Odisha Rajya Sabha Polls Photograph: (Kanak News)
କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ଘଡିକେ ଘୋଡ଼ା ଛୁଟୁଛି । ବିଜେପି ୩ ପ୍ରାର୍ଥୀ ଦେବା ନେଇ ଘୋଷଣା କରିବା ପରେ ଲଢେଇ ନିଶ୍ଚିତ ହୋଇଛି । ହେଲେ ଚତୁର୍ଥ ଆସନ କିଏ ଓ କେମିତି ହାତେଇବ ତାହାର ଫର୍ମୁଲା ଖୋଜା ଭିତରେ କଂଗ୍ରେସ ଦଳରେ ଫାଟ ପଦାରେ ପଡ଼ିଛି । ବିଧାୟକଙ୍କ ବୈଠକରେ ୨ ବିଧାୟକ ଅନୁପସ୍ଥିତ ରହିବା କ୍ରସ ଭୋଟିଂ ସମ୍ଭାବନାକୁ ବଢାଇଛି ।
ରାଜ୍ୟସଭା ନିର୍ବାଚନ ହଟଚମଟ ଭିତରେ କଂଗ୍ରେସ ବିଧାୟକ ଦଳ ବୈଠକ ବିରୋଧୀ ଦଳର ହିସାବକିତାବକୁ ଓଲଟପାଲଟ କରିଛି । ୧୪ ବିଧାୟକଙ୍କ ଭିତରୁ କଂଗ୍ରେସ ବୈଠକରେ ୨ ବିଧାୟକ ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା ସାମିଲ ହୋଇନାହାନ୍ତି । ସେହିଭଳି ତାରା ବାହିନୀପତି ଓ ଦାଶରଥୀ ଗମାଙ୍ଗଙ୍କୁ ମନାଇବାକୁ ରାମଚନ୍ଦ୍ର କାଡାମଙ୍କ ବାସଭବନରୁ ହୋଟେଲକୁ ସ୍ଥାନାନ୍ତର ହୋଇଛି ଦଳୀୟ ବୈଠକ । କଂଗ୍ରେସ ବିଧାୟକଙ୍କ ଛକାପଞ୍ଝା ଭିତରେ କମନ କ୍ୟାଣ୍ଡିଡେଟ ଦତ୍ତେଶ୍ୱର ହୋତା କଂଗ୍ରେସ ବୈଠକରେ ସାମିଲ ହୋଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ଅନୁପସ୍ଥିତ ଥିବା ବିଧାୟକ ଦତ୍ତେଶ୍ବରଙ୍କ ସମର୍ଥନରେ ଭୋଟ ଦେବେ ତ ? ବିଧାୟକଙ୍କ ଅନୁପସ୍ଥିତି କ୍ରସ ଭୋଟିଂ ଓ ଘୋଡା ବେପାର ସମ୍ଭାବନାକୁ ଜନ୍ମ ଦେଇଛି । ଏଭଳି ସ୍ଥଳେ ଦଳୀୟ ବିଧାୟକଙ୍କୁ ଦତ୍ତେଶ୍ୱରଙ୍କ ସମର୍ଥନରେ ଏକମତ କରିବା ଭକ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।
ଅଧିକ ପଢ଼ନ୍ତୁ : ରାଜ୍ୟସଭାରେ ବିଜେପି ଦେବ ୩ ପ୍ରାର୍ଥୀ; ୫ ତାରିଖରେ ଭରିବେ ନାମାଙ୍କନ
କଂଗ୍ରେସରେ କେଁ ଭିତରେ ଶାସକ ଦଳ ବିଜେପି ରାଜ୍ୟସଭାକୁ ନେଇ ଭିନ୍ନ ରଣନୀତି କରିଛି । ୩ ପ୍ରାର୍ଥୀ ଦେବାକୁ ଦଳ ନିଷ୍ପତ୍ତି ନେଇଥିବା କହିଛନ୍ତି ବିଧାୟକ ସନ୍ତୋଷ ଖଟୁଆ । ଅଥାର୍ତ ଦତ୍ତେଶ୍ୱରଙ୍କ ବିରୋଧରେ ପ୍ରାର୍ଥୀ ଛିଡା କରିବ ବିଜେପି । ହେଲେ ଚତୁର୍ଥ ଆସନରେ କିଏ ପ୍ରାର୍ଥୀ ହେବ ? ସମର୍ଥନ କେମିତି ହାସଲ କରାଯିବ ? ତାହା ଉପରୁ ଏଯାଏଁ ପରଦା ହଟିନି । ଏସବୁ ଭିତରେ ଦତ୍ତେଶ୍ୱରଙ୍କୁ ନାଁ ଘୋଷଣାକୁ ନେଇ ବିଜେଡ଼ି ଉପରେ ବର୍ଷିଛି ବିଜେପି ।
ଚତୁର୍ଥ ଆସନ ଦଖଲ ପାଇଁ ଶାସକ-ବିରୋଧୀଙ୍କ ମଧ୍ୟରେ ହେବ କଡ଼ା ଲଢ଼େଇ । ଶାସକ ଦଳ ପାଖରେ ସଂଖ୍ୟା ନାହିଁ, ବିରୋଧୀ କ୍ୟାମ୍ପ ଏବେଠୁ ଭାଗ ଭାଗ । ଏଭଳିସ୍ଥଳେ ଚତୁର୍ଥ ଆସନ କିଏ ହାତେଇବ ? ତାହା ସବୁଠୁ ବଡ ପ୍ରଶ୍ନ ।
Follow Us