ପ୍ରଦୂଷଣର ବୋଝ ମୁଣ୍ଡାଉଛି ଓଡ଼ିଶା : ଟଙ୍କା ଆଦାୟ କରୁଛନ୍ତି କେନ୍ଦ୍ର ସରକାର,ବୃଦ୍ଧି ପାଉନି କୋଇଲା ରୟାଲଟି

41

କନକ ବ୍ୟୁରୋ : ଛଅ ମାସ କି ବର୍ଷେ ନୁହେଁ।  ଇତିମଧ୍ୟରେ ୩ବର୍ଷ ବିତିଗଲାଣି । କୋଇଲା ରୟାଲ୍‌ଟି ବଢାଇବା ସଂକ୍ରାନ୍ତ ଫାଇଲକୁ କେନ୍ଦ୍ର ସରକାର ଏମିତି ମାଡ଼ି ବସିଛନ୍ତି ଯେ ତା’ ଉପରେ କୌଣସି ପଦକ୍ଷେପ ନେବାକୁ ନାରାଜ । ଗତ ସାଢେ ଚାରିବର୍ଷ ପାଖାପାଖି ଏନ୍‌ଡିଏ ସରକାର ଶାସନ କଲେଣି । ଅଥଚ ଥରୁଟିଏ ବି କୋଇଲା ରୟାଲଟି ବୃୃଦ୍ଧି କ୍ଷେତ୍ରରେ କେନ୍ଦ୍ର ପଦକ୍ଷେପ ନେଇନାହିଁ ।

ପ୍ରତି ୩ ବର୍ଷରେ ରୟାଲଟି ସଂଶୋଧନ କରାଯିବା ସଂପର୍କରେ ରାଜ୍ୟ ସରକାରମାନେ ଦାବି କରି ଆସୁଛନ୍ତି । ୨୦୧୨ ମେ’ ୧୦ ତାରିଖରେ ଶେଷ ଥର ପାଇଁ ଉପା ସରକାର ସମୟରେ କୋଇଲା ରୟାଲଟି ସଂଶୋଧନ ହୋଇଥିଲା । ଏହି କ୍ରମରେ ୨୦୧୫ ମସିହାରୁ କୋଇଲା ରୟାଲଟି ବୃଦ୍ଧି ପ୍ରସ୍ତାବ ରାଜ୍ୟ ସରକାର ଦେଇଛନ୍ତି।  ହେଲେ ଇତିମଧ୍ୟରେ ପୁଣି ତିନି ବର୍ଷ ବିତିବାକୁ ବସିଛି, ଅଥଚ କେନ୍ଦ୍ର ଏଭଳି ଏକ ପ୍ରସଙ୍ଗ ଉପରେ କୌଣସି ପଦକ୍ଷେପ ନେଇନାହାନ୍ତି । ପରିଣାମ ହେଲା, ରାଜ୍ୟ ବିପୁଳ ଆର୍ଥିକ କ୍ଷତି ସହୁଛି । ସବୁଠାରୁ ବଡ଼ କଥା ହେଲା, କୋଇଲା ପ୍ରଦୂଷଣର ବୋଝ ମୁଣ୍ଡାଉଛି ଓଡ଼ିଶା । ଅଥଚ କେନ୍ଦ୍ର ସରକାର ଏ କ୍ଷେତ୍ରରୁ ଅତିରିକ୍ତ ଲେଭି ଆଦାୟ କରୁଛନ୍ତି । ‘କ୍ଲିନ୍‌ ଏନଭାର୍ଣ୍ଣମେଣ୍ଟ ସେସ୍‌’ ଆଦାୟ କରାଯାଉଛି । ଏସବୁରେ କିନ୍ତୁ ରାଜ୍ୟ ସରକାରଙ୍କର ଭାଗ ନାହିଁ ।

ଆସନ୍ତା ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । କୋଇଲା ଉତ୍ପାଦନ କ୍ଷେତ୍ରରେ ଆଗୁଆ ଅଞ୍ଚଳ ବୋଲି କୁହାଯାଉଥିବା ଅନୁଗୁଳ ଓ ଝାରସୁଗୁଡା ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏପରି ପରିସ୍ଥିତିରେ କୋଇଲା ରୟାଲଟି ବୃଦ୍ଧି ନେଇ ରାଜ୍ୟ ସରକାର କେତେ ଚାପ ସୃଷ୍ଟି କରିବେ, ତାହା ଏବେ ଚ୍ୟାଲେଞ୍ଜର ବିଷୟ ହୋଇଛି ।

ଉଲ୍ଲେଖଯୋଗ୍ୟ, ୨୦୧୫ ମେ’ ମାସରୁ କୋଇଲା ରୟାଲ୍‌ଟି ସଂଶୋଧନ ନେଇ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ପ୍ରତି ତିନିବର୍ଷରେ ଥରେ ରୟାଲ୍‌ଟି ସଂଶୋଧନ ହେବା କଥା । ହେଲେ ପ୍ରସ୍ତାବ ଦିଆଯିବାର ଆଉ ତିନି ବର୍ଷ ବିତିଗଲାଣି, କେନ୍ଦ୍ର ଉପରେ ଏହାର କୌଣସି ପ୍ରଭାବ ନାହିଁ। ରାଜ୍ୟ ସରକାର ନୀତି ଆୟୋଗଙ୍କୁ ମଧ୍ୟ ଅନୁରୋଧ କରି କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବାକୁ କହିଥିଲେ । କିଛି ମାସ ତଳେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏ ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରୟାଲ୍‌ଟି ବୃଦ୍ଧି ପାଇଁ ସଂପର୍କରେ ଜଣାଇବା ସହିତ ଏହି ପ୍ରସଙ୍ଗକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିକଟରେ ଉପସ୍ଥାପନ ଲାଗି ଅନୁରୋଧ କରିଥିଲେ । ସେ ସମୟରେ ଶ୍ରୀ କୁମାର ଏହା ଉପରେ ଅନୁକୂଳ ମନ୍ତବ୍ୟ ପୋଷଣ କରିଥିଲେ । ସେହିପରି ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ମଧ୍ୟ ଅନୁରୂପ ଅନୁରୋଧ କରାଯାଇଥିଲା । ସରକାର ଆଶା କରିଥିଲେ, କେନ୍ଦ୍ର ଏହା ଉପରେ ତତ୍କାଳ ପଦକ୍ଷେପ ନେବ । ହେଲେ ଯେ କୌଣସି ମୁହୂର୍ତରେ କେନ୍ଦ୍ର ସରକାର ନିର୍ବାଚନକୁ ଯାଇପାରନ୍ତି । ହେଲେ ଓଡ଼ିଶାର ସ୍ୱାର୍ଥ ସଂପର୍କିତ ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ପଦକ୍ଷେପ ନେବନି ?

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଅଧିକ ପରିମାଣର କୋଇଲା ମହଜୁଦ ରହିଛି । କୋଇଲା ଖଣି ଖନନ, ଲୋକଙ୍କୁ ବିସ୍ଥାପନ, ପରିବେଶ ପ୍ରଦୂଷଣ ଏବଂ ଜଙ୍ଗଲ ହ୍ରାସ ଭଳି ଅନେକ ସମସ୍ୟାର ସାମ୍ନା କରୁଛନ୍ତି ରାଜ୍ୟ ବାସୀ ଓ ସରକାର । ୨୦୧୨ ମସିହାରେ ହୋଇଥିବା ସଂଶୋଧନ ଆଧାରରେ ରାଜ୍ୟ ସରକାର ଏବେ ମାତ୍ର ୧୪% ରୟାଲ୍‌ଟି ପାଉଛନ୍ତି । କମ୍‌ ଗ୍ରେଡ୍‌ର କୋଇଲାରୁ ମିଳୁଥିବା ରୟାଲ୍‌ଟି ପୂର୍ବରୁ ସଂଶୋଧିତ ହୋଇଥିବା ରୟାଲ୍‌ଟି ଠାରୁ ଢେର୍‌ କମ୍‌ ମିଳୁଛି । ଓଡ଼ଶାରେ ଅଧିକ ପରିମାଣର କମ୍‌ ଗ୍ରେଡ୍‌ର କୋଇଲା ଥିବା କାରଣରୁ ରାଜ୍ୟ ସରକାର ସେଥିରୁ ଅଧିକ ରୟାଲ୍‌ଟି ପାଇପାରୁନାହାନ୍ତି ।