କନକ ବ୍ୟୁରୋ : ସମାନ ଫର୍ମୁଲା, ସମାନ ଦମ୍ଭ । ୨୪ ବର୍ଷ ତଳର ଇତିହାସକୁ ମନେ ପକାଇ ନିଜ ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀପ ରାୟ । ବିରୋଧୀ ବିଜେଡ଼ି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱରଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେବା ରାଜ୍ୟ ରାଜନୀତିକୁ ହଲଚଲ କରିଛି । ବିଜେପିର ସମର୍ଥନ ବାଦ୍ ଆହୁରି ୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡୁଥିବାରୁ ୨୦୦୨ ଫର୍ମୁଲା ଆପଣାଇବା ପାଇଁ ଇଙ୍ଗିତ କରିଛନ୍ତି ଦିଲ୍ଲୀପ ।

Advertisment

ସ୍ୱାଧୀନ ରାଜ୍ୟସଭା ପ୍ରାର୍ଥୀ ହେବାକୁ ଦିଲ୍ଲୀପ ରାୟଙ୍କ ଘୋଷଣା ଓ ଏହାର ଠିକ୍ ପରେ ପରେ ବିଜେପିର ସମର୍ଥନ ରାଜ୍ୟସଭା ଗଣିତ ହିସାବକିତାବକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଛି । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ନବୀନଙ୍କ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେଇ ମୈଦାନକୁ ଓହ୍ଲାଇଛନ୍ତି ପୁରୁଣା ସହଯୋଗୀ ଦିଲ୍ଲୀପ ରାୟ । ୨୦୦୨ ଫର୍ମୁଲାରେ ସ୍ୱାଧୀନ ଭାବେ ଲଢ଼ିବାକୁ ମନସ୍ଥ କରିଛନ୍ତି ଦିଲ୍ଲୀପ । ସବୁ ଦଳୀୟ ନେତାଙ୍କ ପାଖରେ ଗ୍ରହଣୀୟ ହେଉଥିବା ଦିଲ୍ଲୀପଙ୍କ ଏ ନିଷ୍ପତ୍ତି ଉଭୟ ନବୀନ ଓ ଭକ୍ତଙ୍କୁ ଅକଳରେ ପକାଇପାରେ । ବିଗିଡ଼ିପାରେ ବିଜେଡି ଗଣିତ । ୨୦୦୨ ଭଳି ବିଜେଡିର ଅସନ୍ତୁଷ୍ଟ କ୍ୟାମ୍ପକୁ ପ୍ରଭାବିତ କରିପାରନ୍ତି ଦିଲ୍ଲୀପ । ଏଭଳି କିଛି  ଦିଗକୁ ସେ ଇଙ୍ଗିତ କରିଛନ୍ତି । ସେହିଭଳି କଂଗ୍ରେସରେ କ୍ରସ୍‌ ଭୋଟିଂ ନୂଆ ନୁହେଁ । ଏହାର ନଜିର ରାଷ୍ଟ୍ରପତି ନିର୍ବାଚନରେ ଦେଖିବାକୁ ମିଳିଛି । ଏବେ ଏହାର ଲାଭ ଉଠାଇପାରନ୍ତି ଦିଲ୍ଲୀପ ।

ଅଧିକ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନ, ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ ରାୟ

ଦିଲ୍ଲୀପଙ୍କ ଦମ୍ଭୋକ୍ତି ଉଭୟ ବିଜେଡି ଓ କଂଗ୍ରେସ ମୁଖିଆଙ୍କ ଚିନ୍ତା ବଢାଇଛି । ଯଦି ବିରୋଧୀ ଦଳର ଅସନ୍ତୁଷ୍ଟ ଭୋଟ ହାତେଇ ଦିଲ୍ଲୀପ ରାଜ୍ୟସଭା ବାଜି ଜିତିଲେ ଦଳ ଭିତରେ ନବୀନଙ୍କ ନେତୃତ୍ୱକୁ ନେଇ ବଡ଼ ପ୍ରଶ୍ନବାଚୀ ଛିଡ଼ା ହେବ । ସେହିଭଳି କଂଗ୍ରେସ ମୁଖିଆ ମାତ୍ର ୧୪ ବିଧାୟକଙ୍କୁ ଏକାଠି ନ ରଖିପାରିଲେ ମଧ୍ୟ ସମଦଶା ଭୋଗିପାରନ୍ତି । ବିଜୟ ମହାପାତ୍ର ଓ ଦିଲ୍ଲୀପଙ୍କ ସମ୍ପର୍କ ନିଲମ୍ବିତ ବିଧାୟକ ଅରବିନ୍ଦଙ୍କ ଭୋଟକୁ ତାଙ୍କ ସପକ୍ଷରେ ରଖିବ । ଏହି ପୂରା ପ୍ରକରଣରେ ମାଇଲେଜ ନେବା ଲକ୍ଷ୍ୟରେ ରହିଛି ବିଜେପି ।

୧୬ ମାର୍ଚ୍ଚ ୨୦୨୬ । ଦିଲ୍ଲୀପ ଓ ଦତ୍ତେଶ୍ୱରଙ୍କ ମଧ୍ୟରୁ କିଏ ଜିତିବ ତାହା ଉପରୁ ପରଦା ହଟିବ । ଏହାସହ ଓଡ଼ିଶା ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ ।