CM Stresses 4E Policy Photograph: (Kanak News)
କନକ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘଟଣା ଘଟୁଛି । ଆଉ ଅକାରଣରେ ଲୋକଙ୍କ ଜୀବନ ଚାଲିଯାଉଛି । କେଉଁଠି ଚାଳକଙ୍କ ଭୁଲ ତ କେଉଁଠି ରାସ୍ତା ଓ ଗାଡି ଖରାପ ଯୋଗୁ ଦୁର୍ଘଟଣାଜନିତ ମୃତ୍ୟୁ ବଢିବାରେ ଲାଗିଛି । ଏହାରି ଭିତରେ ଦୁର୍ଘଟଣା ହ୍ରାସ କରିବାକୁ ୪ଇ- ନୀତି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେପଟେ ଦୁର୍ଘଟଣା ପାଇଁ ପୂର୍ତ୍ତ ବିଭାଗକୁ ଦୋଷ ଦେଇଛନ୍ତି ପରିବହନ ମନ୍ତ୍ରୀ ।
ରାଜ୍ୟରେ ବଢୁଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ଦୁଘଟଣାର ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଡ଼କ ଦୁର୍ଘଟଣାରେ ୨୦୨୪ରେ ୬ ହଜାର ୪୨ ଲୋକଙ୍କ ଜୀବନ ଯାଇଛି । ୨୦୨୪ ତୁଳନାରେ ୨୦୨୫ରେ ଦୁର୍ଘଟଣା କମିଛି । ହେଲେ ଦ୍ରୁତଗତି ଯୋଗୁ ୬୭% ଦୁର୍ଘଟଣା ଘଟୁଛି । ୬% ରଙ୍ଗ୍ ସାଇଡ୍, ୩% ମଦ୍ୟପାନ ଏବଂ ୬% ମୋବାଇଲ ଫୋନ୍ ବ୍ୟବହାର କରି ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଦୁର୍ଘଟଣା ରୋକିବାକୁ ୪ଇ-ନୀତି । ଶିକ୍ଷା, କଡ଼ାକଡ଼ି ନିୟମ, ଇଞ୍ଜିନିୟରିଂ, ଜରୁରୀ ପରିସ୍ଥିତି ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିସହ ପରିବେଶ ପାଇଁ ପ୍ରଦୂଷଣ ନିୟମ ପାଳନ କରିବା ଏବଂ ‘ନପହଞ୍ଚିବାଠୁ ଭଲ ବିଳମ୍ବରେ ପହଞ୍ଚିବା’ ମନ୍ତ୍ର ଜପିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ଲୋକସେବା ଭବନର ବଦଳିବ କାୟାକଳ୍ପ; ଅତ୍ୟାଧୁନିକ ହେବ ଓଡ଼ିଶା ବିଧାନସଭା
ସେପଟେ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ପୂର୍ତ୍ତ ବିଭାଗ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ପରିବହନ ମନ୍ତ୍ରୀ । ପୂର୍ତ୍ତ ମନ୍ତ୍ରୀଙ୍କୁ ଇଙ୍ଗିତ କରି କହିଛନ୍ତି, ବ୍ଲାକ ସ୍ପଟ୍ ମରାମତି କାମ ପୂର୍ତ୍ତ ବିଭାଗର । ପୂର୍ତ୍ତ ମନ୍ତ୍ରୀ ଯଦି ଆମ ନିର୍ଦ୍ଦେଶ କାର୍ଯ୍ୟାନ୍ୱୟନ ନ କରିବେ ଆମେ ହଇରାଣ ହେବୁ ।
ଭୁବନେଶ୍ୱର-କଟକରେ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ IIT ଖଡ଼ଗପୁର ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ସଡ଼କ ସୁରକ୍ଷା ସଚେତନତା କେବଳ ସଭା ସମିତିରେ ସୀମିତ ରହୁଛି । ଟ୍ରାଫିକ୍ ନିୟମର ଧଜିଆ ଉଡ଼ାଉଛନ୍ତି ଗାଡ଼ି ଚାଳକ । କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ ସତ୍ତ୍ୱେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ହେଉଛି ।
Follow Us