କନକ ବ୍ୟୁରୋ : ଓଡ଼ିଶା ରାଜନୀତି ଦୃଶ୍ୟପଟ୍ଟକୁ ଓଲଟପାଲଟ କରିବ ରାଜ୍ୟସଭା ନିର୍ବାଚନ । ସଂଖ୍ୟା ପାଇଁ ଶତ୍ରୁ ସାଜିପାରେ ମିତ୍ର । କିଛି ଏଭଳି ଫର୍ମୁଲା ପ୍ରସ୍ତୁତ ହେଉଛି ଚତୁର୍ଥ ଆସନ ପାଇଁ । ସବୁ ଦଳର ଭିତିରି ଅଙ୍କକଷା ମଧ୍ୟରେ ପ୍ରାର୍ଥୀ ହେବାକୁ ଲବି ଜୋର୍ ଧରିଲାଣି ।

Advertisment

ଆଉ ପ୍ରାୟ ୨ ମାସ ପରେ ରାଜ୍ୟସଭା ନିର୍ବାଚନ ହେବ । ପ୍ରଥମ ୩ଟି ଆସନକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ୨ଟି ବିଜେପି ଓ ଗୋଟିଏ ଆସନ ବିଜେଡି ଖାତାକୁ ଯିବ । ହେଲେ ଚତୁର୍ଥ ଆସନକୁ ନେଇ ଗୋଳମାଳ ହେବ ଗଣିତ । ପ୍ରଥମ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଦରକାର ୩୧ ବିଧାୟକଙ୍କ ଭୋଟ୍ । ୨ଟି ଆସନ ହାତେଇବା ପରେ ବିଜେପି ପାଖରେ ବଳକା ୨୦ ବିଧାୟକଙ୍କ ସମର୍ଥନ ରହିବ । ବିଜେଡି ଗୋଟିଏ ଆସନ ଅକ୍ତିଆର କରିବା ପରେ ବଳକା ୧୯ ବିଧାୟକଙ୍କ ସମର୍ଥନ ରହିବ । ସଂଖ୍ୟା ଦୃଷ୍ଟିରୁ ଆସନ ଅକ୍ତିଆର ନକଲେ ମଧ୍ୟ ୱେଟ୍ ଆଣ୍ଡ୍‌ ୱାଚ୍ ସ୍ଥିତିରେ ରହିବ କଂଗ୍ରେସ ।

ଅଧିକ ପଢ଼ନ୍ତୁ : ପୁଣି ବିଜେଡିରେ କଣ ହେଲା? ପ୍ରମିଳାଙ୍କ ଘରେ ବବି ଦାସ

ଚତୁର୍ଥ ଆସନ ପାଇଁ କାହା ପାଖରେ ସଂଖ୍ୟା ନଥିବାରୁ କଣ ହୋଇପାରେ ବିକଳ୍ପ ? ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଚତୁର୍ଥ ଆସନ ପାଇଁ ଦେଖିବାକୁ ମିଳିପାରେ ଅଶ୍ୱିନୀ ବୈଷ୍ଣବଙ୍କ ଫର୍ମୁଲା । କେନ୍ଦ୍ର ନାଁ ଦେଲେ ପୁଣିଥରେ ସମର୍ଥନ ଦେବ କି ବିଜେଡି ? ବିଜେପିକୁ ଅଟକାଇବାକୁ କଂଗ୍ରେସ ସହ ହାତ ମିଳାଇବ କି ବିଜେଡି ? ନବୀନ-ଭକ୍ତ ହାତ ମିଳାଇଲେ ଚତୁର୍ଥ ଆସନ ପକ୍କା ? ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରିପାରେ ଘୋଡ଼ା ବେପାର ।

ଚତୁର୍ଥ ଆସନକୁ ନେଇ ଚର୍ଚ୍ଚା ଭିତରେ ବିଜେଡି କ୍ୟାମ୍ପ କହିଛି, ସୁପ୍ରିମୋ ନେବେ ନିଷ୍ପତ୍ତି । କଂଗ୍ରେସର ଯୁକ୍ତି, ସମୟ ଦେଖି ନିଷ୍ପତ୍ତି ନେବୁ । ଚତୁର୍ଥ ଆସନକୁ ନେଇ କିଏ କାହାକୁ ଅଫର ଦେବ ? କାହାର ଅଫରକୁ କିଏ ଗ୍ରହଣ କରିବ ? ତାକୁ ନେଇ କଡ ଲେଉଟାଇବ ଓଡ଼ିଶା ରାଜନୀତି ।