କନକ ବ୍ୟୁରୋ : ଜୟ ଜଗନ୍ନାଥ କହି ବିଧାନସଭାରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି । କହିଛନ୍ତି, ଘରକୁ ଫେରିବା ପରି ମନେ ହେଉଛି । ରାଜ୍ୟପାଳ ଏକଦମ ଠିକ୍‌ କହିଛନ୍ତି । ଦେଶର ଅନେକ ବିଧାନସଭାକୁ ସମ୍ବୋଦନ କରିବାର ସୁଯୋଗ ପାଇଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଦନ କରିବା ମୋ ପାଇଁ ଅତ୍ୟଧିକ ଖୁସିର କଥା । ଏ ଗୃହ ମତେ ସବୁକିଛି ଶିଖାଇଛି ।

Advertisment

ମୁଁ ଗାଁରୁ ଆସିଥିଲି ସାଧାରଣ ଝିଅ ହୋଇ, ଏ ଗୃହ ମୋତେ ସବୁ କିଛି ଶିଖେଇଛି । ରାଜନୈତିକ ହିସାବରେ ସମସ୍ତଙ୍କୁ କେମିତି ବ୍ୟବହାର କରିବା । ଏ ମୋତେ ନିଅଁ ଦେଇଛି, ଆଉ ଏ ନିଅଁ ସୁଦୃଢ଼ ହେଇନଥାନ୍ତା ଯଦି ଓଡ଼ିଶା ଲୋକଙ୍କ ଆଶୀର୍ବାଦ ନଥାନ୍ତା । ମୁଁ ଯେଉଁ ଜାଗାରେ ଅଛି ସେହି ଜାଗାରେ ପହଞ୍ଚିପାରିନଥାନ୍ତି । ବିଧାନସଭାର ବହୁତ ସ୍ମୃତି ମନେ ପଡ଼ୁଛି । ବିଧାୟିକା ଭାବରେ ପ୍ରଶ୍ନ କରିଛି, ମନ୍ତ୍ରୀ ହୋଇ ଉତ୍ତର ରହିଛି । ଅନେକ ସଦସ୍ୟଙ୍କୁ ମୁଁ ଜାଣିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଁ କାମ କରିଛି । ୨୦୦୦ ମସିହାରେ ମୋହନ ବାବୁଙ୍କ ସହ ବି କାମ କରିଛି । ଆତ୍ମୀୟ ପରିବେଶରେ ଭାବବିହ୍ୱଳ ହେଉଛି ।

ଦେଶର ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ରଗଠନ ଦିଗରେ ଓଡ଼ିଶାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏଇଠି ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ ହୋଇଥିଲା । ଏହାର ମହାନାୟକ ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର । ଲବଣ ସତ୍ୟାଗ୍ରହରେ ଓଡ଼ିଶାର ନେତା ଓ ଜନତା ଅଂଶଗ୍ରହଣ କରିଥିଲେ । ଅନେକ ଓଡ଼ିଆ ଗୁଳି ଖାଇଛନ୍ତି । ବାଜିରାଉତଙ୍କ ବଳିଦାନ ଏହି ମାଟିର ବୀରତ୍ୱର କଥା ।

ଅଧିକ ପଢ଼ନ୍ତୁ : 'ଜୀବନରେ କେବେ ହାର ମାନିନାହାନ୍ତି, ସଂଘର୍ଷରୁ ସଫଳତା ପାଇଛନ୍ତି ରାଷ୍ଟ୍ରପତି'

ବିଜୁ ବାବୁଙ୍କ ସାହସ ଓ କାମ ଦେଶବାସୀଙ୍କ ମନେ ରହିବ । ନେତାଜୀଙ୍କୁ ଜନ୍ମ ଦେଇ ଓଡ଼ିଶା ଧନ୍ୟ । ଭାରତ ନିର୍ମାଣରେ ଓଡ଼ିଶାର ଭୂମିକା କାଳେ କାଳେ ରହିଛି । ଓଡ଼ିଶାରେ ନାରୀ ସଶକ୍ତିକରଣରେ ଉଦାହରଣ । ଓଡ଼ିଶାର ବିଧାନସଭାରେ ଅନେକ ମହିଳା ବିଧାୟିକା ଅଛନ୍ତି । ଏମିତି କୌଣସି ବିଧାନସଭା ନାହିଁ ଯେଉଁଥିରେ ମହିଳାମାନେ ବିଧାୟିକା ପ୍ରତିନିଧିତ୍ୱ କରିନାହାନ୍ତି । ଓଡ଼ିଶାର ଅନେକ ମହିଳା ଦକ୍ଷ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ବିଧାନସଭାରେ ବିତର୍କର ସୁସ୍ଥ ପରମ୍ପରା ରହିଛି । ପେପର୍‌ ଲେସ୍‌ ବିଧାନସଭାରେ ଓଡ଼ିଶା ବିଧାନସଭା ପରିଣତ ହୋଇଛି ।

ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଅନେକ ବିକାଶ କାମ କରିଛନ୍ତି । ସୁଭଦ୍ରା ଯୋଜନାରେ ଅନେକ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ସବୁବର୍ଗର ଲୋକଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି । ଧାନକିଣା ଉପରେ ରାଜ୍ୟ ସରକାର ସବ୍‌ସିଡି ଦେବା ବହୁତ ଭଲ କଥା । ଚାଷୀର ଉନ୍ନତି ନହେଲେ ରାଜ୍ୟର ଉନ୍ନତି ହେବ ନାହିଁ ।
ଓଡ଼ିଶାର ପ୍ରଗତୀ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ପ୍ରକୃତି ସବୁ ଦେଇଛି ଓଡ଼ିଶାକୁ । ଜଙ୍ଗଲ, ଖଣି, ପାଣି ସବୁ ଅଛି । ଶ୍ରମିକଙ୍କଠୁ ଶିଳ୍ପପତି ସବୁଥିରେ ଓଡ଼ିଶା ସମୃଦ୍ଧ । କୃଷି, ଶିଳ୍ପ ଓ ବାଣିଜ୍ୟର ବିକାଶ ପାଇଁ ଓଡ଼ିଶା ଅନେକ କାମ କରୁଛି । ୨୦୪୭ ବେଳକୁ ଭାରତ ବିକଶିତ ଦେଶରେ ପରିଣତ ହୋଇସାରିଥିବ ବୋଲି ବିଶ୍ୱାସ ରହିଛି ।

ଓଡ଼ିଶାର ନେତୃବୃନ୍ଦ ଏକଜୁଟ ହୋଇ କାମ କଲେ ସବୁ ସମ୍ଭବ ହେବ । ବିଶ୍ୱରେ ଭାରତକୁ ଏବେ ଅନ୍ୟ ନଜରରେ ଦେଖୁଛନ୍ତି । ବୃହତ ଅର୍ଥନୀତି ଭାବରେ ଭାରତ ଅଗ୍ରସର ହେଉଛି । ଆଇଟି ଓ ଏଆଇ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ବିଶ୍ୱ ପ୍ରଶଂସା କରୁଛି । ଅନେକ ବିଦେଶୀ ଛାତ୍ରଛାତ୍ରୀ ଭାରତରେ ପଢିବାକୁ ଇଚ୍ଛା କରୁଛନ୍ତି । ରାଷ୍ଟ୍ର ସର୍ବୋପରି । ଗଣ ବିନା ଗଣତନ୍ତ୍ର ନାହିଁ । ଭାରତ ପୃଥିବୀର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର । ଜନମତକୁ ଏଠାରେ ସମ୍ମାନ ଦିଆଯାଏ ।

କାଳେ କାଳେ ଶାସନର ଡୋରି ପ୍ରଜା ବା ଜଣଗଣଙ୍କ ହାତରେ ଥାଏ । ଜନତା ଅନେକ ବିଶ୍ୱାସ ନେଇ ଆପଣଙ୍କ ହାତରେ ଶାସନ ଡୋରି ରହିଛି । ତେଣୁ ଭଲ ଶାସନ ଆମର କର୍ତ୍ତବ୍ୟ । ଦେଶର ଦରିଦ୍ରତମ ଲୋକଙ୍କ ପାଇଁ କାମ କରିବା ଉଚିତ୍‌ । ଆପଣ କଣ କହୁଛନ୍ତି ଓ କଣ କରୁଛନ୍ତି ଲୋକ ଜାଣିବା ପାଇଁ ଚେଷ୍ଟା କରନ୍ତି । ଉଚ୍ଚାରଣ ଓ ଆଚରଣ ଅନେକ ଗୁରୁତ୍ବପୂର୍ଣ୍ଣ । ଲିଡର ଯାହା କରିବେ ଜନତା ତାକୁ ଅନୁଶୀଳନ କରିବେ ।