କନକ ବ୍ୟୁରୋ: ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏବେଠୁ ଦକ୍ଷିଣ ଭାରତର ଏହି ରାଜ୍ୟରେ ଗେରୁଆ ବାନା ଉଡ଼ାଇବାକୁ କସରତ ଆରମ୍ଭ କରିଦେଇଛି ଭାରତୀୟ ଜନତା ପାର୍ଟି । ଏହି କ୍ରମରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ ତାମିଲନାଡୁ ଗସ୍ତରେ ଯାଇ ନିଜ କର୍ମୀଙ୍କୁ ବୁଥସ୍ତରରେ ନିଜ ନିଜର କାର୍ଯ୍ୟ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି । ଖାଲି ସେତିକି ନୁହେଁ ଡିଏମକେ ସରକାରଙ୍କ ଦୁର୍ନୀତି, ବଂଶବାଦ ରାଜନୀତି ଏବଂ ଶାସନର ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଆହ୍ୱାନ ଦେଇଛନ୍ତି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ ।

Advertisment

ଜାଣିରଖିବା ଉଚିତ ଯେ, ନିତିନ ନବୀନ ରବିବାର ତାମିଲନାଡୁର ଦଳୀୟ କର୍ମୀମାନଙ୍କୁ ଆସନ୍ତା ୯୦ ଦିନ ମଧ୍ୟରେ ଏକ ସଘନ ବୁଥ୍-ସ୍ତରୀୟ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି । ସିଙ୍ଗାନାଲ୍ଲୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ କର୍ମୀ ସମାବେଶକୁ ସମ୍ବୋଧିତ କରି ନିତିନ ନବୀନ କହିଛନ୍ତି ଯେ ବିଜେପି ଦେଶର ଏକମାତ୍ର ଦଳ ଯେଉଁଠାରେ ଜଣେ ତୃଣମୂଳ ସ୍ତରର କର୍ମୀ ମଧ୍ୟ ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ ପହଞ୍ଚିପାରିବେ। ବିଜେପିରେ ଜଣେ ବୁଥ୍ ସଭାପତି ମଧ୍ୟ ଜାତୀୟ ସଭାପତି ହୋଇପାରିବେ ଏବଂ ଜଣେ ଯୁବ ମୋର୍ଚ୍ଚା କର୍ମୀ ମଧ୍ୟ ମଣ୍ଡଳସ୍ତରରୁ ଜାତୀୟ ନେତୃତ୍ୱ ପର୍ଯ୍ୟନ୍ତ ପହଞ୍ଚିପାରିବେ । ଏହା ହିଁ ବିଜେପିର ସାଂଗଠନିକ ଶକ୍ତି । 

ଆହୁରି ପଢ଼ନ୍ତୁ : ଆମେ ଛାଡ଼ିବୁ ନାହିଁ: ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ

ଏହାସହିତ ନିତିନ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଦୃଢ଼ ଏବଂ ସାଂଗଠନିକ ଗଠନ, ଯେଉଁଥିରେ ବୁଥ୍ ସଭାପତିଙ୍କଠାରୁ ଆରମ୍ଭ କରି ଜାତୀୟ ପଦାଧିକାରୀ ପର୍ଯ୍ୟନ୍ତ ସମସ୍ତେ କାନ୍ଧକୁ କାନ୍ଧ ମିଳାଇ କାମ କରନ୍ତି। ସେ ଦଳୀୟ କର୍ମୀମାନଙ୍କୁ ପ୍ରତି ମାସରେ ବୁଥ୍ ସ୍ତରରେ ସାମୂହିକ ଭାବରେ "ମନ କି ବାତ" ଶୁଣିବାକୁ ଆହ୍ୱାନ କରିଥିଲେ, ଯାହାଦ୍ଵାରା ସାଂଗଠନିକ ଶକ୍ତି ଏବଂ ଆଦର୍ଶଗତ ସ୍ପଷ୍ଟତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଡିଏମକେ ସରକାରଙ୍କୁ ଟାର୍ଗେଟ କରି ନିତିନ ନବୀନ ଦୁର୍ନୀତି, ବଂଶବାଦ ରାଜନୀତି ଏବଂ ବିଭାଜନକାରୀ ରାଜନୀତିର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଡିଏମକେ ବାରମ୍ବାର ସନାତନ ପରମ୍ପରା ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ଅପମାନିତ କରିଛି। ସେ ଘୋଷଣା କରିଛନ୍ତି ଯେ ବିଜେପି ଡିଏମକେ ସରକାରଙ୍କ ବିଫଳତା ବିରୁଦ୍ଧରେ ରାଜ୍ୟବ୍ୟାପୀ ଏକ ଜନ ଆନ୍ଦୋଳନ ଆରମ୍ଭ କରିବ। ସେ ସମସ୍ତ ମଣ୍ଡଳ ସଭାପତି ଏବଂ କର୍ମୀମାନଙ୍କୁ ଆଗାମୀ ୯୦ ଦିନ ପାଇଁ ପ୍ରତିଦିନ ଅତି କମରେ ୧୦ଟି ଘରେ ପହଞ୍ଚି ଏନଡିଏ ପାଇଁ ସମର୍ଥନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଜାଣିରଖିବା ଉଚିତ ଯେ, ଦକ୍ଷିଣ ଭାରତରେ ବିଜେପିର ସଙ୍ଗଠନ ସେତେଟା ମଜଭୁତ ନୁହେଁ । ତେଣୁ ଦୀର୍ଘ ବର୍ଷ ହେଲା ବିଜେପି ତାମିଲନାଡୁରେ ସରକାର ଗଢ଼ିବାର ସ୍ୱପ୍ନ ଦେଖୁଛି । ଏହି କ୍ରମରେ ଏବେଠୁ ସେଠାରେ ସରକାର ଗଢ଼ିବାକୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଆଉ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ତାମିଲନାଡୁ ଯାଇ ନିଜ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ।