କନକ ବ୍ୟୁରୋ : ମଣ୍ଡି ଯନ୍ତ୍ରଣାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଚଳିତବର୍ଷ ଆରମ୍ଭରୁ ଲାଗି ରହିଛି ସମସ୍ୟା । ବିଳମ୍ବରେ ମଣ୍ଡି ଖୋଲିବା ଠାରୁ ଆରମ୍ଭ କରି ଟୋକେନ ସମସ୍ୟା, କଟନିଛଟନି, ଟାର୍ଗେଟକୁ ନେଇ ବିବାଦ ଲାଗିଛି । ମିଲରଙ୍କ ମନମାନିରେ ବ୍ରେକ୍ ଲାଗୁନି । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପରେ ଆଜି କମିଛି ବିଧାନସଭା ।

Advertisment

ଚାଲି ପାରିଲାନି ବଜେଟ୍ ଅଧିବେଶର ଦ୍ୱିତୀୟ ଦିନ । ଧାନମଣ୍ଡି ସମସ୍ୟାକୁ ନେଇ ସଡ଼କ ପରେ ବିଧାନସଭାରେ ଗର୍ଜିଛନ୍ତି ବିଜେଡି ଓ କଂଗ୍ରେସ ସଦସ୍ୟ । ମୁଣ୍ଡରେ ଧାନବସ୍ତା ମୁଣ୍ଡାଇ ଗୃହକୁ ଆସି ପ୍ରତିବାଦ ଜଣାଇଛନ୍ତି ବିଜେଡି ବିଧାୟକ । ମଧ୍ୟଭାଗରେ ଧାନବସ୍ତା ରଖି ହୋହଲ୍ଲା କରିଛନ୍ତି । ବ୍ୟାନର ଦେଖାଇ ନାରାବାଜି କରିଛନ୍ତି । ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳର ସଦସ୍ୟ । ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ : ଉଠୁନି ଧାନ, ତାତିଲେ ଚାଷୀ; ମଣ୍ଡିରେ ପଡ଼ିଲା ତାଲା

ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା ଏମିତି ଦୃଶ୍ୟ । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରତିଥର ହୋହଲ୍ଲା କରିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୁଲତବୀ କରିଥିଲେ ବାଚସ୍ପତି । ସ୍ଥିତି ଏମିତି ହୋଇଥିଲା ଯେ ଦିନକ ଭିତରେ ମାତ୍ର ୭ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ଏହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।

ରାଜ୍ୟର ହଜାର ହଜାର ଚାଷୀ ଏବେ ବି ଧାନ ବିକିବାକୁ ଅପେକ୍ଷା କରି ରହିଛନ୍ତି । କେଉଁଠି ମିଲରଙ୍କ ମନମାନି ଯୋଗୁଁ ଧାନ ଉଠୁନି ତ ଆଉ କେଉଁଠି ଟୋକନକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀ । ପ୍ରତିବାଦରେ ଜିଲ୍ଲାସ୍ତରରେ ଚାଷୀ ଓ ବିଭିନ୍ନ ସଂଗଠନ ଆନ୍ଦୋଳନ କରି ଆସୁଛନ୍ତି ।

ଚାଷୀଙ୍କୁ ମିଳୁନି ୮୦୦ଟଙ୍କାର ଇନପୁଟ ସବସିଡି । ଏହି ହିସାବ ଗୃହରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କେନ୍ଦ୍ର ୨୩୬୯ରେ ଧାନ କିଣୁଛି । ରାଜ୍ୟ ସରକାର ଦେଉଛନ୍ତି ୭୩୧ରେ । ଯାହା ସ୍ପଷ୍ଟ କରୁଛି ଯେ ରାଜ୍ୟ ସରକାର ୮୦୦ଟଙ୍କା ବଦଳରେ ୭୩୧ଟଙ୍କା ସବସିଡି ଦେଉଛନ୍ତି । ଯଦି ୮୦୦ଟଙ୍କା ଦେଇଥାନ୍ତେ, ତେବେ ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର । ଚାଷୀ ପାଇଥାନ୍ତେ ଅତିରିକ୍ତ ୬୯ଟଙ୍କା । ବିଜେପିର ନିର୍ବାଚନ ପ୍ରତିଶ୍ରୁତିରେ ଚାଷୀଙ୍କୁ ୮୦୦ ଟଙ୍କା ଦେବାକୁ ଉଲ୍ଲେଖ କରିଥିଲା ଓ ସେମାନେ ଏହା ପୂରଣ କରିଥିବା ଦାବି ବି କରୁଥିଲେ । ମାତ୍ର ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି ବୋଲି ବିରୋଧୀ କହିଛନ୍ତି ।