କନକ ବ୍ୟୁରୋ: ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ, ଆଉ ତା ପରେ ପରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ । ଆଉ ଠିକ୍ ତା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲଗାତାର ଏହି ମିଟିଂ ଏବେ ଚର୍ଚ୍ଚା ସୃଷ୍ଟି କରିଛି । କୁହାଯାଉଛି ଆଗକୁ ୟୁପି ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ଏବେଠୁ ଏନେଇ କସରତ ଆରମ୍ଭ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Advertisment

ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ, ଏହି ଭେଟଘାଟ ପରେ ୟୁପିରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ । କିଛି ଦିନ ତଳେ ୟୁପିକୁ ନୂଆ ପ୍ରଦେଶ ଅଧ୍ୟକ୍ଷ ମିଳିଛି । ଆଉ ଠିକ୍ ତା ପରେ ପରେ ଏବେ ସେଠାରେ ମନ୍ତ୍ରିମଣ୍ଡଳ ସ୍ତରରେ ମଧ୍ୟ ଅଦଳବଦଳ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ବିଜେପି ୟୁପିରେ ବିରାଟ ହିନ୍ଦୁ ସମ୍ମିଳନୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଅନ୍ୟପଟେ ଆଗାମୀ ଦିନରେ ୟୁପିରେ ଆଉ ଗୋଟିଏ ଏୟାରପୋର୍ଟ ସହ ଗଙ୍ଗା ଏକ୍ସପ୍ରେସ୍ ଓ୍ୱେ’ର ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଦଳ ଆଗାମୀ ଦିନରେ ବିଧାନସଭା ନିର୍ବାଚନକୁ ସାମ୍ନା କରିବା ସହିତ ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରିବ । ଏହାସହ ସତ୍ତା ଏବଂ ସଙ୍ଗଠନରେ ଜାତି ସନ୍ତୁଳନ ରକ୍ଷା କରିବାକୁ କ୍ୟାବିନେଟ୍ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ : ବୌଦ୍ଧରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ : ଜିଲ୍ଲା ମହୋତ୍ସବରୁ ଆସିଲା ଅଭାବନୀୟ ଦୃଶ୍ୟ

ଉତ୍ତର ପ୍ରଦେଶରେ ବର୍ତ୍ତମାନ ମୋଟ ୫୪ ଜଣ ମନ୍ତ୍ରୀ ଅଛନ୍ତି । ଆଉ ଛଅଟି ମନ୍ତ୍ରୀ ପଦ ଖାଲି ଅଛି। ତଥାପି, ଯେତେବେଳେ ମନ୍ତ୍ରିମଣ୍ଡଳ ବିସ୍ତାର ହେବ, ଏହା କେବଳ ଛଅଟି ପଦବୀ ପାଇଁ ହେବ ନାହିଁ। ବରଂ ଏହି ସମୟରେ ଜାତି ଏବଂ ଆଞ୍ଚଳିକ ପାର୍ଥକ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଖାସ୍ କରି  ବ୍ରାହ୍ମଣ, ଦଳିତ ଏବଂ ଓବିସିଙ୍କୁ ନେଇ ଏହି ଖାଲି ପଡ଼ିଥିବା ମନ୍ତ୍ରିପଦ ପୂରଣ କରାଯିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ସହିତ ପଞ୍ଚାୟତ ନିର୍ବାଚନ ମଧ୍ୟ ହେବାର ଅଛି ।  ମକର ସଂକ୍ରାନ୍ତି ପରେ କିମ୍ବା ପଞ୍ଚାୟତ ନିର୍ବାଚନ ପାଖାପାଖି ମନ୍ତ୍ରିମଣ୍ଡଳ ବିସ୍ତାର ହେବ ବୋଲି ଆଲୋଚନା ହେଉଛି। ଯଦି ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହେ, ତେବେ ହୋଲି ପାଖାପାଖି ମନ୍ତ୍ରିମଣ୍ଡଳ ବିସ୍ତାର ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।