କନକ ବ୍ୟୁରୋ: ଦ୍ୱାଦଶ ବିଧାନସଭା ପାଇଁ ୨୦୦୦ ମସିହା ଫେବ୍ରୁଆରି ମାସରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୪୭ ଆସନ ଭିତରୁ ଫେବ୍ରୁଆରି ୧୭ ତାରିଖରେ ୭୦ଟି ଆସନ ଏବଂ ୨୨ ତାରିଖରେ ୭୭ଟି ଆସନ ପାଇଁ ନିର୍ବାଚନ ହେଲା । ୧୯୯୯ ମସିହା ଲୋକସଭା ନିର୍ବାଚନର ଆସନ ବୁଝାମଣାକୁ ଭିତ୍ତି କରି ବିଜେଡି ଏବଂ ବିଜେପି ମେଣ୍ଟ ଯଥାକ୍ରମେ ୮୪ ଓ ୬୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କଲେ । ଆଉ ବିଜେଡି ଓ ବିଜେପି ମେଣ୍ଟ ୧୦୬ ଆସନ ଜିତି ସରକାର ଗଢ଼ିଥିଲେ ।

Advertisment

ରାଇରଙ୍ଗପୁରର ବିଧାୟିକା 

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀ ହୋଇ ଏଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ଯାହାଙ୍କ ଭିତରୁ ଜଣେ ଥିଲେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ଜନତା ପାର୍ଟିର ଟିକେଟରୁ ରାଇରଙ୍ଗପୁର ଆସନରୁ ସେ ନିର୍ବାଚିତ ହୋଇଥାନ୍ତି । ତାଙ୍କ ସହିତ ବିଜେପିର ଆଉ ଜଣେ ମହିଳା ଚେହେରା ମଧ୍ୟ ସେଥର ବିଜୟୀ ହୋଇଥାନ୍ତି, ସେ ହେଲେ କଟକ ସଦର ଆସନରୁ ନିବେଦତା ପ୍ରଧାନ ।

ନବୀନ ସରକାରରେ ମନ୍ତ୍ରୀ

ନିର୍ବାଚନ ଜିତିବା ପରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତା ଭାବେ ସର୍ବସମ୍ମତି ଭାବେ ନିର୍ବାଚିତ ହୋଇଥିଲେ । ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ନେତା ହୋଇଥିଲେ ବିଶ୍ୱଭୂଷଣ ହରିଚନ୍ଦନ । ଏହାପରେ ଦୁଇ ଦଳର ବିଧାୟକମାନେ ମିଶି ସର୍ବସମ୍ମତିରେ ନବୀନ ପଟ୍ଟନାୟକଙ୍କୁ ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିଲେ । ଆଉ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ଏହି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ତାଙ୍କ ସହ ୧୪ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୬ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଆଉ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଥିଲେ । ଆଉ ଶପଥ ନେଇଥିବା ଏହି ମନ୍ତ୍ରୀମାନଙ୍କ ଭିତରୁ ଜଣେ ଥିଲେ ଦ୍ରୌପଦୀ ମୁର୍ମୁ । ସେତେବେଳେ ନବୀନ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ତା ସହିତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ କାମ କରିଥିଲେ ।

ଆହୁରି ପଢ଼ନ୍ତୁ : ଭାରତରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା,  ଦୁଇ ଦଶନ୍ଧୀ ପରେ ଆୟୋଜକ ଭାବେ ମିଳିଲା ମାନ୍ୟତା

୨୦୦୪ରୁ ୦୯ ବିଧାୟକ, ୨୦୦୯ରେ ଲୋକସଭା ପ୍ରାର୍ଥୀ

ଚତୁର୍ଦ୍ଦଶ ଲୋକସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ସମୟରେ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ପୂରଣ ହେବାକୁ ଆହୁରି ବର୍ଷେ ବାକି ଥାଏ । ହେଲେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବିଦାନସଭା ନିର୍ବାଚନ ହେଉ । ଏଥିପାଇଁ ସେ ଓଡ଼ିଶା ବିଧାନସଭାକୁ ଭାଙ୍ଗିଦେବାକୁ ସୁପାରିଶ କଲେ । ଆଉ ତାହା କାର୍ଯ୍ୟକାରୀ ମଧ୍ୟ ହେଲା । ନିର୍ବାଚନ ପାଇଁ ବିଜେଡି-ବିଜେପି ଭିତରେ ଆସନ ବୁଝାମଣା ହେଲା ଆଉ ୮୪:୬୩ ସୂତ୍ରରେ ବିଜେପି-ବିଜେଡି ନିର୍ବାଚନ ଲଢ଼ିଲେ । ଏଥର ନିର୍ବାଚନରେ ବିଜେଡି ୬୧ ଆସନ ଜିତିଲା ଆଉ ବିଜେପି ଜିତିଲା ୩୧ ଆସନ । ମେଣ୍ଟ ଦଳର ଆସନ ସଂଖ୍ୟା ପୂର୍ବ ତୁଳନାରେ ହ୍ରାସ ପାଇଲା  ଏବଂ କଂଗ୍ରେସର ଆସନ ସଂଖ୍ୟା ୨୬ରୁ ୩୮କୁ ବୃଦ୍ଧି ପାଇଲା । ତେବେ ସରକାର ଗଠନ ପାଇଁ କିନ୍ତୁ ବିଜେଡି-ବିଜେପି ମେଣ୍ଟ ପାଖରେ ଥିଲା ମ୍ୟାଜିକ୍ ନମ୍ବର । ଆଉ ପୁଣିଥରେ ଏହି ମେଣ୍ଟର ନେତା ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଆଉ ତା ପରେ ୨୦୦୪ ମସିହା ମେ ମାସ ୧୬ ତାରିଖରେ ନବୀନ ନିଜ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ରାଇରଙ୍ଗପୁର ଆସନରୁ ପୁଣିଥରେ ବିଧାୟକ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ପୂର୍ବଥର କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀଙ୍କୁ ହରାଇ ବିଧାନସଭାରେ ପହଞ୍ଚିଥିବା ଦ୍ରୌପଦୀ ମୁର୍ମୁ ଏଥର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ହରାଇ ବିଧାନସଭାରେ ପହଞ୍ଚିଥିଲେ । ହେଲେ ଗତଥର ପରି ଏଥର କିନ୍ତୁ ତାଙ୍କୁ ଆଉ ମନ୍ତ୍ରିପଦ ମିଳିନଥିଲା । ବିଧାୟକ ଭାବେ ନିଜର କାର୍ଯ୍ୟକାଳ ପୂରଣ କରିବା ପରେ ୨୦୦୯ରେ ସେ ଲୋକସଭା ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଲଢ଼ିଥିଲେ । ହେଲେ ଏହି ନିର୍ବାଚନରେ କିନ୍ତୁ ବିଜେଡି ପ୍ରାର୍ଥୀ ଲକ୍ଷ୍ମଣ ଟୁଡୁଙ୍କଠାରୁ ସେ ପରାଜିତ ହୋଇଥିଲେ । କାହିଁକି ନା ସେତେବେଳକୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗି ସାରିଥାଏ । ଆଉ ବିଜେଡି ଏବଂ ବିଜେପି ଉଭୟ ଅଲଗା ହେଇ ନିର୍ବାଚନ ଲଢୁଥାନ୍ତି ।