କନକ ବ୍ୟୁରୋ: ପୁଣି ମେଳି ବାନ୍ଧିଲେ ବିଜେଡି ନେତା । ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ସହିତ ରାଜ ନାରାୟଣ ମହାପାତ୍ର, ସୁଜାତା ସାହୁ, ଶର୍ମିଷ୍ଠା ସେଠୀ ଏବଂ ବିଶ୍ୱ ମଲ୍ଲିକଙ୍କ ଭଳି ନେତା ସାମିଲ ହୋଇଛନ୍ତି । ତେବେ ଏକାଧିକ ବିଜେଡି ନେତାଙ୍କ ଏହି ବୈଠକ ସୌଜନ୍ୟମୂଳକ ନା ଏହା ପଛରେ ଅନ୍ୟ କିଛି ଗୁମର ଲୁଚିଛି, ସେନେଇ କୌଣସି ବି ସୂଚନା ମିଳିପାରିନି ।

Advertisment

ତେବେ କିଛି ଦିନ ତଳେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ନେତା ବୈଠକ କରିବାକୁ ଚାହିଁଲେ ଦଳର କାର୍ଯ୍ୟାଳୟ ଶଙ୍ଖ ଭବନରେ ଏକାଠି ହୁଅନ୍ତୁ ଆଉ ସେହି ଜାଗାରେ ହିଁ ବୈଠକ କରନ୍ତୁ । ହେଲେ ତା ପରେ ମଧ୍ୟ ଦଳର ଏକାଧିକ ନେତା ଶଙ୍ଖ ଭବନ ବାହାରେ ମିଟିଂ କରୁଥିବା ନଜର ଆସିଛନ୍ତି । ଏହି କ୍ରମରେ ପ୍ରମିଳାଙ୍କ ଘରେ ବବି ଦାସଙ୍କ ସହିତ ଯାଜପୁର ବିଜେଡି ନେତା କାହିଁକି ଏକାଠି ହୋଇଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି?

ଆହୁରି ପଢ଼ନ୍ତୁ : ମହାରାଷ୍ଟ୍ର ରାଜନୀତିରେ ମହାନାଟକ ; ମେଣ୍ଟରୁ ଦୂରାଉଛନ୍ତି ଅଜିତ ପାୱାର

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନଠାରୁ ଶଙ୍ଖ ଭବନର ଦୂରତା ମାତ୍ର କେଇ ହାତ ଦୂରରେ । ହେଲେ ତା ସତ୍ତ୍ୱେ ମଧ୍ୟ ଏହି ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉନି । ଖାସ୍ କରି ଯାଜପୁର ବିଜେଡି ନେତାଙ୍କ ଏହି ମେଳିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।