CONGRESS POLITICS Photograph: (KANAK NEWS)
କନକ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସର ଦେହ ଭଲ ନାହିଁ । ସ୍ୱାସ୍ଥ୍ୟ ଏକରକମ ବିଗିଡ଼ିଯାଇଛି । ଗାଁରୁ ଆରମ୍ଭ କରି ସହର, ଛକରୁ ଆରମ୍ଭ କରି ଚା’ ଦୋକାନ ପର୍ଯ୍ୟନ୍ତ ସବୁଠି ଏବେ ଏମିତି କିଛି କଥା ଶୁଣିବାକୁ ମିଳୁଛି । ଯେବେଠୁ ମୋକିମ ସୋନିଆ ଗାନ୍ଧୀଙ୍କୁ ଓଡ଼ିଶାରେ କଂଗ୍ରେସର ଶୋଚନୀୟ ଅବସ୍ଥାକୁ ନେଇ ଚିଠି ଲେଖିଛନ୍ତି, ସେବେଠୁ ଏହି କଥାକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ରାଜନୈତିକ ଝଡ଼ ।
କଣ କହିଲେ ମୋକିମ୍?
ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ ସୋନିଆଙ୍କୁ ଲେଖିଥିବା ଚିଠିରେ ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ମନ ଭିତରେ ଯାହା ଥିଲା ସବୁକିଛି ସିଧାସଳଖ ଚିଠିରେ ଲେଖିଥିଲେ । ୫ ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ସଭାପତିଙ୍କ ବିଫଳତାର ଲମ୍ବା ତାଲିକା ଦେଇଥିଲେ ମୋକିମ୍ । ସେ ଲେଖିଥିଲେ, ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା । ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା । ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି ।
ମୁହଁ ଖୋଲିଲେ ବରିଷ୍ଠ
ସୋନିଆ ଗାନ୍ଧୀଙ୍କ ନିକଟକୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପରେ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି । କିଛି ବରିଷ୍ଠ ନେତା ଏ ସମ୍ପର୍କରେ ମୁହଁ ଖୋଲିଥିଲା ବେଳେ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବୟସ ଓ ରାହୁଲ ଗାନ୍ଧୀ ତାଙ୍କୁ ସାକ୍ଷାତ ନଦେବା ଅଭିଯୋଗ ଗ୍ରହଣୀୟ ନୁହେଁ । ସଂସଦରେ ଖଡ୍ଗେଙ୍କ ବିତର୍କ ଶୁଣନ୍ତୁ । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସେ ବଳିଷ୍ଠ ଯୁକ୍ତି ବାଢ଼ୁଥିବା ସାରା ଦେଶ ଦେଖୁଛି । ସେ ଜଣେ ବିଜ୍ଞ ତଥା ଯୋଗ୍ୟ ବ୍ୟକ୍ତି ବୋଲି ତାଙ୍କୁ ଦଳର ସଭାପତି କରାଯାଇଛି । ତାଙ୍କ ବାବଦରେ ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ । ରାହୁଲ ଗାନ୍ଧୀ ଦରିଦ୍ରତମ ଲୋକଙ୍କ କାନ୍ଧରେ ହାତ ପକାଇ ବୁଲନ୍ତି । ତେଣୁ ସେ ଭେଟୁନାହାନ୍ତି ବୋଲି ଅଭିଯୋଗ କରିବା ଠିକ୍ ନୁହେଁ । ସେହିପରି ଅନନ୍ତ ସେଠୀ କହିଛନ୍ତି, ସେ ସର୍ବୋଚ୍ଚ ନେତ୍ରୀଙ୍କୁ ଚିଠି ଲେଖିଥିଲେ । ହେଲେ ଗଣମାଧ୍ୟମରେ ଦଳ କଥା ଚର୍ଚ୍ଚା କରିବା ଠିକ୍ ହେଲା ନାର୍ହି ।
ଆହୁରି ପଢ଼ନ୍ତୁ : SIRକୁ ନେଇ ପଶ୍ଚିମବଙ୍ଗ ପଲିଟିକ୍ସ ସରଗରମ: ମମତା କହିଲେ, ‘ମୁଁ SIR କରିବିନି’
ସେପଟେ ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସକୁ ଶସ୍ତା କରିବା ଠିକ୍ ନୁହେଁ । ଧୈର୍ଯ୍ୟ ଧରିବା ଉଚିତ । କଂଗ୍ରେସ ଏବେ ଉଠୁଛି । ମୋକିମ ବାବୁଙ୍କୁ କଂଗ୍ରେସ କେବେ ଧୋକା ଦେଇନି । ସେ ଯଦି ଚିଠି ଲେଖିଲେ, ତାହା ବାହାରକୁ ଆସିବା କଥା ନୁହେଁ । ତାଙ୍କ ଝିଅ ବି ଦଳରୁ ବିଧାୟକ ହୋଇଛି । ସେ ଭଲ ପ୍ରଦର୍ଶନ କରୁଛି । ତା’ର କ୍ୟାରିୟରକୁ ମୋକିମ୍ କାହିଁକି ନଷ୍ଟ କରୁଛନ୍ତି ବୋଲି କହିଛନ୍ତି ସୁର ।
ଜବାବ ଦେଲେ ମୋକିମ୍
ବରିଷ୍ଠ କଂଗ୍ରେସ ନେତାଙ୍କ ଏଭଳି ବୟାନବାଜି ଭିତରେ ଗତକାଲି ମୋକିମ ମଧ୍ୟ ମୁହଁ ଖୋଲିଥିଲେ । ସେ କହିଥିଲେ, ବିଗତ ଦିନରେ ଓଡ଼ିଶାରେ ଯେଉଁମାନେ ଯୁବ ନେତୃତ୍ବ ଥିଲେ ସେମାନେ କଂଗ୍ରେସ ଛାଡ଼ି ଚାଲିଯାଇଛନ୍ତି । ଯେଉଁ ଲୋକଙ୍କୁ କଂଗ୍ରେସ ତିଆରି କରିଛି, ତାଙ୍କୁ କାହିଁକି ଛାଡ଼ିବ । ଯେପରି ଭାବେ କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିବ, ସେଥିପାଇଁ ଚିଠି ଲେଖିଛି । ମୋର ବ୍ୟକ୍ତିଗତ ଆକ୍ଷେପ କାହା ପ୍ରତି ନାହିଁ । ଦଳର କର୍ମୀମାନଙ୍କ ଭାଷା ଲେଖିଛି । ମୁଁ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ଚାହୁଛି । ସେ ହସ୍ତକ୍ଷେପ କରିବେ ବୋଲି ମୋର ଆଶା ରହିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ରେଜଲ୍ଟ ଶୋଚନୀୟ ରହିଥିଲା । ଏହାପରେ ଦଳ ନିଜର ସଭାପତି ପରିବର୍ତ୍ତନ କରିଛି । ଶରତ ପଟ୍ଟନାୟକଙ୍କ ଜାଗାରେ ଦଳ ଏବେ ଭକ୍ତ ଦାସଙ୍କୁ ଦାୟିତ୍ୱ ଦେଇଛି । ହେଲେ କଂଗ୍ରେସରେ କିନ୍ତୁ ସେତେଟା ପରିବର୍ତ୍ତନ ଦେଖିବାକୁ ମିଳିନି । ଗତ ନୂଆପଡ଼ା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମାତ୍ର ୪୦ ହଜାର ଭୋଟ୍ ପାଇଲେ । ଯେତେବେଳେ କି ଘାସିରାମ ୨୦୨୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହେଇ ଏହାଠୁ ଅଧିକ ଭୋଟ୍ ପାଇଥିଲେ । ତେବେ ନୂଆପଡ଼ା ପରାଜୟ ପରେ ଏବେ ଦଳର ଆଗଧାଡ଼ିର ନେତା ନେତୃତ୍ୱକୁ ନେଇ ସିଧା ସୋନିଆଙ୍କୁ ଚିଠି ଲେଖିବା କଂଗ୍ରେସ କନ୍ଦଳକୁ ପଦାରେ ପକାଇଛି ।
Follow Us