କନକ ବ୍ୟୁରୋ : ନୂଆ ଆଞ୍ଚଳିକ ଦଳ ଗଠନ ନେଇ ମୋକିମଙ୍କ ଇସାରା ପରେ ଓଡ଼ିଶା ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ । ଯୁବ ନେତୃତ୍ୱଙ୍କୁ ନେଇ ନୂଆ ଦଳର ଭବିଷ୍ୟତର ନକ୍ସା ଆଙ୍କିଛନ୍ତି ମୋକିମ । ପ୍ରଚ୍ଛଦପଟରେ ରହିଛନ୍ତି ଅନେକ ବଡ଼ ଚେହେରା । ହେଲେ ନୂଆ ଆଞ୍ଚଳିକ ଦଳ ହେଲେ ପୁରୁଣା ଦଳ କିଏ ଛାଡିବେ ତାହାକୁ ନେଇ ୩ ପ୍ରମୁଖ ଦଳ ମଧ୍ୟରେ ସନ୍ଦେହର ବାତାବରଣ ।

Advertisment

ନୂଆବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଗତ କିଛି ଦିନ ହେବ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ରାଜ୍ୟର ବରିଷ୍ଠ ନେତାଙ୍କ ସହ କବାଟକିଳା ବୈଠକ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ଜନ୍ମ ଦେଇଥିଲା । ଶନିବାର ଏହି ଚର୍ଚ୍ଚାକୁ ବଳ ଦେଇଛନ୍ତି ମୋକିମ । ସିଧାସଳଖ କହିଛନ୍ତି, ସୁଯୋଗ ଅପେକ୍ଷାରେ ଥିବା ଯୁବବର୍ଗ ଯୋଗାଯୋଗରେ ଅଛନ୍ତି । ବିଜେପି ଓ ବିଜେଡିର ବିକଳ୍ପ ଚାହୁଛି ଓଡ଼ିଶା । ମୋକିମଙ୍କ ସହ ସ୍ୱର ମିଳାଇ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ କାହିଁକି ନୂଆ ଦଳର ଆବଶ୍ୟକତା ପଡୁଛି ? ସେନେଇ ରାଜନୈତିକ ଦଳ ଆତ୍ମସମୀକ୍ଷା କରିବା ଦରକାର ।

ଅଧିକ ପଢ଼ନ୍ତୁ : ଓଡ଼ିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ: ବଡ଼ ସଙ୍କେତ ଦେଲେ ମୋକିମ

ନୂଆ ଆଞ୍ଚଳିକ ଦଳ ଗଠନ ପଛର ସୂତ୍ରଧର ସାଜିଛନ୍ତି ମୋକିମ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି । ୩ ଦଳର ଅସନ୍ତୁଷ୍ଟ କ୍ୟାମ୍ପ ନୂଆ ଆଞ୍ଚଳିକ ଦଳକୁ ନେଇ ଉତ୍ସାହିତ ଅଛନ୍ତି । ଜାନୁଆରିରେ ଯୁବଛାତ୍ରଙ୍କୁ ନେଇ ହେବ ବିଶାଳ ସମାବେଶ । ଏହି ସମାବେଶରେ ଶକ୍ତିପ୍ରଦର୍ଶନ ସହ ନୂଆ ଆଞ୍ଚଳିକ ଦଳର ପୁନାଦି ପଡିବା ନେଇ ଚର୍ଚ୍ଚା ବଢିଛି । ପିସିସି ସଭାପତି କହିଛନ୍ତି, ଅସନ୍ତୁଷ୍ଟ ମାନେ ଦଳ ଛାଡିଲେ କଂଗ୍ରେସ ପାଇଁ ଭଲ । ମୋକିମ ଦଳ ଗଠନ କରିପାରିବେ ହେଲେ ବିଜେଡି ଉପରେ ପ୍ରଭାବ ପଡିବନି ବୋଲି କହିଛନ୍ତି ଦେବୀ ମିଶ୍ର ।

ନୂଆ ଆଞ୍ଚଳିକ ଦଳ ଗଠନ ଆଗକୁ ଓଡ଼ିଶା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ।