କନକ ବ୍ୟୁରୋ : ଧାନ ଅମଳ ପରେ ବଢ଼ି ଯାଇଛି ଚାଷୀଙ୍କ ଦୁଃଖ । ସମୟ ଗଡୁଥିଲେ ବି ଚାଷୀଙ୍କ କଷ୍ଟ ସରୁନାହିଁ । କେଉଁଠି ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କଲେଣି ତ କେଉଁଠି ମଣ୍ଡିରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଚାଷୀ । ସମସ୍ୟାର ସମାଧାନ ନହେଲେ ଆଗକୁ ପ୍ରତିବାଦ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ।

Advertisment

ବାଲେଶ୍ୱର ବସ୍ତାରେ ଆନ୍ଦୋଳନରୁ ହଟିବାକୁ ନାରାଜ ଚାଷୀ । ରାସ୍ତାରେ ଶୋଇ କରୁଛନ୍ତି ପ୍ରତିବାଦ । ରାମନଗର ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ ଧାନ ରଖି ରାଜଘାଟ ଜଳେଶ୍ଵର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଚାଷୀଙ୍କ ଅଭିଯୋଗ ୪୬୪ ଜଣ ପଞ୍ଜିକୃତ ହୋଇଥିଲେ ବି ମାତ୍ର ୯୭ ଜଣଙ୍କ ଠାରୁ ଧାନ କିଣା ଯାଇଛି । ଏଥି ସହ ଧାନ ଦେବାର ନିର୍ଦ୍ଦିଷ୍ଟ ଅର୍ଥ ମଧ୍ୟ ଜମା ଖାତାରେ ପୈଠ ହୋଇନି । ଆଉ ଏ ହେଉଛି କେନ୍ଦ୍ରାପଡ଼ା ଓସ୍ତପୁର ଧାନ ମଣ୍ଡିର ଦୃଶ୍ୟ । ଧାନ ଉଠୁନଥିବାରୁ ଉତ୍ତ୍ୟକ୍ତ ଚାଷୀ ମଣ୍ଡିରେ ତାଲା ପକାଇ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ମଣ୍ଡିରେ ପଡିରହିଛି ହଜାର କୁଇଣ୍ଟାଲ ଧାନ ; ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ

ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ବି ଧାନମଣ୍ଡିରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଚାଷୀ । କଟନିଛଟନି ଓ ଧାନବସ୍ତା ଅର୍ଥରେ ଅନିୟମିତତା ହେଉଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଆଉ ଚାଷୀଙ୍କ ଅଭିଯୋଗ ପରେ ଅଚାନକ ମଣ୍ଡିରେ ପହଞ୍ଚି ଯାଇଥିଲେ ଜିଲ୍ଲାପାଳ । ମଣ୍ଡିରେ ବ୍ୟାପକ ଅନିୟମିତା ହେଉଥିବା ଚାଷୀ ଅଭିଯୋଗ କରିଥିଲେ । ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ଯୋଗାଣଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଆଉ ଏହାରି ଭିତରେ ଆଜି ରାଜଧାନୀରେ ଅଭିନବ ଢଙ୍ଗରେ ଆନ୍ଦୋଳନ କରିଛି ନବନିର୍ମାଣ କୃଷକ ସଂଗଠନ । ବିଧାନସଭା ସାମ୍ନାରେ ଧାନ ବସ୍ତା ପକାଇ ପ୍ରତିବାଦ କରାଯାଇଛି । ମଣ୍ଡିରେ ଧାନ ଉଠାଣରେ ବିଳମ୍ବ, କଟନି-ଛଟନିରେ ଅନିୟମିତତା ଓ ସର୍ବନିମ୍ନ ସହାୟତା ମୂଲ୍ୟ ପାଇବାରେ ବିଳମ୍ବ ଯୋଗୁଁ ଚାଷୀ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି ।