କନକ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ । ପ୍ରଥମଥର ପାଇଁ ବିଧାନସଭାରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ କୌଣସି ରାଷ୍ଟ୍ରପତି ବିଧାନସଭାରେ ଉଦ୍‌ବୋଧନ ଦେଇନଥିଲେ । ତେଣୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ସମସ୍ତ ବିଧାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି । ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ।  ତେବେ ବିଧାନସଭାରେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ ଧର୍ମେନ୍ଦ୍ର ପ୍ରଧାନ । ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି । ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ ଏବଂ ଅପରାହ୍ଣ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାକୁ ସମ୍ବୋଧିତ କରିବେ ।  

Advertisment

ଅଧିକ ପଢନ୍ତୁ : ଓଡ଼ିଶା ବିଧାନସଭା ଇତିହାସ ପାଇଁ ସବୁଠାରୁ ବଡ଼ ଦିନ,  ପ୍ରଥମଥର ବିଧାନସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବିଧାନସଭା ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠରେ ବସୁଥିଲେ । ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି କିଛି ସମୟ ବିତାଇ ପୁରୁଣା ସ୍ମୃତିକୁ ଯେପରି ମନେ ପକାଇବେ ସେଥିପାଇଁ ଏହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଛି । ବିଧାନସଭାରେ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ରାଜଭବନ ଫେରି ରାଜ୍ୟପାଳଙ୍କ ସ୍ବତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବେ । ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦୦ ଅଫିସର ଓ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।