କନକ ବ୍ୟୁରୋ: ୧୪୭ରୁ ୨୦୦ ହୋଇପାରେ ଓଡ଼ିଶା ବିଧାନସଭାର ସିଟ୍ ସଂଖ୍ୟା । ଏନେଇ ବଡ଼ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଓଡ଼ିଶାରେ ନୂଆ ବିଧାନସଭା ଏବଂ ନୂଆ ଲୋକସେବା ଭବନ ନିର୍ମାଣ ହେବାକୁ ଯାଉଛି । ଆଉ ଏହି ନୂଆ ବିଧାନସଭା ତିଆରି ହେଲେ, ସେଥିରେ ୩ ଶହ ସଦସ୍ୟ ବସିବା ଭଳି ଜାଗା ରହିବ । ତେଣୁ ଏହି କଥା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ହେଉଥିଲା ଯେ, ବିଧାନସଭାର ସିଟ୍ ସଂଖ୍ୟା ବଢ଼ିପାରେ । ଆଉ ଏବେ ଏହି ସଂଖ୍ୟା ୧୪୭ରୁ ବୃଦ୍ଧି ପାଇ ୨ ଶହ ହେବ ବୋଲି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ତାଙ୍କ କହିବା ଅନୁସାରେ, ନୂଆ ବିଧାନସଭା ନିର୍ମାଣ କରାଯାଉଛି । ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ହିଁ ନୂଆ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣ ହେବ । ଏହାସହିତ ସୀମା ପୁନଃ ନିର୍ଦ୍ଧାରଣ ହେଲେ ଓଡ଼ିଶା ବିଧାନସଭା ସିଟ୍ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ସେ ସଙ୍କେତ ଦେଇଛନ୍ତି ।

Advertisment

ଆହୁରି ପଢ଼ନ୍ତୁ : ଭାରତର ଐତିହାସିକ ରେକର୍ଡ : ଦିନିକିଆରେ ୨୦ ଥର ୩୦୦ ପ୍ଲସ୍ ଲକ୍ଷ୍ୟ ହାସଲ

ସୂଚନାଯୋଗ୍ୟ ଯେ, ନିର୍ମାଣ ହେବାକୁ ଯାଉଛି ନୂଆ ବିଧାନସଭା ସହିତ ଲୋକସେବା ଭବନ । ଆଉ ଏହି ନୂଆ ବିଧାନସଭାରେ ବସିପାରିବେ ୩୦୦ରୁ ଅଧିକ ବିଧାୟକ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ମୁତାବକ, ନୂଆ ଲୋକସେବା ଭବନ ତିଆରି ହେବାର ଆବଶ୍ୟକତା ରହିଛି । ବିଭାଗର ସଂଖ୍ୟା, କର୍ମଚାରୀ ସଂଖ୍ୟା ବଢ଼ିଲାଣି, ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ଏନେଇ କାମ ଆରମ୍ଭ ହୋଇଥିଲା । ଏହିକ୍ରମରେ ରାଜ୍ୟର ନୂଆ ବିଧାନସଭା ଏବଂ ଲୋକସେବା ଭବନ ତିଆରି ହେବ । ଯେଉଁଥିରେ କି ୩ ଶହ ସଦସ୍ୟ ବସିପାରିବେ । ଗୋଟିଏ କ୍ୟାମ୍ପସରେ ହିଁ ଏହି ନୂଆ ଲୋକସେବା ଭବନ ସହିତ ରାଜ୍ୟ ବିଧାନସଭା ରହିବ ।