କନକ ବ୍ୟୁରୋ : ମୋକିମ ଫାଉଣ୍ଡେସନ ସାମାଜିକ କାର୍ଯ୍ୟକ୍ରମ ଗଣ୍ଡିରୁ ବାହାରି ପ୍ରଥମଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିଛି । ଯୁବ ସମାବେଶ ଜରିଆରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଯୁବବର୍ଗଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ହେଲେ ଝିଅ ସୋଫିଆଙ୍କୁ ଛାଡିଦେଲେ ନିମନ୍ତ୍ରଣ ପାଇଥିବା ଅନ୍ୟ ଯୁବ ନେତୃତ୍ୱ ମୋକିମଙ୍କ ସାଥିରେ ଯାଇନାହାନ୍ତି ।

Advertisment

ମୋକିମ ଫାଉଣ୍ଡେସନର ଯୁବ ସମାବେଶ ଓଡ଼ିଶା ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି । ନୂଆ ଆଞ୍ଚଳିକ ଦଳ ପାଇଁ ପଡ଼ିଛି ମୁଳଦୂଆ । ଯୁବ ସମାବେଶ ଜରିଆରେ ଅନୁଭବୀ ନେତା ନୁହେଁ ବରଂ ନବାଗତଙ୍କୁ ନେଇ ଆଗକୁ ବଢିବାକୁ ଚାହିଁଛନ୍ତି ମୋକିମ । ଏହି କ୍ରମରେ ଅତିଥି ଭାବେ ଅନେକ ଯୁବ ଚେହେରାଙ୍କ ସହଯୋଗ ଲୋଡିଥିଲେ ମଧ୍ୟ ଝିଅକୁ ଛାଡ଼ିଦେଲେ ସାଥ୍ ଦେବାକୁ କେହି ଆସିନଥିଲେ । ପ୍ରଥମ କାର୍ଯ୍ୟକ୍ରମରୁ ହିଁ ମଞ୍ଚରେ ନିରାଶ ହୋଇଛନ୍ତି ମୋକିମ । ହେଲେ ମନୋବଳ ହାରିନାହାନ୍ତି । ସମର୍ଥନରେ ଥିବା ଯୁବ ନେତୃତ୍ୱଙ୍କ ତାଲିକା ହାତେଇବା ସହ କହିଛନ୍ତି, କିଛି ନୂଆ କରିବାକୁ ଯୁବବର୍ଗଙ୍କୁ ଗଣ୍ଡି ଠାରୁ ଅଲଗା ହେବାକୁ ପଡ଼ିବ । ଓଡ଼ିଶା ବିକଳ୍ପ ଚାହୁଛି, ଯୁବବର୍ଗ ରିସ୍କ ନେଇ ଆଗକୁ ବଢ଼ନ୍ତୁ । ସମ୍ବଳ ଓ ସାହସ ଦେଇ ପ୍ରତିବଦଳରେ ଦୃଢ ସଙ୍ଗଠନ ପାଇଁ ସହଯୋଗ ମାଗିଛନ୍ତି ମୋକିମ ।

ଅଧିକ ପଢ଼ନ୍ତୁ : ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ : ମହମ୍ମଦ ମୋକିମ୍

ବିକଶିତ ଓଡ଼ିଶା ଗଠନ ପାଇଁ ମୋକିମ ଦେଇଛନ୍ତି ଲଢେଇର ଡାକରା । କଂଗ୍ରେସରେ ଥାଇ ସୁଦ୍ଧା ବାପାଙ୍କ ସହ ଲଢେଇରେ ସାମିଲ ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ଝିଅ ସୋଫିଆ । ସିଧାସଳଖ କହିଛନ୍ତି, ବାପା ଆଗକୁ ବଢିଲେ କେହି ଅଟକାଇପାରିବେନି । କିନ୍ତୁ ପ୍ରଶ୍ନ ଉଠୁଛି, କଟକ-ବାରବାଟୀରେ କାହା ସହିତ ରହିବେ କର୍ମୀ ? ଝିଅ ସୋଫିଆଙ୍କ ପାଇଁ ଆଗକୁ ସୃଷ୍ଟି ହେବନି ତ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ?

ନୂଆ ଦଳ ଗଠନ ପାଇଁ ମୋକିମଙ୍କ ହାତରେ ୨ ମାସର ସମୟ । ଏହି ଅବଧିରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ମୋକିମ । ହେଲେ ଝିଅ ସୋଫିଆ ପ୍ରତି କାର୍ଯ୍ୟକ୍ରମରେ ବାପାଙ୍କ ସାଥ୍ ଦେବେ ତ ? ଦଳୀୟ ବିଧାୟିକା ଭାବେ ଅଙ୍କୁଶ ଲଗାଇବନି ତ କଂଗ୍ରେସ ? ଅନ୍ୟ ଯୁବ ନେତୃତ୍ୱ ମୋକିମଙ୍କ ସହ ଯୋଡ଼ି ହେବେ ତ ?

ସେପଟେ ମୋକିମଙ୍କ ନୂଆ ଦଳ ଗଠନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । କହିଛନ୍ତି, ନୂଆ ଦଳ ଗଠନ କରିବାକୁ ସମସ୍ତେ ସ୍ୱତନ୍ତ୍ର । ଏଥିରେ କେହି କାହାରିକୁ ରୋକିପାରିବେ ନାହିଁ । ତେବେ ଯିଏ ଶାସକ ଦଳକୁ ଉଚିତ ଜବାବ ଦେଇପାରିବ, ସିଏ କେବେବି କଂଗ୍ରେସ ଛାଡ଼ିବ ନାହିଁ ବୋଲି କହିଛନ୍ତି ଭକ୍ତ ।