ୍ତ୍ରାଳୟ ବନାଇବା ସହ ଜଳ ଜୀବନ ମିଶରନ ମଧ୍ୟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଯୋଜନା ପାଇଁ ସାଢ଼େ ତିନି ଲକ୍ଷ କୋଟି ଟଙ୍କାପ୍ରଦାନ କରିଛନ୍ତି । ପାଣି ବଂଚାଇବା ସହ ଜନସଂଖ୍ୟା ରୋକିବା ଉପରେ ଜୋର ଦେଇଛନ୍ତି ମୋଦି । ଜନସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତିୟ ବୃହତ୍ତର ଦେଶ । ଯେଉଁ ଗତିରେ ଦେଶର ଜନସଂଖ୍ୟା ବଢ଼ୁଛି ଆଗାମୀ ସମୟରେ ଚୀନକୁ ମଧ୍ୟ ପଛରେ ପକାଇବ ଦେଶ । ତେଣୁ ବେଳ ହୁଁ ସାବଧାନ ହେବା ଜରୁରୀ । ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଦେଶ ଉପରେ ଅନେକ ସଙ୍କଟ ମାଡ଼ିଆସେ । ଜନସଂଖ୍ୟାରେ ଅହେତୁକ ବୃଦ୍ଧି ହେତୁ ସହରୀକରଣ, ରୋଜଗାର ସୃଷ୍ଟି କରିବା, ପରିବଶେ ପ୍ରଦୂଷଣ ଆସି ସମସ୍ୟା ଦୃତ ଗତିରେ ବୃଦ୍ଧିପାଉଛି । ଏହାକୁ ରୋକିବା ପାଇଁ ସରକାର କଡ଼ା ଆଇନ୍ ପ୍ରଣୟନ କରନ୍ତୁ ବୋଲି ଅନେକ ଦିନ ହେବ ଦାବି ହେଉଛି । ତେବେ ଆଗାମୀ ଦିନରେ କେନ୍ଦ୍ର ସରକାର ଏଦିଗରେ କଠୋର ପଦକ୍ଷେପ ନେଇପାରନ୍ତି ବୋଲି ସ୍ୱାଧୀନତା ଦିବସରେ ସଙ୍କେତ ଦେଇଛନ୍ତି ମୋଦି ।