କନକ ବ୍ୟୁରୋ : ସୁଭାସପା ଏବଂ ଓପି ରାଜଭରଙ୍କ ହାତ ଛାଡ଼ି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମଞ୍ଚରେ ନଜର ଆସିଥିବା ମହେନ୍ଦ୍ର ରାଜଭରଙ୍କ ମାଡ଼ ଖାଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ନଜର ଆସୁଛି ଯେ ଜଣେ କର୍ମକର୍ତ୍ତା ପ୍ରଥମେ ଭାଷଣ ଦେଉଛନ୍ତି ଏବଂ ପରେ ତାଙ୍କୁ ମାଳା ପିନ୍ଧାଉଛନ୍ତି । ଏହାପରେ ସେ ମହେନ୍ଦ୍ର ରାଜଭରଙ୍କ ଉପରେ ଚାପୁଡ଼ାର ବର୍ଷା କରୁଛନ୍ତି । ଉପସ୍ଥିତ ଲୋକ କେହି କିଛି ବୁଝିବା ପୂର୍ବରୁ ଉକ୍ତ ବ୍ୟକ୍ତିଜଣକ ରାଜଭରଙ୍କ ଗାଲରେ ଚାପୁଡ଼ା ଉପରେ ଚାପୁଡ଼ା ମାରୁଛନ୍ତି । 

Advertisment

ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ଛାଡ଼ିବା ପରେ ମହେନ୍ଦ୍ର ରାଜଭର ନିଜ ନୂଆ ପାର୍ଟି ତିଆରି କରିଥିଲେ । ଯାହାକୁ ସେ ସୁହେଲଦେବ ସ୍ବାଭିମାନ ପାର୍ଟିର ନାଁ ଦେଇଥିଲେ । ନିକଟରେ ସେ ଅଖିଳେଶ ଯାଦବଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଥିଲେ । ଏବେ ତାଙ୍କ କର୍ମକର୍ତ୍ତାଙ୍କ ଦ୍ବାରା ହିଁ ତାଙ୍କୁ ମାଡ଼ର ବର୍ଷା କରାଯାଇଛି । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଚାପୁଡ଼ା ମାରିବା ପୂର୍ବରୁ ବ୍ୟକ୍ତିଜଣକ କହିଥିଲେ ଯେ ‘ଯେତେବେଳେ ଆମ ସରକାର ସତ୍ତାକୁ ଆସିଲେ ଲୋକସଭା ଏବଂ ବିଧାନସଭାକୁ ତାଙ୍କ ପରିଜନଙ୍କୁ ହିଁ ପଠାଇଲେ ଆମର ଚିହ୍ନବର୍ଣ୍ଣ କେଉଁଠି କିଛି ଦେଖାଗଲାନି । ଏମାନେ କେବଳ ସୁହେଲଦେବ ଜୀଙ୍କ ନାଁକୁ ବିକ୍ରି କରୁଛନ୍ତି । ଏଭଳି ଲୋକ ସମାଜକୁ କେବଳ ଲୁଟିବାର ଜାଣିଛନ୍ତି । ଏମିତି ଲୋକଙ୍କୁ ଆମେ ତ୍ୟାଗ କରୁଛୁ ।’ ଏହାପରେ ବ୍ୟକ୍ତିଜଣକ ମହେନ୍ଦ୍ର ରାଜଭରଙ୍କୁ ମାଳା ପିନ୍ଧାଇ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ । ତେବେ ସେଠାରେ ଉପସ୍ଥିତ ଥିବା ଲୋକ ମହେନ୍ଦ୍ରଙ୍କୁ ମାଡ଼ ଖାଇବାରୁ ବଞ୍ଚାଇଥିଲେ ।