କନକ ବ୍ୟୁରୋ: ୨୬ ବର୍ଷ ତଳେ ସେତେବେଳର ପୋଖତା ରାଜନେତା ବିଜୟ ମହାପାତ୍ରଙ୍କୁ ନାଟକୀୟ ଢଙ୍ଗରେ ବିଜେଡିରୁ ବିଦା କରିଥିଲେ ନବୀନ ପଟ୍ଟନାୟକ । ସେତେବେଳେ ଅବଶ୍ୟ ନବୀନ ରାଜନୀତିରେ ନୂଆ ନୂଆ । ଆଉ ବିଜୟ ମହାପାତ୍ର ପୁରୁଖା ଲୋକ । ହେଲେ ନବୀନ ୨୬ ବର୍ଷ ତଳେ ଯେଉଁଭଳି ଢଙ୍ଗରେ ବିଜୟଙ୍କୁ ଦଳର ବାହାର ରାସ୍ତା ଦେଖାଇଥିଲେ, ତାକୁ ନେଇ ଆଜି ବି ଚର୍ଚ୍ଚା ହୁଏ । କାହିଁକି ନା, ସେବେଠୁ ଓଡ଼ିଶା ରାଜନୀତିରେ ନବୀନ ଆଉ ବିଜୟ ମହାପାତ୍ରଙ୍କ ଭିତରେ ଆରମ୍ଭ ହୋଇଥିଲା ଗୋଟିଏ ଶୀତଳ ଯୁଦ୍ଧ । 

Advertisment

୧୯୮୦ ମସିହାରେ ଯେତେବେଳେ ବିଜୁ ପଟ୍ଟନାୟକ ପାଟକୁରା ଆସନ ଛାଡ଼ିଦେଇଥିଲେ । ସେତେବେଳେ ସେ ପାଟକୁରାର ଦାୟିତ୍ୱ ବିଜୟଙ୍କ ହାତରେ ଟେକି ଦେଇଥିଲେ । ପାଟକୁରା ଉପନିର୍ବାଚନରୁ ରାଜ୍ୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ବିଜୟ ମହାପାତ୍ର । ମାତ୍ର ୩୦ ବର୍ଷ ବୟସରେ ନିଜର ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିଲେ ଏହି ଭେଟେରାନ୍ ଲିଡର ବିଜୟ ମହାପାତ୍ର । ପରେ ପରେ ସେ ବିଜୁ ବାବୁଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଭାବଶାଳୀ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିଲେ । କୁହାଯାଏ ସେତେବେଳେ ବିଜୁ ସରକାରରେ ବିଜୟ ଥିଲେ ସୁପର ଚିଫ୍ ମିନିଷ୍ଟର ।

୧୯୮୦ରୁ ୨୦୦୦ ମସିହା ଭିତରେ ଜନତା ଦଳ ଓ ଜନତା ପାର୍ଟିରୁ ଲଗାତାର ୪ ଥର ଜିତିବା ସହ ରାଜ୍ୟ ରାଜନୀତିର ପୋଖତ ଖେଳୁଆଡ ଭାବେ ନିଜର ପରିଚୟ ସୃଷ୍ଟି କରି ସାରିଥିଲେ ବିଜୟ । ଆଉ ଏହାସହ ବିଜୁଙ୍କ ଦେହାନ୍ତ ପରେ ଜନତା ଦଳକୁ ବାଏ ବାଏ କରି ବିଜେଡି ଗଠନ କରିବାରେ ମୁଖ୍ୟ ସୁତ୍ରଧର ସାଜିଥିଲେ ବିଜୟ । କିନ୍ତୁ ଏମିତି ଗୋଟିଏ ସମୟରେ ନବୀନ ଖେଳିଥିଲେ ଅସଲ ଖେଳ, ଯାହାର ଫଳସ୍ୱରୂପ ବିଜୟଙ୍କୁ ବିଜେଡିରୁ ବାହାରର ରାସ୍ତା ଦେଖିବାକୁ ପଡ଼ିଥିଲା । ଆଉ ସେବେଠୁ ସେ ବିଧାନସଭାରୁ ମଧ୍ୟ ଦୂରରେ ରହିଥିଲେ ।

ଆହୁରି ପଢ଼ନ୍ତୁ : ନବୀନଙ୍କୁ ନେତା କହିବା ମହଙ୍ଗା ପଡ଼ିଲା କି? ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ନେଇ ବଢ଼ିଲା ଚର୍ଚ୍ଚା

୨୦୦୦ ମସିହାରେ ନୂଆକରି ଜନ୍ମ ନେଇଥିବା ବିଜେଡି ଜାତୀୟ ଦଳ ବିଜେପି ସହ ମେଣ୍ଟ କରି ବିଧାନସଭା ନିର୍ବାଚନରେ ପାଦ ଥାପିଥିଲା । ସେତେବେଳେ ବିଜୟ ଥିଲେ ବିଜେଡି ଦଳର ପାର୍ଲାମେଣ୍ଟ ଆର୍ଫେୟାର୍ସ କମିଟିର ମୁଖ୍ୟ, ଆଉ ବିଜୁଙ୍କ ସାନପୁଅ ନବୀନ ଥିଲେ ବିଜେଡିର ସଭାପତି । ସେତେବେଳେ ପାଟକୁରା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ ବିଜୟ । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ଅତି ନାଟକୀୟ ଢଙ୍ଗରେ ବିଜୟଙ୍କ ଟିକେଟ୍ ନବୀନ କାଟିଦେଇଥିଲେ । ସ୍ଥିତି ଏମିତି ହେଇଥିଲା ଯେ, ପୁଣିଥରେ ପାଟକୁରା ଫେରି ନାମାଙ୍କପତ୍ର ଦାଖଲ କରିବାକୁ ବିଜୟ ମହାପାତ୍ର ସମୟ ଟିକେ ବି ପାଇନଥିଲେ । ଆଉ ସେହି ଆସନରୁ ଅତନୁଙ୍କୁ ପ୍ରାର୍ଥୀ କରି ବିଜୟଙ୍କୁ ପ୍ରଥମ ଚେକ୍ ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ସେହି ୨୦୦୦ ମସିହାରୁ ବିଜୟଙ୍କ ବିଧାନସଭା ଆସିବା ସ୍ୱପ୍ନ, ଏଯାଏଁ ସେମିତି ସ୍ୱପ୍ନ ହେଇ ରହିଯାଇଛି ।

୨୦୦୦ ମସିହାରୁ ୨୦୨୬ ଭିତରେ ଓଡ଼ିଶା ଅନେକ ନିର୍ବାଚନ ଦେଖିଛି, ହେଲେ ବିଜୟ ମହାପାତ୍ର କିନ୍ତୁ ବିଧାନସଭା ଆସିପାରିନାହାଁନ୍ତି । ବାସ୍... ୨୬ ବର୍ଷ ତଳର ନବୀନଙ୍କ ସେହି ଗୋଟିଏ ଗୋଟିଚାଳନା, ବିଜୟଙ୍କୁ ସବୁଦିନ ପାଇଁ ଖାଲି ବିଜେଡିରୁ ବାହାର ରାସ୍ତା ଦେଖାଇନଥିଲା...ବରଂ ସେଦିନଠୁ ବିଧାନସଭାଠୁ ଦୂରରେ ରହିଥିଲେ ବିଜୟ । ଆଉ ଆଜି ଯେତେବେଳେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ଦଳରୁ ସସପେଣ୍ଡ କରୁଛନ୍ତି । ସେତେବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ୨୬ ବର୍ଷ ତଳର ସେହି ପୁରୁଣା କଥା ।