କନକ ବ୍ୟୁରୋ : ସଂସଦର ବଜେଟ ଅଧିବେଶନରେ ବୁଧବାର ଲୋକସଭାରେ ସରଗରମ ଆଲୋଚନା ହୋଇଛି। ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସଂସଦରେ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲଙ୍କ ଭାଷଣକୁ ନେଇ ଶାସକ ଦଳର ସାଂସଦ ବିରୋଧ ଦର୍ଶାଇଥିଲେ ଓ ଜୋରଦାର ହୋହଲ୍ଲା ହୋଇଥିଲା। ଲୋକସଭାରେ ରାହୁଲ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଏପ୍ଷ୍ଟିନ୍ ଫାଇଲ ପ୍ରସଙ୍ଗ ଉଠାଇଥିଲେ। ସେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବିରୋଧୀ ଦଳମାନଙ୍କ ଆପତ୍ତି ଦର୍ଶାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ସହିତ ସମାନ ଭାବରେ କଥା ହୁଅ ବୋଲି କଡ଼ା ବାର୍ତ୍ତା ଦେଇଥିଲେ।
ରାହୁଲ ଅଡାନି ପ୍ରସଙ୍ଗ ଉଠାଇ ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଆଖିରେ ଭୟ ଦେଖାଯାଉଛି। ଅଡାନି ଜଣେ ସାଧାରଣ ଶିଳ୍ପପତି ନୁହନ୍ତି, ନା ତାଙ୍କ କମ୍ପାନି ସାଧାରଣ କମ୍ପାନି। ତାଙ୍କ କମ୍ପାନି ନାଁରେ ଆମେରିକାରେ ମାମଲା ରହିଛି। ଏହାର ଟାର୍ଗେଟ ପ୍ରଧାନମନ୍ତ୍ରୀ ଅଟନ୍ତି, ଅଡାନି ନୁହନ୍ତି। ଏହି କମ୍ପାନୀ ବିଜେପିର ଆର୍ଥିକ ଭିତ୍ତିଭୂମି ବୋଲି ରାହୁଲ କହିଥିଲେ। ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରି କହିଥିଲେ, ଆମେରିକା କିପରି ଆମ ଉପରେ ନିଷ୍ପତ୍ତି ନେବ। ସରକାର ଆମ କୃଷି କ୍ଷେତ୍ରକୁ ଆମେରିକା ପାଇଁ ଖୋଲି ଦେଲେ। ସରକାର କୃଷକଙ୍କ କଥା ଚିନ୍ତା କଲେନାହିଁ। ଭାରତ ମାତାକୁ ବିକି ଏମାନଙ୍କୁ ଲଜ୍ଜା ଆସୁନାହିଁ। ମୁଁ ଜାଣେ ଯେ ପ୍ରଧାନମନ୍ତ୍ରୀ ସାଧାରଣ ପରିସ୍ଥିତିରେ ଭାରତକୁ ବିକ୍ରି କରିବେ ନାହିଁ। ଆପଣ ଜାଣନ୍ତି ସେ କାହିଁକି ଭାରତକୁ ବିକ୍ରି କଲେ? କାରଣ ସେମାନେ ତାଙ୍କ ତଣ୍ଟି ଚିପି ଧରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଖିରେ ଭୟ ଦେଖିପାରୁଛୁ। ଆମେରିକାର ଶୁଳ୍କ ୩ ପ୍ରତିଶତରୁ ବଢ଼ି ୧୮ ପ୍ରତିଶତ ହୋଇଗଲା ବୋଲି ରାହୁଲ କହିଥିଲେ। ରାହୁଲ ଅନିଲ ଅମ୍ବାନିଙ୍କ ପ୍ରସଙ୍ଗ ଉଠାଇ କହିଥିଲେ, ଜଣେ ବ୍ୟବସାୟ ଅଛନ୍ତି, ଯାହାଙ୍କ ନାଁ ଏପ୍ଷ୍ଟିନ ଫାଇଲରେ ରହିଛି। କିନ୍ତୁ ତାଙ୍କୁ ଜେଲ୍ ହେଲା ନାହିଁ। ତାଙ୍କ ଉପରେ ଅପରାଧିକ ମାମଲା ରହିଛି।
ଭାରତର ବିଶ୍ୱସ୍ତରୀୟ ସ୍ଥିତି ଏବଂ ସାମ୍ପ୍ରତିକ କୂଟନୈତିକ ବିକାଶ ବିଷୟରେ ଉଲ୍ଲେଖ କରି ରାହୁଲ କହିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପାକିସ୍ତାନ ସହିତ ସମାନ ବ୍ୟବହାର କରାଯିବା ଉଚିତ୍ ନୁହେଁ। ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ସରକାର ଡିଜିଟାଲ ନୀତିର ପ୍ରମୁଖ ଦିଗଗୁଡ଼ିକ ସହିତ ସାଲିସ୍ କରିଛନ୍ତି, ଯୁକ୍ତି ଦେଇଛନ୍ତି ଯେ ଭାରତର ତଥ୍ୟ ହେଉଛି ଏହାର ଏକବିଂଶ ଶତାବ୍ଦୀର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ଭାରତର ଆମେରିକାକୁ ନିଜର ଡେଟା ସମର୍ପଣ କରିଛି। ଆମେରିକୀୟ ଡଲାରକୁ ସୁରକ୍ଷା ଦେବାର ଚାବିକାଠି ହେଉଛି ଭାରତୀୟ ତଥ୍ୟ। ଭାରତ ଯାହା କରୁଛି ତାହା ପୂରା ସରେଣ୍ଡର ଅଟେ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ସରେଣ୍ଡର ନୁହେଁ ୧୪୦ କୋଟି ଭାରତୀୟଙ୍କ ସରେଣ୍ଡର ଅଟେ। ରବି ଶଙ୍କର ପ୍ରସାଦ ଓ କିରନ୍ ରିଜିଜୁ କହିଥିଲେ, ରାହୁଲ ଗାନ୍ଧୀ ବିନା ଆଧାରରେ ଅଭିଯୋଗ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/3a-2026-02-11-17-07-46.jpg)