କନକ ବ୍ୟୁରୋ: ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ବନିଛନ୍ତି ନିତିନ ନବୀନ । ବିହାର ସରକାରରେ ମନ୍ତ୍ରୀ ଥିବା ନିତିନ ନବୀନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେପି । କାହିଁକି ନିତିନ ନବୀନଙ୍କ ବୟସ ମାତ୍ର ୪୫ ବର୍ଷ ହେଇଥିବାବେଳେ, ବିଜେପି ଏବେ ନୂଆ ପିଢ଼ିର ନେତାଙ୍କୁ ଦାୟିତ୍ୱ ଦେବା ଆରମ୍ଭ କରିଛି । ତେବେ ନିତିନ ନବୀନଙ୍କୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ମିଳିବା ପରେ, କୁହାଯାଉଛି ଖୁବଶୀଘ୍ର ସେ ନିଜର ନୂଆ ଟିମ୍ ଗଠନ କରିପାରନ୍ତି । ମିଳିଥିବା ସୂଚନା ମୁତାବକ, ନିତିନ ନବୀନଙ୍କ ଏହି ଟିମରେ କିଛି ଯୁବ ଚେହେରାଙ୍କୁ ସାମିଲ କରାଯାଇପାରେ ।

Advertisment

ବିପ୍ଲବ କୁମାର ଦେବ

ତ୍ରିପୁରାର ମୁଖ୍ୟମନ୍ତ୍ରୀ ରହିସାରିଥିବା ୫୪ ବର୍ଷୀୟ ବିପ୍ଲବ କୁମାର ଦେବ ଏବେ ଲୋକସଭା ସାଂସଦ ଅଛନ୍ତି । ଏହା ପୂର୍ବରୁ ସେ ରାଜ୍ୟସଭା ସାଂସଦ ଥିବାବେଳେ, ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ତ୍ରିପୁରାର ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପୂର୍ବରୁ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ ତ୍ରିପୁରା ବିଜେପିର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଖାଲି ସେତିକି ନୁହେଁ ତା ସହିତ ସେ ହରିୟାଣା ବିଜେପିର ପ୍ରଭାରୀ ମଧ୍ୟ ରହିଛନ୍ତି । ତେଣୁ ତାଙ୍କ ଭଳି ଜଣେ ନେତାଙ୍କୁ ବିଜେପି ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ନିତିନ ନବୀନଙ୍କ ନୂଆ ଟିମରେ ବିପ୍ଲବ କୁମାର ଦେବଙ୍କୁ ଜାଗା ମିଳିପାରେ ।

ଆହୁରି ପଢ଼ନ୍ତୁ : ଏନଡିଏରୁ ଅଲଗା ହେବେ କି ମାଞ୍ଝୀ? ରାଜ୍ୟସଭା ସିଟକୁ ନେଇ ବିହାର ରାଜନୀତି ସରଗରମ

ବି ଡି ବର୍ମା

ମଧ୍ୟପ୍ରଦେଶ ବିଜେପିର ପ୍ରଦେଶ ଅଧ୍ୟକ୍ଷ ରହିସାରିଥିବା ବି ଡି ଶର୍ମାଙ୍କ ପୂରା ନାଁ ହେଉଛି ବିଷ୍ଣୁ ଦତ୍ତ ଶର୍ମା । ବର୍ତ୍ତମାନ ସେ ମଧ୍ୟପ୍ରଦେଶର ଖୁଜରାହୋରୁ ଲୋକସଭା ସାଂସଦ ଥିବାବେଳେ, ତାଙ୍କୁ ନିତିନ ନବୀନଙ୍କ ନୂଆ ଟିମରେ ସାମିଲ କରାଯାଇପାରେ । ବିପ୍ଲବ କୁମାର ଦେବଙ୍କ ସହ ବି ଡି ବର୍ମାଙ୍କୁ ଏହି ନୂଆ ଟିମରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଶିଷ ଶେଲାର

୫୩ ବର୍ଷୀୟ ଆଶିଷ ଶେଲାର ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଅଛନ୍ତି । ଏହାପୂର୍ବରୁ ସେ ମୁମ୍ବାଇର ବିଜେପି ଅଧ୍ୟକ୍ଷ ମଧ୍ୟ ରହିଥିଲେ । ରାଜନୀତି ସହିତ ଶେଲାର କ୍ରିକେଟ୍ ବୋର୍ଡ ରାଜନୀତି ସହ ମଧ୍ୟ ରହିଛନ୍ତି । ତେଣୁ କୁହାଯାଉଛି ନିତିନ ନବୀନଙ୍କ ୟଙ୍ଗ୍ ଟିମରେ ଆଶିଷ ଶେଲାରଙ୍କୁ ଜାଗା ମିଳିପାରେ ।