କନକ ବ୍ୟୁରୋ : ପୁଣି ରଦ୍ଦ ହେବ କି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ? ଏଥର କୌଣସି ଅଦାଲତ ରାୟ ଆଧାରରେ ନୁହେଁ, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭାରେ ନୋଟିସ ଦେଇଛନ୍ତି । ଏହାପରେ ଏଦିଗରେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Advertisment

ରାହୁଲ ଗାନ୍ଧୀ ଗତକାଲି ଲୋକସଭାରେ ଆମେରିକା- ଭାରତ ବାଣିଜ୍ୟ ଚୁକ୍ତି ଓ ବଜେଟ୍ ଉପରେ ଭାଷଣ ଦେଇଥିଲେ । ରାହୁଲ ମିଛ କହି ଗୃହ ଓ ଦେଶକୁ ବିଭ୍ରାନ୍ତ କରୁଥିବା ବିଜେପି ଅଭିଯୋଗ କରିଛି । ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ନରବେଣେଙ୍କ ଅପ୍ରକାଶିତ ପୁସ୍ତକ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂପୁରୀ ଓ ଏପଷ୍ଟିନ୍ ଫାଇଲ ଆଦି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ବିଜେପି ଘେରିଛି । ଦେଶ ଭିତରେ ଓ ବାହାରେ ଭାରତର ଭାବମୂର୍ତ୍ତିକୁ ରାହୁଲ ମଳିନ କରୁଥିବା ବିଜେପି ନେତା ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ : ବାଣିଜ୍ୟ ଚୁକ୍ତି, ଏପ୍‌ଷ୍ଟିନ୍‌ ଫାଇଲ କଥା ଉଠାଇ ସରକାରଙ୍କୁ ଘେରିଲେ ରାହୁଲ

ବିଜେପିର ଉଦ୍ୟମକୁ କଂଗ୍ରେସ ହାସ୍ୟାସ୍ପଦ ବୋଲି କହିଛି । ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ସାଂସଦ ପଦ ହରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ଏକ ମାନହାନି ମାମଲାରେ ୨୦୨୩ରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇଥିଲେ ।

କଂଗ୍ରେସ ସାଂସଦ କେ.ସି ବେଣୁଗାପାଳ କହିଛନ୍ତି, ରାହୁଲଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ସତ, କିନ୍ତୁ ପରେ ଲୋକ ତାଙ୍କୁ ପୁଣି ବିପୁଳ ଭୋଟଦେଇ ବିଜୟୀ କରାଇଥିଲେ । ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ମହଲରେ ପୁଣି ବିତର୍କ ଆରମ୍ଭ ହୋଇଛି ।