ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଗମ୍ଭୀର : ରାଜଧାନୀବାସୀଙ୍କ ଜୀବନକାଳ ପ୍ରାୟ ୧୭ ବର୍ଷ କମିବା ସମ୍ଭାବନା ଅନେକ

210

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣ ସ୍ତର ଏତେ ଭୟଙ୍କର ହୋଇଯାଇଛି ଯେ ଲୋକେ ପଦାକୁ ପାଦ କାଢ଼ିବାକୁ ଭୟ କରୁଛନ୍ତି। ନିକଟରେ ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ ପ୍ରଦୂଷଣ ପାଇଁ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରକୁ ବର୍ଷିଥିଲେ। ଲୋକେ କେମିତି ନିଶ୍ବାସ ନେବେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଦିଲ୍ଲୀରେ ପ୍ରତ୍ୟେକଟି ଅଞ୍ଚଳରେ ବାୟୁର ମାନ ଅତି ନିମ୍ନ ସ୍ତରରେ ରହୁଛି । ଦିଲ୍ଲୀ ଏକ ଗ୍ୟାସ୍‌ ଚ୍ୟାମ୍ବରରେ ପରିଣତ ହୋଇଛି । ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଯଦି ବିପଦ ସଙ୍କେତ ଟପିଯାଏ ତେବେ ଦିଲ୍ଲୀରେ ରହୁଥିବା ଲୋକଙ୍କ ଜୀବନକାଳ ପ୍ରାୟ ୧୭ ବର୍ଷ କମିଯିବ ।

ଏକ ନୂଆ ରିପୋର୍ଟ ଅନୁଯାୟୀ ଡବ୍ଲ୍ୟୁଏଚ୍‌ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଦ୍ବାରା ଦିଆଯାଇଥିବା ଧାର୍ଯ୍ୟ ସୀମାଠାରୁ ଦିଲ୍ଲୀ ବାସିନ୍ଦାମାନେ ପ୍ରାୟ ୨୫ ଗୁଣା ଅଧିକ ବିଷାକ୍ତ ବାୟୁ ନିଶ୍ବାସରେ ନେଉଛନ୍ତି । ତେବେ ବିଷାକ୍ତ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାର ଏକ ପ୍ରମୁଖ କାରଣ ହେଉଛି ପିଏମ୍‌ ୨.୫ କଣିକା । ବାୟୁରେ ସବୁଠାରୁ କ୍ଷତିକାରକ ପ୍ରଦୂଷଣ ହେଉଛି ପିଏମ୍‌ ୨.୫ । ଏହାଦ୍ବାରା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ସୃଷ୍ଟି ହେବା ସହ ହୃଦ୍‌ଘାତ ବି ହୋଇପାରେ । ସିକାଗୋ ବିଶ୍ବବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ବାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି ‌ଯେ, ବିଶ୍ବର ସମସ୍ତ ପ୍ରମୁଖ ପ୍ରଦୂଷିତ ସହର ଗୁଡ଼ିକ ମଧ୍ୟରୁ ଦିଲ୍ଲୀ ବାସିନ୍ଦାଙ୍କ ବୟସ ପ୍ରଦୂଷଣ ପାଇଁ ପ୍ରାୟ ୧୦ ବର୍ଷ କମିଯିବ ।

ଅନ୍ୟପ‌କ୍ଷେ ବେଜିଂ ଏବଂ ଲସ୍‌ ଏଞ୍ଜେଲ୍ସ ବାସିନ୍ଦାମାନଙ୍କ ବୟସ ପ୍ରଦୂଷଣ ପାଇଁ ଯଥାକ୍ରମେ ୬ ଏବଂ ୧ ବର୍ଷ କମିଯିବ ବୋଲି କୁହାଯାଉଛି । ସେହିପରି ଚଳିତ ବର୍ଷ ପ୍ରକାଶ ପାଇଥିବା ‘ଷ୍ଟେଟ୍‌ ଅଫ୍‌ ଗ୍ଲୋବାଲ୍‌ ଏୟାର’ ରିପୋର୍ଟରୁ ଜଣାପଡ଼ିଛି ଯେ ସାରା ବିଶ୍ବରେ ମୃତ୍ୟୁର ପଞ୍ଚମ ବୃହତ୍ତମ କାରଣ ହେଉଛି ପ୍ରଦୂଷଣ । ପ୍ରତ୍ୟେକ ବର୍ଷ ବାୟୁ ପ୍ରଦୂଷଣ ଜନିତ ବିଭିନ୍ନ ରୋଗ ପାଇଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଗର୍ଭବତୀ ଏବଂ ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରଦୂଷଣ ବିପଦ ସାବ୍ୟସ୍ତ ହୋଇଛି। ପ୍ରଦୂଷଣ ଯୋଗୁ ଅଧିକାଂଶ ଗର୍ଭବତୀ ଏବଂ ଶିଶୁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ସରକାର ମଧ୍ୟ ଚଳିତବର୍ଷ ଦିଲ୍ଲୀରେ ସ୍ବାସ୍ଥ୍ୟ ଏମର୍ଜେନ୍ସି ଜାରି କରିଥିଲେ । ‌ତେଣୁ ଦିଲ୍ଲୀ ଅବସ୍ଥା କେତେ ଭୟଙ୍କର ହୋଇଛି ତାହା ଏଥିରୁ ଅନୁମେୟ ହେଉଛି ।