କନକ ବ୍ୟୁରୋ : ନିକଟରେ ଶେଷ ହୋଇଛି IPL ୨୦୨୫ । ୧୮ ବର୍ଷର ଦୀର୍ଘ ଅପେକ୍ଷା ପରେ IPL ଟ୍ରଫି ଉଠାଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ । ଆରସିବିର ବିଜୟକୁ ପାଳନ କରିବା ପାଇଁ ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ବିଜୟ ଉତ୍ସବ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇଥିଲେ । ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପାଇଁ ଭିଡ଼କୁ ସମ୍ଭାଳିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଥିଲା । ଦେଖୁ ଦେଖୁ ଆରସିବିର ପ୍ରଶଂସକଙ୍କ ଭିଡ଼ ଅସମ୍ଭାଳ ହେଲା ଏବଂ ଦଳାଚକଟା ହେବା ଆରମ୍ଭ ହୋଇଗଲା । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । କର୍ଣ୍ଣାଟକର ହାସନ ଜିଲ୍ଲାର ବାସିନ୍ଦା ବିଟି ଲକ୍ଷ୍ମଣଙ୍କ ୨୧ ବର୍ଷର ଏକମାତ୍ର ପୁଅ ଭୂମିକ ଲକ୍ଷ୍ମଣ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଭାଗ୍ୟର ବିଷୟ ଦଳାଚକଟାରେ ଆଖି ବୁଜିଛନ୍ତି ଭୂମିକ । ତେବେ ଭୂମିକଙ୍କ ବାପାଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ପୁଅର କବରକୁ ଜାବୁଡ଼ି ଧରି ବାପା କାନ୍ଦୁଥିବାର ଦେଖିବାକୁ ମିଳୁଛି । ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ବାପା କାନ୍ଦି କାନ୍ଦି କହୁଛନ୍ତି ଯେ ତାଙ୍କ ଏକୋଇର ବଳା ପୁଅର କବର ପାଖରେ ରହିବାକୁ ଦିଆଯାଉ । କିଛି ଲୋକ ପୁଅକୁ ହରାଇଥିବା ବାପାଙ୍କୁ କବରରୁ ହଟାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବାପା କାନ୍ଦି କାନ୍ଦି କହୁଛନ୍ତି , ‘ମୁଁ ମୋ ପୁଅ ପାଖରେ ରହିବାକୁ ଚାହୁଛି , ଦୟାକରି ମୋତେ ଏଠାରେ ରହିବାକୁ ଦିଅ ।’ ହୃଦୟ ବିଦାରକ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବେଙ୍ଗାଲୁରୁ ଦୁର୍ଘଟଣାର ଭୟାବହତା ଏବଂ ଗମ୍ଭୀରତାକୁ ସହଜରେ ଅନୁମାନ କରାଯାଇପାରେ । ଭେଣ୍ଡିଆ ପୁଅର କବର ଉପରେ ବିଳାପ କରୁଥିବା ବାପା କହୁଛନ୍ତି , ‘ମୋ ପୁଅ ସହିତ ଯାହା ଘଟିଲା ତାହା କାହା ସହିତ ନଘଟୁ ।’ ପୁଅକୁ ହରାଇଥିବା ଜଣେ ବାପାର ଆଖିର ଲୁହ ଦେଖି ପଡ଼ୋଶୀ ମଧ୍ୟ କୋହ ସମ୍ଭାଳି ନପାରି କାନ୍ଦି ପକାଉଛନ୍ତି ।
ହୃଦୟ ବିଦାରକ କଥା ହେଉଛି ବିଟି ଲକ୍ଷ୍ମଣ ନିଜ ପୁଅ ଭୂମିକର ଭବିଷ୍ୟତ ପାଇଁ ଯେଉଁ ଜମି କିଣିଥିଲେ ଏବେ ସେହି ଜମିରେ ହିଁ ତାଙ୍କୁ କବର ଦିଆଯାଇଛି । ପୁଅକୁ କବର ଦେବା ପରେ ବାପାଙ୍କ ଏଭଳି ଅବସ୍ଥାକୁ ଦେଖି ଯେ କେହିବି କାନ୍ଦି ପକାଇବେ । ଇଞ୍ଜିନିୟରିଂ ଶେଷ ବର୍ଷର ଛାତ୍ର ଭୂମିକ ଚିନ୍ନାସ୍ବାମୀ ଷ୍ଟାଡିୟମରେ RCB ର ବିଜୟ ଉତ୍ସବ ଦେଖିବାକୁ ଯାଇ ଶବ ହୋଇ ଫେରିଥିଲେ । ଏହି ଦୁର୍ଘଟଣା ପରେ ବିଟି ଲକ୍ଷ୍ମଣ ସରକାରଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କ ପୁଅର ଶବବ୍ୟବଚ୍ଛେଦ ନ କରାଯାଉ । ଲକ୍ଷ୍ମଣ କହିଥିଲେ ‘ମୋର ଗୋଟିଏ ବୋଲି ପୁଅ ଥିଲା , ଯାହାକୁ ମୁଁ ହରାଇ ଦେଇଛି । ଦୟାକରି ଶବ ବ୍ୟବଚ୍ଛେଦ ନ କରି ମୋତେ ମୋ ପୁଅର ଶବ ଦେଇଦିଅନ୍ତୁ । ମୋ ଧନର ଶରୀରକୁ ଖଣ୍ଡ ଖଣ୍ଡ କରନ୍ତୁ ନାହିଁ । ସରକାର ପୀଡ଼ିତଙ୍କୁ ଭେଟି ପାରିବେ କିନ୍ତୁ ଆମ ପିଲାଙ୍କୁ ଫେରାଇ ପାରିବେ କି ?’ ସୋସିଆଲ୍ ମିଡିଆରେ ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ୟୁଜର୍ସ ନିଜର ଦୁଃଖବ୍ୟକ୍ତ କରିଛନ୍ତି ।