bihar-youngest-mla Photograph: (Kanak News)
କନକ ବ୍ୟୁରୋ : ମୈଥିଳୀ ଠାକୁର..ବିହାର ବିଧାନସଭା ନିର୍ବାଚନର ଅନ୍ୟତମ ଚର୍ଚ୍ଚିତ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ଜିତିଲେ ଓ ରାଜ୍ୟର ସର୍ବକନିଷ୍ଠ ବିଧାୟିକା ହେଲେ । ରିୟଲଟି ସୋ’ରୁ ରାଜନୀତି, ବେଶ୍ ରୋମାଞ୍ଚକର ୨୫ ବର୍ଷ ବୟସ୍କା ମୈଥିଳୀଙ୍କ ଯାତ୍ରା ।
ବିହାର ବିଧାନସଭା ନିର୍ବାଚନରେ ଏଥରକ ଅଲ୍ଲୀ ନଗର ଆସନ ବେଶ୍ ଚର୍ଚ୍ଚାରେ ଥିଲା । ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିଲେ ପ୍ରସିଦ୍ଧ ଲୋକଗୀତ ଗାୟିକା ମୈଥିଳୀ ଠାକୁର । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଲେ, ଆଉ ୧୧ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତି ସର୍ବକନିଷ୍ଠ ବିଧାୟିକା ହେଲେ । କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ବହୁ ସଂଘର୍ଷ, ପରିଶ୍ରମ ଓ ପ୍ରତ୍ୟାଖ୍ୟାନ ପରେ ସଫଳତା ପାଇଥିବା ମୈଥିଳୀ ମାତ୍ର ୪ ବର୍ଷ ବୟସରୁ ସଂଗୀତ ଦୁନିଆରେ ପାଦ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶଂସକଙ୍କ ମନ ଜିତିଥିଲେ ମୈଥିଳୀ ଠାକୁର । ଲୋକପ୍ରିୟ ରିଲିଟି ସୋ’ ଇଣ୍ଡିଆନ ଆଇଡଲ ଓ ସାରେଗାମାପା ଲିଟିଲ ଚାମ୍ପରେ ବିଫଳ ହୋଇଥିଲେ ବି ନିରାଶ ନହୋଇ ଆଗକୁ ବଢ଼ିଥିଲେ ।
ଅଧିକ ପଢ଼ନ୍ତୁ : Bihar News: ବିହାରରେ ନୀତୀଶ ସରକାର;ଏମାନେ ହେବେ ମନ୍ତ୍ରୀ !
ରାଇଜିଂ ଷ୍ଟାର ସୋ’ରୁ ଆରମ୍ଭ ହୋଇଥିଲା ମୈଥିଳୀଙ୍କ ସଫଳତାର ଯାତ୍ରା । ପରେ ସାନଭାଇ ସହ ମିଶି ଅନଲାଇନ କଣ୍ଟେନରେ ଭାଗ୍ୟ ଆପଣାଇଥିଲେ ଓ କ୍ରମଶଃ ସଫଳତାର ରେସରେ ଯୋଡି ହୋଇଥିଲା ତାଙ୍କ ନାଁ । ଅକ୍ଟୋବର ମାସରେ ମଧୁବନୀର ଏହି ଲୋକପ୍ରିୟ ଗାୟିକାଙ୍କ ଜୀବନରେ ଆସିଥିଲା ନୂଆମୋଡ଼ । ପ୍ରତିଭାଶାଳୀ କଣ୍ଠଶିଳ୍ପୀଙ୍କୁ ଦଳରେ ସାମିଲ କରିବା ସହ ଅଲ୍ଲୀନଗର ଆସନ ପାଇଁ ଟିକେଟ ଦେଇଥିଲା ବିଜେପି । ବିଜେପି ହୁଏତ ଅନୁମାନ କରିସାରିଥିଲା, ଶାନ୍ତ ସ୍ୱଭାବ ଓ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ ମୈଥିଳୀ ଯୁବ ଭୋଟରଙ୍କୁ ଆକୃଷ୍ଟ କରିପାରିବେ । ଯାହା ସତ ପ୍ରମାଣିତ ହୋଇଛି । ଜନତାଙ୍କ ଗହଣକୁ ଯାଇ ତୃଣମୂଳ ସମସ୍ୟା ବୁଝି ବିଶ୍ୱାସଭାଜନ ହୋଇଥିବା ମୈଥିଳୀଙ୍କୁ ପ୍ରଥମ ସୁଯୋଗରେ ବିଜୟୀ କରିଛନ୍ତି ବିହାର ଜନତା ।
Follow Us