LOK SEVA BHAWAN Photograph: (KANAK NEWS)
କନକ ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅନୁ ଗର୍ଗଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେବା ପରେ ଏବେ ଉନ୍ନୟନ କମିସନର କିଏ ହେବେ ତାକୁ ନେଇ କ୍ଷମତା କରିଡର୍ରେ ଚର୍ଚ୍ଚା ଆରମ୍ଭ ହେଲାଣି। ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୧୯୯୫ ବ୍ୟାଚ୍ ପର୍ଯ୍ୟନ୍ତ ଆଇଏଏସ୍ଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରିଛନ୍ତି। ବିଷ୍ଣୁ ସେଠୀଙ୍କୁ ଛାଡ଼ି ଚିତ୍ରା ଅରୁମୁଗମ୍ଙ୍କ ପର୍ଯ୍ୟନ୍ତ ଏହି ପାହ୍ୟାକୁ ପଦୋନ୍ନତି ପାଇସାରିଲେଣି। ଅତଏବ ଏବେ ସୁଦ୍ଧା ମୋଟ୍ ୧୨ଜଣ ଆଇଏଏସ୍ ଅଧିକାରୀ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ ଅଛନ୍ତି। କିନ୍ତୁ ଏଥିରୁ ୬ଜଣ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବାବେଳେ ଆଉ ୬ଜଣ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ତେଣୁ ଏବେ କିଏ ଉନ୍ନୟନ କମିସନର ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
୧୯୯୧ ବ୍ୟାଚ୍ର ସତ୍ୟବ୍ରତ ସାହୁ ଗୃହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି। ୧୯୯୩ ବ୍ୟାଚ୍ର ଦେଓରଂଜନ କୁମାର ସିଂହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବାବେଳେ ସେହି ବ୍ୟାଚ୍ର ସୁରେନ୍ଦ୍ର କୁମାର ଇସ୍ପାତ ଓ ଖଣି ବିଭାଗ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ବ ତୁଲାଉଛନ୍ତି। ୧୯୯୪ ବ୍ୟାଚ୍ର ଜି.ମାଥିଭାଥନନ୍ ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ଡାଇରେକ୍ଟର ଜେନେରାଲ, ୧୯୯୫ ବ୍ୟାଚ୍ର ହେମନ୍ତ ଶର୍ମା ଏବେ ଶିଳ୍ପ ବିଭାଗ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଚିତ୍ରା ଅରୁମୁଗମ୍ ଶ୍ରମ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି।
ଆହୁରି ପଢ଼ନ୍ତୁ : ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ : ପ୍ରାଶାସନିକ ସ୍ତରରେ ପ୍ରସ୍ତୁତି ଶେଷ
ଏ କ୍ଷେତ୍ରରେ ସତ୍ୟବ୍ରତ ଏହି ଗୁରୁତ୍ବପୂର୍ଣ୍ଣ ପଦବି ହାତେଇ ପାରନ୍ତି ବୋଲି ଗୋଟିଏ ମହଲ ମତ ରଖୁଛନ୍ତି। ତେବେ ଦେଓରଂଜନ କୁମାର ସିଂହ କିମ୍ବା ସୁରେନ୍ଦ୍ର କୁମାରଙ୍କ ମଧ୍ୟରୁ କାହାକୁ ବି ରାଜ୍ୟ ସରକାର ଉନ୍ନୟନ କମିସନର କରିପାରନ୍ତି ବୋଲି ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି। ମାଥିଭାଥନନ୍ ବିଜେଡି ସରକାରର ଅନ୍ୟତମ କ୍ଷମତାଶାଳୀ ଥିଲେ। ସରକାର ବଦଳିବା ପରେ ତାଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି। ତେଣୁ ତାଙ୍କର ଫେରିବା ସମ୍ଭାବନା କମ୍। ହେମନ୍ତ ଶର୍ମା ପୂର୍ବ ସରକାର ଭଳି ବର୍ତ୍ତମାନର ସରକାରଙ୍କର ବିଶ୍ବସ୍ତ ପାଲଟିଛନ୍ତି। ରାଜ୍ୟ ସରକାର ଏବେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶକୁ ଗୁରୁତ୍ବ ଦେଉଥିବାବେଳେ ଶ୍ରୀ ଶର୍ମା ଏହାର ନେତୃତ୍ବ ନେଉଛନ୍ତି। ତେଣୁ ଉନ୍ନୟନ କମିସନର ଦୌଡ଼ରେ ସେ ବି ଆଗରେ ଅଛନ୍ତି।
ଅପରପକ୍ଷରେ କେନ୍ଦ୍ରୀୟ ଡେପୁଟେସନ୍ରେ ୧୯୯୧ ବ୍ୟାଚ୍ର ସଂଜୟ ରସ୍ତୋଗୀ, ୧୯୯୨ ବ୍ୟାଚ୍ର ସି.ଏସ୍ କୁମାର, ୧୯୯୩ ବ୍ୟାଚ୍ର ନିକୁଞ୍ଜ ବିହାରୀ ଧଳ ଓ ଅଶୋକ କୁମାର ମୀନା, ୧୯୯୪ ବ୍ୟାଚ୍ର ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂ ରଞ୍ଜନା ଚୋପ୍ରା କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି। ତେଣୁ ରାଜ୍ୟ ସରକାର ଓଡ଼ିଶାରେ କାର୍ଯ୍ୟ କରୁଥିବା ଅଧିକାରୀ ନା ଦିଲ୍ଲୀରେ ଡେପୁଟେସନ୍ରେ କାର୍ଯ୍ୟ କରୁଥିବା ଆଇଏଏସ୍ଙ୍କୁ ଉନ୍ନୟନ କମିସନର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
ସେହିପରି ଅନୁ ଗର୍ଗ ଉନ୍ନୟନ କମିସନର ସହ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେହି ପଦବି ଖାଲି ପଡ଼ିବ। ଯଦି ଓଡ଼ିଶାରେ କାର୍ଯ୍ୟ କରୁଥିବା ୬ଜଣ ଅତିରିକ୍ତ ମୁଖ୍ୟ ସଚିବଙ୍କ ମଧ୍ୟରୁ କାହାକୁ ଉନ୍ନୟନ କମିସନର କରାଯାଏ ତେବେ ଗୋଟିଏ କି ଦୁଇଟି ବିଭାଗର ସଚିବ ପଦବି ଖାଲି ପଡ଼ିବ। ଏହା ହେଲେ ରାଜ୍ୟ ସରକାର କାହାକୁ ସେହି ପଦବି ଦେଉଛନ୍ତି ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟ ସଚିବ ବଦଳିଲେ ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ ହୁଏ। ମୁଖ୍ୟ ସଚିବ ତାଙ୍କ ପସନ୍ଦର ଅଧିକାରୀଙ୍କୁ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ ଭଳି ପଦବିରେ ନିଯୁକ୍ତି ଦିଅନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବି ବଦଳନ୍ତି। ମନୋଜ ଆହୁଜା ମୁଖ୍ୟ ସଚିବ ହେବା ପରେ ଏଭଳି କିଛି ପରିବର୍ତ୍ତନ କରାଯାଇନଥିଲା। ସେତେବେଳେ ନୂଆ ସରକାର ଆଗୁଆ ଅଦଳବଦଳ କରିଦେଇଥିବାରୁ ଶ୍ରୀ ଆହୁଜାଙ୍କ ପାଇଁ ବିଶେଷ ସୁଯୋଗ ନଥିଲା। ତେଣୁ ଏବେ ଅନୁ ଗର୍ଗ ଦାୟିତ୍ବ ନେବା ପରେ ସରକାର ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିବେ ବୋଲି କୁହାଯାଉଛି ।
Follow Us