କନକ ବ୍ୟୁରୋ : ରାଜନୀତିରେ କେହି କାହାର ଚିରଶତ୍ରୁ କି ଚିର ମିତ୍ର ନୁହନ୍ତି । କ୍ଷମତା ଓ ସତ୍ତା ଆଗରେ ସବୁ ମାଫ୍ । ଏଭଳି ଏକ ଝଲକ ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି । ଚତୁର୍ଥ ଆସନ ପାଇଁ ନବୀନ ଓ ଭକ୍ତ ହାତ ମିଳାଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପାଲଟଛନ୍ତି ସହଯୋଗୀ । ସନ୍ତୃପ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ଯେତିକି ଚର୍ଚ୍ଚା ହୋଇନି ଚତୁର୍ଥ ପ୍ରାର୍ଥୀ ଦତ୍ତେଶ୍ୱରଙ୍କୁ ନେଇ ରାଜ୍ୟ ରାଜନୀତି ନୂଆ ସମୀକରଣ ଆଡକୁ ଇଙ୍ଗିତ କରିଛି ।

Advertisment

ପୁଣି ସରପ୍ରାଇଜ ଦେଲେ ବିଜେଡି ସୁପ୍ରିମୋ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରଥମ ଦଳ ଭାବେ ନିଜ କାର୍ଡ ଖୋଲିଛି ବିଜେଡି । ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରତିଷ୍ଠିତ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ଭାବେ ଚତୁର୍ଥ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସଂଖ୍ୟା ନଥାଇ ମଧ୍ୟ ଚତୁର୍ଥ ଆସନ ପାଇଁ ଲମ୍ପ ଦେଇ ସବୁ ଦଳର ସମର୍ଥନ ଚାହିଁଛନ୍ତି ନବୀନ । ପ୍ରାର୍ଥୀ ଘୋଷଣା ପରେ ସନ୍ତୃପ୍ତ ଓ ଦତ୍ତେଶ୍ୱର କହିଛନ୍ତି, ଓଡ଼ିଶାର ସ୍ୱର ଦିଲ୍ଲୀରେ ଉଠାଇବୁ ।

ଅଧିକ ପଢ଼ନ୍ତୁ : ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ, ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ୍‌

ନବୀନଙ୍କ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ସହ ଓଡ଼ିଶା ରାଜନୀତି କଡ଼ ଲେଉଟାଇଛି । ଦିନେ ଶତ୍ରୁ ହୋଇ ଲଢୁଥିବା କଂଗ୍ରେସକୁ ସାଥୀ କରି ରାଜ୍ୟସଭା ଆସନ ହାତେଇବା ପାଇଁ ଗୋଟି ଚଳାଇଛନ୍ତି ନବୀନ । ନାଁ ଘୋଷଣା ପୂର୍ବରୁ ଅତି ଗୁପ୍ତ ଢଙ୍ଗରେ ନବୀନ ନିବାସରେ ବିଜେଡି ଓ କଂଗ୍ରେସ ମୁଖିଆଙ୍କ ମଧ୍ୟରେ ହୋଇଥିଲା ରାଜ୍ୟସଭା ଡିଲ୍ । ଗତ ସୋମବାର ବହୁ ସମୟ ଧରି ଆଲୋଚନା ପରେ ଦତ୍ତେଶ୍ୱରଙ୍କ ନାଁରେ ସହମତି ହୋଇଥିବା ନେଇ ନିଜେ ମାନିଛନ୍ତି ଭକ୍ତ ।

ସମଦୂରତ୍ୱ କଥା କହୁଥିବା ନବୀନଙ୍କ ନୂଆ ଆଭିମୁଖ୍ୟ ଭିନ୍ନ ବାର୍ତ୍ତା ଦେଇଛି । ଆଗକୁ ବିଜେପିକୁ ରୋକିବାକୁ କଂଗ୍ରେସର ହାତ ଧରିବେନି ତ ନବୀନ ? ସେହିପରି ସବୁବେଳେ ବିଜେପିକୁ ଅଯାଚିତ ଓ ହୃଦୟଖୋଲା ସମର୍ଥନ ଦେଉଥିବା ନବୀନ ଏବେ ସମର୍ଥନ ମାଗିଛନ୍ତି । ଏବେ ନବୀନଙ୍କର ପାଉଣା ଶୁଝାଇବ ନା ପ୍ରତିଦ୍ୱନ୍ଦ୍ୱୀ ସାଜି ମଇଦାନକୁ ଓହ୍ଲାଇବ ବିଜେପି ? ତାହା ଦେଖିବା ବାକି ରହିଲା ।