ନଈରେ ପାଣି ନୁହେଁ ବହୁଛି ବିଷ : ପିଇବା ତ ଦୂର କଥା ଛୁଇଁଲେ ବି ହେବ ରୋଗ

95

କନକ ବ୍ୟୁରୋ : ‘ନମାମୀ ‌ଗଙ୍ଗେ’ ଯୋଜନାରେ ମହାନଦୀର ସଫେଇ ହେବ । ମହାନଦୀକୁ ବି ଗଙ୍ଗା ଭଳି ପ୍ରଦୂଷଣ ମୁକ୍ତ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ କହିଥିଲେ । ଏହାପରେ ମହାନଦୀ ଅବବାହିକାରେ ରହୁଥିବା ଲୋକଙ୍କ ମଧ୍ୟରେ ବିଶୁଦ୍ଧ ପାଣି ପାଇବାର ଆଶା ସଞ୍ଚରି ଉଠିଛି । କିନ୍ତୁ ଓଡ଼ିଶାରେ ଯେ କେବଳ ମହାନଦୀ ପ୍ରଦୂଷିତ ତାହା ନୁହେଁ; ରାଜ୍ୟରେ ଆଉ ୧୬ଟି ନଦୀର ପାଣି ବି ବ୍ୟବହାର ଉପଯୋଗୀ ନୁହେଁ । ଏଥି‌ରେ ମହାନଦୀର ସମସ୍ତ ଶାଖା ନଦୀ, ଉପନଦୀ ସମେତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ଖରସ୍ରୋତା ଭଳି ନଦୀ ରହିଥିବା ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ରିପୋର୍ଟ କହୁଛି ।

ସ୍ବେରେଜ୍ ବୋର୍ଡ ବର୍ଜ୍ୟ ଜଳ ପରିଚାଳନା କରିବା ଏବଂ ବିଶୋଧନ କରିବା ପାଇଁ ଗଠନ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ବି ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇପାରି ନ ଥିବାରୁ ସାରା ଓଡ଼ିଶାର ସମସ୍ତ ସହରାଞ୍ଚଳର ବର୍ଜ୍ୟ ଜଳ ନଦୀରେ ମିଶୁଛି । ଯାହା ନଦୀ ପ୍ରଦୂଷଣର ମୁଖ୍ୟ କାରଣ । କେତେକ ଅଞ୍ଚଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କ ବର୍ଜ୍ୟ ସାମଗ୍ରୀ ଓ ଜଳକୁ ନଦୀକୁ ସିଧା ଛାଡ଼ୁଥିବାରୁ ଏହାଦ୍ବାରା ପାଣି ଦୂଷିତ ହେଉଥିଲେ ହେଁ ଯେଉଁଠି ଶିଳ୍ପ ନାହିଁ ସେଠାରେ ଆବାସିକ ଘର ଏବଂ ବିଭିନ୍ନ ପ୍ରତିଷ୍ଠାନର ବର୍ଜ୍ୟ ଜଳ ହିଁ ନଈକୁ ଦୂଷିତ କରୁଛି ।

ସ୍ଥିତି ଏପରି ହୋଇଛି ଯେ, ରାଜ୍ୟର ସବୁ ନଦୀରେ ଏବେ ଜହର ବହୁଛି । ନଦୀଜଳ ବିଷାକ୍ତ ହୋଇଯାଇଥିବାରୁ ଯିଏ ଏହାକୁ ବ୍ୟବହାର କରିବ ସେ ଧୀରେ ଧୀରେ ଏହାଦ୍ବାରା ପ୍ରଭାବିତ ହେବ । ଗାଧେଇଲେ ଚର୍ମ କର୍କଟ ହେବାର ଆଶଙ୍କା ବି ରହିଛି । ବିନା ବିଶୋଧନରେ ପିଇଲେ ଡାଏରିଆ, କିଡନି ଓ ଲିଭର ନଷ୍ଟ ହେବାର ଆଶଙ୍କା ରହିଛି । ଆଉ ଏହି ପାଣିରେ ବଢ଼ୁଥିବା ମାଛ ଖାଇଲେ ନାଁ ଶୁଣି ନଥିବା ରୋଗରେ ବି ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ରିପୋର୍ଟ କହୁଛି, ମହାନଦୀରୁ ଆରମ୍ଭ କରି ତା’ର ସବୁ ଶାଖା, ଉପଶାଖା ନଦୀ, ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ପର୍ଯ୍ୟନ୍ତ ସବୁଥିରେ ବହଳ ବହଳ ଜହର ବହୁଛି । ରାଜଧାନୀରେ ଗଙ୍ଗୁଆ ଅତିଶୟ ବିଷାକ୍ତ ହୋଇଯାଇଥିବାବେଳେ ଦୟା, କୁଆଖାଇ ବି ପୂରା ପ୍ରଦୂଷିତ । ଦିନେ କୋଟି କୋଟି ଓଡ଼ିଆଙ୍କ ଜୀବନରେଖା କୁହାଯାଉଥିବା ନଦୀ ଏବେ ମୃତ୍ୟୁଦୂତ ପାଲଟିଛି । ଆଶ୍ଚର୍ଯ୍ୟର ବିଷୟ ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ଯଦିଓ ସବୁ ନଦୀର ପାଣି ପ୍ରଦୂଷଣ ମାତ୍ରାର ଊର୍ଦ୍ଧ୍ବରେ ଥିବା ଦର୍ଶାଇଛି କିନ୍ତୁ କେଉଁଠି ବି ଏହାର ବ୍ୟବହାର ଉପରେ ରୋକ୍‌ ଲଗାଇନି ।

 

ଏହି ରିପୋର୍ଟ ଅନୁସାରେ ମହାନଦୀ ସମୁଦ୍ରର ଯେତେ ନିକଟବର୍ତ୍ତୀ ହେଉଛି ପାଣିରେ ସେତେ ଅଧିକ ଜହର ମିଶୁଛି । ଉପକୂଳ ଓଡ଼ିଶାରେ ସବୁ ନଦୀ ପ୍ରଦୂଷିତ । ବ୍ୟବହାର ଉପଯୋଗୀ ବି ନୁହେଁ । ନିକଟରେ ମହାନଦୀ ଓ ଏହାର ଶାଖା, ଉପଶାଖା ୨୬ଟି ନଦୀର ୫୫ଟି ଜାଗାରେ ପାଣିର ମାନ ମପା ଯାଇଥିଲା । ହେଲେ ୩୩ଟି ଜାଗାରେ ପାଣି ପିଇବା ଯୋଗ୍ୟ ନ ଥିବା ଜଣାପଡ଼ିଥିଲା । ସେହିପରି ବାକି ୧୬ଟି ନଦୀର ୪୧ଟି ସ୍ଥାନରେ ପାଣିର ମାନ ମପା ଯାଇଥିବାବେଳେ ଏଥିରୁ ୨୬ଟି ସ୍ଥାନରେ ପାଣି ପିଇବା ଯୋଗ୍ୟ କି ବ୍ୟବହାର ଉପାଯୋଗୀ ନୁହେଁ ବୋଲି ସୂଚନା ମିଳୁଛି ।