କନକ ବ୍ୟୁରୋ : ବିଜେଡି ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସ୍ଥିତି ଅଣାୟତ ହେଉଥିବା ଲକ୍ଷ୍ୟ କରି ସଂଗଠନ ସଜାଡିବା ଆରମ୍ଭ କରିଛନ୍ତି ସୁପ୍ରିମୋ । ପୁରୁଣା ରୋଗରେ କଂଗ୍ରେସ ଆକ୍ରାନ୍ତ । ସମସ୍ତଙ୍କୁ ନେଇ କେମିତି ଆଗକୁ ଯିବେ, ଅକଳରେ ପଡ଼ିଛନ୍ତି ମୁଖିଆ । ଆଉ ଶାସନରେ ଥିବା କାରଣରୁ ଚାପରେ ବିଜେପି । ଅସନ୍ତୋଷ ରୋକି ସାଂଗଠନିକ କଳେବର ବୃଦ୍ଧି ଲାଗି ଦଳ ନେଉଛି ମପାଚୁପା ନିଷ୍ପତ୍ତି ।

Advertisment

ତିନି ପ୍ରମୁଖ ଦଳ ପାଇଁ ୨୦୨୬ ଗୁରୁତ୍ୱପୂର୍ଣ୍ଣ । ସବୁ ଦଳ ଭିତରେ ଅନ୍ତଃକନ୍ଦଳ । ମ୍ୟାନେଜ ପାଇଁ ଅଣ୍ଟା ଭିଡିଛନ୍ତି ମୁଖିଆ । ବିଜେଡି-କଂଗ୍ରେସର ତୃଣମୂଳସ୍ତରରର ନେତା ବିଷୋଦଗାର କଲେଣି । ତରତର ହୋଇ ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ମୁଆଁ ବାଣ୍ଟିବା ଆରମ୍ଭ କରିଛନ୍ତି । ଶନିବାର ୧୧ ଜିଲ୍ଲା କମିଟି ଘୋଷଣା ହୋଇଥିଲା । ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ : ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ! ଓଡ଼ିଶା ରାଜନୀତିରେ ବଡ଼ ହଲଚଲ

ବିଜେଡି ଗଡ଼ରେ ଧସେଇ ପଶୁଛି ବିଜେପି । ସମାନ୍ତରାଳ ଭାବେ ଛାମୁଆ ନେତାଙ୍କ ମନଜିଣିବା ଲାଗି ନୂଆବର୍ଷ ଭେଟି ବାଣ୍ଟିବା ଆରମ୍ଭ କରିଛି । ୨୩ଟି ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ସରିଛି । ଖୁବଶୀଘ୍ର ବାକି ଜିଲ୍ଲା ଦେବ । ସେହିପରି ବୋର୍ଡ, ନିଗମ ତାଲିକାରେ ଲାଗିପାରେ ମୋହର ।

କଂଗ୍ରେସ ୧୪୦ ପ୍ରତିଷ୍ଠା ଦିବସ ପାଳନ କରୁଛି । ଉପରେ ଯେତେ ଏକାଠି ଦେଖାଇ ହେଲେ ବି ଦଳକୁ ପିଛା ଛାଡ଼ିନି ପୁରୁଣା ରୋଗ । ନେତାଙ୍କ ମନ ମିଶୁନି । ଅନ୍ୟୋନପାୟ ହୋଇ ଦଳୀୟ କନ୍ଦଳକୁ ଚାପିବା ଲାଗି ଗଣମାଧ୍ୟମକୁ ନଯିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ପିସିସି । ଏଥିସହିତ ସମସ୍ତଙ୍କୁ କାମରେ ଲଗାଇବାକୁ ସରକାର ବିରୋଧୀ ରଣନୀତି ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସଭାପତି ।

ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂଗଠନ ଏବେ ସବୁ ଦଳ ପାଇଁ ଆହ୍ୱାନ । ଅନ୍ୟଥା ବିପର୍ଯ୍ୟୟ ବେଶି ଦୂର ନୁହେଁ ।