କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଗାଦି ପାଇଁ କର୍ଣ୍ଣାଟକ କଂଗ୍ରେସ ମଧ୍ୟରେ ଟଣାଓଟରା କମିବା ବଦଳରେ ବଢ଼ିବାକୁ ଲାଗିଛି । ମଙ୍ଗଳବାର ଦିଲ୍ଲୀରେ ଡେରା ପକାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଗୋଷ୍ଠୀ । ସେପଟେ ଯଥାଶୀଘ୍ର ନେତୃତ୍ୱ ନିଷ୍ପତ୍ତି ନେବା ପାଇଁ  ହାଇକମାଣ୍ଡଙ୍କୁ ମୁଖ୍ୟ ସିଦ୍ଦରମୈୟା ଅନୁରୋଧ କରିଛନ୍ତି ।

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ ସିଦ୍ଦରମୈୟାଙ୍କ ଅଢ଼େଇବର୍ଷ ପୂରିବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ କ୍ଷମତା ପରିବର୍ତ୍ତନ ପାଇଁ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ତାଙ୍କ ଜିଦରେ ଅଟଳ ଅଛନ୍ତି । କିନ୍ତୁ ମୁହଁ ଫିଟାଉନାହାନ୍ତି । ପରଦା ପଛରେ ରହି ଡି.କେ ଠିକ୍ ସମୟରେ ଠିକ୍ ଗୋଟି ଚାଳନା କରୁଥିବା ସ୍ପଷ୍ଟ ହେଉଛି । ତାଙ୍କ ଗୋଷ୍ଠୀର କିଛି ବିଧାୟକ ଦିଲ୍ଲୀରେ ପହଞ୍ଚି ଡି.କେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହାଇକମାଣ୍ଡଙ୍କ ଉପରେ ଚାପ ପକାଉଛନ୍ତି । ପରିସ୍ଥିତି ଉପରେ ବିଜେପି ନଜର ରଖିଛି ।

ଅଧିକ ପଢ଼ନ୍ତୁ : କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା; ୨୪ ଘଣ୍ଟା ନପୂରୁଣ ବୟାନ ବଦଳାଇଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା

ସେପଟେ ଟଣାଓଟରା ପରିସ୍ଥିତିକୁ ଦେଖି ମାମଲାରେ ହାଇକମାଣ୍ଡ ହସ୍ତକ୍ଷେପ କରନ୍ତୁ ବୋଲି ଅପିଲ୍ କରିଛନ୍ତି ସିଦ୍ଦରମୈୟା । ଶୀଘ୍ର ହାଇକମାଣ୍ଡ ନିର୍ଣ୍ଣାୟକ ନିଷ୍ପତ୍ତି ନିଅନ୍ତୁ ଓ ଚର୍ଚ୍ଚାରେ ବିରାମ ଲଗାନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୩ ବିଧାନସଭା ନିର୍ବାଚନ ପରେ ନେତୃତ୍ୱ ନେଇ ସିଦ୍ଦରମୈୟା ଓ ଡି.କେଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ଅଢ଼େଇ- ଅଢେଇ ବର୍ଷ ପାଳି କରି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ପରେ ଡି.କେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ଏବେ ସିଦ୍ଦରମୈୟଙ୍କ ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ଶେଷ ହୋଇଛି ।

ସିଦ୍ଦରମୈୟା ଦଳିତ ଚେହେରା ଓ ତାଙ୍କ ପ୍ରତି ଅଧିକ ବିଧାୟକଙ୍କ ସମର୍ଥନ ଥିବା କହି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ନାହାନ୍ତି । ଅନ୍ୟପଟେ ଡିକେଙ୍କ ସମର୍ଥକମାନେ ଏହାକୁ ମାନିବା ସ୍ଥିତିରେ ନାହାନ୍ତି । ଏଭଳି ପରିସ୍ଥିତିରେ କର୍ଣ୍ଣାଟକ ଦଳୀୟ ସମସ୍ୟାର ସମାଧାନ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।