BHADRAK BJD Photograph: (KANAK NEWS)
କନକ ବ୍ୟୁରୋ: ଭଦ୍ରକରେ ଦୁର୍ବଳ ହେଉଛି କି ବିଜେଡି? ଭୁଶୁଡ଼ିଯିବ କି ଭଦ୍ରକ ବିଜେଡି? ଏ ପ୍ରଶ୍ନ ଏବେ ଏଥିପାଇଁ ଉଠୁଛି, କାରଣ ଭଦ୍ରକ ବିଜେଡିର ଗୋଟିଏ ପରେ ଗୋଟିଏ ନେତା ଶାସକ ଦଳ ମୁହାଁ ହେଉଛନ୍ତି। କିଛି ଦିନ ତଳେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବିଜେପିରେ ମିଶିବା ପରେ ଏବେ ଆଉ ତିନି ହେଭିୱେଟ୍ ନେତା ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ନୂଆବର୍ଷରେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଆହୁରି ପଢ଼ନ୍ତୁ : ନିତିନ ନବୀନଙ୍କ ନୂଆ ଟିମରେ କିଏ? ଏହି ତିନି ନେତାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ
ତେବେ ମଞ୍ଜୁଲତା ମଣ୍ଡଳ ସାଂସଦ ରହିଆସିଥିବା ବେଳେ ମୁକ୍ତିକାନ୍ତ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ସୁସମ୍ପର୍କ ରଖି ଭଦ୍ରକବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିଛନ୍ତି। ଏପରିକି କେନ୍ଦ୍ରୀୟ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମଧ୍ୟ ବେଶ ଭଲ ସମ୍ପର୍କ ରଖିଛନ୍ତି ମୁକ୍ତିକାନ୍ତ। ଆଉ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ପରେ ଏବେ ସବୁଠୁ ଚର୍ଚ୍ଚା। କୁହାଯାଉଛି, ଏହି ତିନି ବିଜେଡି ନେତା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଆଲୋଚନା କରିଛନ୍ତି। ଆଉ ବିଜେପିରେ ସାମିଲ ହେବା ନେଇ ମଧ୍ୟ ସବୁଜ ସଙ୍କେତ ଦେଇସାରିଛନ୍ତି। କେବଳ ମିଶ୍ରଣ ପର୍ବ ପାଇଁ ତାରିଖ ଧାର୍ଯ୍ୟ ବାକି ରହିଛି।
ତେବେ ଏସବୁ ଚର୍ଚ୍ଚା ଭିତରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ କହିଛନ୍ତି ଯେ, ସମୟ ଆସିଲେ, ସବୁ ଜଣାପଡ଼ିବ। ଆଗାମୀ ଦିନରେ କ’ଣ ନିଷ୍ପତ୍ତି ନେବି, ମୁଁ ଗଣମାଧ୍ୟମକୁ ଜଣାଇଦେବି।
Follow Us