କନକ ବ୍ୟୁରୋ : ସରକାର ବଦଳିବା ପରେ ଆଶା କରାଯାଉଥିଲା ମହିଳା ବିରୋଧୀ ଅପରାଧ କମିବ । ଦୁଷ୍କର୍ମ, ଦୁଷ୍କର୍ମ ଉଦ୍ୟମ, ଯୌନ ନିର୍ଯାତନା, ଅପହରଣ, ଶୋଷଣ କମିବ । ଦୁବୃର୍ତ୍ତମାନେ ପୁଲିସକୁ ଡରିବେ । ହେଲେ, ଆଶା ଆଶାରେ ରହିଯାଇଛି । ଅପରାଧୀ ବେଫିକର ହୋଇ ଘଟାଇ ଚାଲିଛନ୍ତି ଅପରାଧ । ବଢ଼ିଚାଲିଛି ମହିଳା ବିରୋଧୀ ଅପରାଧ ମାମଲା ।

Advertisment

ପୂର୍ବ ସରକାର ସମୟରେ ମମିତା, ବବିତାଙ୍କ ଭଳି ମାମଲା ବିଜେଡି ପାଇଁ କଣ୍ଟା ହୋଇଥିଲା । ଦଳ କ୍ଷମତାରୁ ଯାଇଥିଲା । ମହିଳା ବିରୋଧୀ ଅପରାଧକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ବି କମୁନି ମହିଳା ବିରୋଧୀ ଅପରାଧ । ବିଧାନସଭାର ତଥ୍ୟ ଅନୁସାରେ, ଜୁଲାଇ ୨୦୨୪ରୁ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୪୦ ହଜାର ୯୪୭ ମହିଳା ଅପରାଧ ମାମଲା ରୁଜୁ ହୋଇଛି । ଯେଉଁଥିରେ ରହିଛି ୩୨୦୫ଟି ଦୁଷ୍କର୍ମ, ୨୦୨ ଦୁଷ୍କର୍ମ ଉଦ୍ୟମ, ୧୪୭୬ଟି ଯୌନ ନିର୍ଯାତନା, ସର୍ବସାଧାରଣରେ ୨୩୧୦ଟି ଅସଦାଚରଣ, ୮୮୬୩ଟି ଅପହରଣ, ୫୮୬୧ଟି ଯୌତୁକ ନିର୍ଯାତନା ଭଳି ସଂଗୀନ ମାମଲା । ଏଥିସହ ୬୭୭୩ଟି ଶୋଷଣ ଓ ନିର୍ଯାତନା ୪୯ଟି ଯୌତୁକ ଆତ୍ମହତ୍ୟା ମାମଲା ବି ରୁଜୁ ହୋଇଛି । ଏହାକୁ ନେଇ ସରକାରକୁ ତୀବ୍ର ସମାଲେଚନା କରିଛନ୍ତି ବିରୋଧୀ ।

ଅଧିକ ପଢ଼ନ୍ତୁ : ଜୀବନ ଯୁଦ୍ଧରେ ହାରିଗଲେ ଛାତ୍ରୀ; କିରାସିନି ଢାଳି କରିଥିଲେ ଆତ୍ମହତ୍ୟା ଉଦ୍ୟମ

ମହିଳା ଅପରାଧକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ପରେ କଡ଼ା ଜବାବ ଦେଇଛି ଶାସକ ଦଳ । ପୂର୍ବ ସରକାରକୁ ସମାଲୋଚନା କରିବା ସହ ସଫେଇ ରଖିଛନ୍ତି । ବିଜେପି ବିଧାୟକ କହିଛନ୍ତି, ପୂର୍ବ ସରକାର ସମୟରେ ମାମଲା ରୁଜୁ ହେଉନଥିଲା । ବର୍ତ୍ତମାନ ମାମଲା ରୁଜୁ ହେଉଥିବାରୁ ସଂଖ୍ୟା ବଢ଼ିଛି ।

ରାଜ୍ୟରେ ମହିଳା ଅପରାଧ ନିୟନ୍ତ୍ରଣକୁ ନଆସିବା ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମହିଳା ଅପରାଧକୁ ରୋକିବା ପୁଲିସ ପାଇଁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି ।