'ବାପାଙ୍କ ନିଷ୍ପତି ଠିକ୍, ମାଟିକୁ ଗୁରୁତ୍ଵ ଦେଇ ଓଡ଼ିଆ ଅସ୍ମିତାକୁ ବାଛିଥିଲେ'

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧାନସଭାକୁ ଆସୁଥିବା ବେଳେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବଡ ବୟାନ ଦେଇଛନ୍ତି । କହିଛନ୍ତି, ବାପା ଓଡ଼ିଆ ଅସ୍ମିତା ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ ।

Sofia Firdous 1

Sofia Firdous 1 Photograph: (Kanak News)

କନକ ବ୍ୟୁରୋ : ପ୍ରଥମଥର ପାଇଁ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି, ଦଳ କହିଥିଲା ଭୁଲ, ବାପା ନେଇଥିବା ନିଷ୍ପତି ଠିକ୍ ଥିଲା । କାରଣ ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳ ବିରୋଧରେ ମତଦାନ କରିଥିଲେ ପୂର୍ବତନ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ୍‌ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧାନସଭାକୁ ଆସୁଥିବା ବେଳେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବଡ ବୟାନ ଦେଇଛନ୍ତି । କହିଛନ୍ତି, ବାପା ଓଡ଼ିଆ ଅସ୍ମିତା ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ । ଦଳ ପକ୍ଷରୁ କୌଣସି ହୁଇପ୍ ଜାରି ହୋଇନଥିଲା । ଇଚ୍ଛା ଅନୁସାରେ ଭୋଟ୍ ଦେବାକୁ କୁହାଯାଇଥିଲା । ବାପା ମାଟିକୁ ଗୁରୁତ୍ଵ ଦେଇ ଓଡ଼ିଆ ଅସ୍ମିତାକୁ ବାଛିଥିଲେ ।

ସେତେବେଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚାକୁ ଆସିଥିଲେ ମହମ୍ମଦ ମୋକ୍କିମ । ଏପରିକି କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ନୂଆପଡ଼ା ଉପ-ନିର୍ବାଚନ ପରେ ଭକ୍ତଙ୍କ ବୀଭିଷଣ ଉପାଖ୍ୟାନକୁ ନେଇ ପିସିସି ସଭାପତିଙ୍କୁ ଟାର୍ଗେଟ କରିଥିଲେ ମୋକ୍କିମ । ଏଭଳି ସୋଫିଆଙ୍କ ବୟାନ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ : ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ

ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ପ୍ରଥମଥର ପାଇଁ ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ କୌଣସି ରାଷ୍ଟ୍ରପତି ବିଧାନସଭାରେ ଉଦବୋଧନ ଦେଇନଥିଲେ । ତେଣୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ସମସ୍ତ ବିଧାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି ।

ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି । ଅପରାହ୍ଣ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବିଧାନସଭା ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠରେ ବସୁଥିଲେ । ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି କିଛି ସମୟ ବିତାଇ ପୁରୁଣା ସ୍ମୃତିକୁ ଯେପରି ମନେ ପକାଇବେ ସେଥିପାଇଁ ଏହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଛି । ବିଧାନସଭାରେ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ରାଜଭବନ ଫେରି ରାଜ୍ୟପାଳଙ୍କ ସ୍ୱତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବେ । ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦୦ ଅଫିସର ଓ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe