କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପରଠାରୁ ନେଇ ଚର୍ଚ୍ଚାରେ ରହି ଆସିଛି ଯାଜପୁରର ଧର୍ମଶାଳା ନିର୍ବାଚନମଣ୍ଡଳୀ । ବାରମ୍ବାର ମୁହାଁମୁହିଁ ହେଉଛନ୍ତି, ବର୍ତ୍ତମାନର ବିଧାୟକଙ୍କ ସମର୍ଥକ ଓ ପୂର୍ବତନ ବିଧାୟକଙ୍କ ସମର୍ଥକ । ଗତକାଲି ଧର୍ମଶାଳା ଜେନାପୁର ଥାନା ଅନ୍ତୁରୀଠାରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉଗ୍ରରୂପ ନେବା ପରେ ଲାଗି ରହିଛି ଉତ୍ତେଜନା ।

Advertisment

ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ରାଜନୀତି ଉଷ୍ଣ ହୋଇଛି । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ସାମନାରେ ତମ୍ପୁ ଟାଣି ଗତ ରାତିରୁ ଧାରଣା ଦେଇଛନ୍ତି ବିଜେଡିର ନେତା ଓ କର୍ମୀ । ହିଂସାକାଣ୍ଡକୁ ନିନ୍ଦା କରିବା ସହ ହିମାଂଶୁ ସାହୁଙ୍କ ଶହେରୁ ଅଧିକ ସମର୍ଥକଙ୍କ ନାଁରେ ଏତଲା ଦେଇଛନ୍ତି । କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ଭେଟି ହିମାଂଶୁଙ୍କ ଗିରଫ ଦାବି କରିଛନ୍ତି । ଯାଜପୁର ଏସପିଙ୍କ ବିରୋଧରେ ପାତରଅନ୍ତର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସେପଟେ ଜେନାପୁର ଥାନା ଆଗରେ ପ୍ରତିବାଦ କରିଛନ୍ତି ହିମାଂଶୁଙ୍କ ସମର୍ଥକ । ଗଣ୍ଡଗୋଳରେ ସମ୍ପୃକ୍ତ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କୁ ଗିରଫ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ : ଧର୍ମଶାଳାରେ ତୁମୁଳକାଣ୍ଡ; ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସରେ ମାରପିଟ୍‌, ଭଙ୍ଗାରୁଜା

ଗଣ୍ଡଗୋଳ ପରେ ଦୁଇ ନେତାଙ୍କ ମଧ୍ୟରେ ଜୋର ଧରିଛି ବୟାନବାଜି । ଧର୍ମଶାଳାର ଆଇନଶୃଙ୍ଖଳା ବିଗିଡିବା ପାଇଁ ପରସ୍ପର ପରସ୍ପରକୁ ଦାୟୀ କରିଛନ୍ତି । ଅନ୍ୟପଟେ ଆଇନମନ୍ତ୍ରୀ କହିଛନ୍ତି, ପୁଲିସ ସ୍ୱାଧୀନ ଭାବେ କୌଣସି ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ତୁମୁଳକାଣ୍ଡ ଘଟିଥିଲା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିମାଂଶୁ ଓ ପ୍ରଣବଙ୍କ ସମର୍ଥକ ମଧ୍ୟମରେ ଖଣ୍ଡଯୁଦ୍ଧ ହୋଇଥିଲା । ଯେଉଁଥରେ ଉଭୟ ପକ୍ଷର ବହୁ ଲୋକ ଆହତ ହେଇଥିଲେ ।