Photograph: (kanaknews)
କନକ ବ୍ୟୁରୋ: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପ୍ରସଙ୍ଗ ଅଧିକ ଜଟିଳ ହେବାରେ ଲାଗିଛି। ଦଳର ସଭାପତି ନବୀନ ପଟ୍ଟନାୟକ ନିଜ ନିଲମ୍ବନ ଆଦେଶକୁ ଯଥାର୍ଥ ଦର୍ଶାଇବା ପାଇଁ ବେଶ୍ କସରତ ଚଳାଇଛନ୍ତି। ତେବେ ବରିଷ୍ଠ ନେତାମାନେ ଅସମ୍ଭବ ନିରବତା ଅବଲମ୍ବନ କରୁଥିବାରୁ ନିଜେ ନବୀନ ଆଗକୁ ଆସିଛନ୍ତି। ପାଟକୁରାର କିଛି ନେତା ଓ କର୍ମୀଙ୍କୁ ନବୀନ ନିବାସ ଡକାଯାଇ ସେମାନଙ୍କ ଆଗରେ ସଫେଇ ଦେଇଛନ୍ତି ନବୀନ। ସେହି ଭିଡିଓକୁ ଗଣମାଧ୍ୟମକୁ ଦିଆଯାଇ ଭାଇରାଲ୍ କରାଯାଉଛି।
ନିଲମ୍ବନ ପ୍ରସଙ୍ଗକୁ ନେଇ ନବୀନ ଏପରି ବିବ୍ରତ ହେବା ଘଟଣା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅରବିନ୍ଦଙ୍କ ପରି ଜଣେ ନବାଗତ ବିଧାୟକଙ୍କ ବିରୋଧରେ ନିଜେ ନବୀନ ଆଗକୁ ଆସିବା ଘଟଣାକୁ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଗତ ୧୫ ତାରିଖରେ ବିଧାୟକ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ଅରବିନ୍ଦଙ୍କ ନିଲମ୍ବନ ପଛର ଯଥାର୍ଥତାକୁ ବିଜେଡି ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରୁ ନାହିଁ। କୌଣସି ବରିଷ୍ଠ ନେତା ଏହି ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ିବାକୁ ନାରାଜ । କିଛି ଯୁବ ନେତାଙ୍କୁ ନେଇ ନିୟମିତ ଭାବେ ନିଲମ୍ବନ ସପକ୍ଷରେ ଓକିଲାତି କରାଯାଉଥିଲେ ବି ତାହା ବ୍ୟାପକ ଭାବେ ଗ୍ରହଣୀୟ ହୋଇପାରୁନି। ପୁଣି ପ୍ରମାଣ ଦେବାକୁ ବିଜେଡିକୁ ଅରବିନ୍ଦ ଖୋଲା ଚ୍ୟାଲେଞ୍ଜ ଦେଉଥିବାରୁ ଅଡ଼ୁଆ ବଢ଼ିଯାଉଛି। ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର କିପରି ବିଜୁ ବାବୁ ଓ ତାଙ୍କ ସହ ବିଶ୍ବାସଘାତକତା କରିଥିଲେ, ସେ ସମ୍ପର୍କରେ ନବୀନ ନିଜେ ଗତ ସାତ ଦିନ ମଧ୍ୟରେ ବହୁ ନେତାଙ୍କ ଆଗରେ ଗପି ସାରିଲେଣି। କିନ୍ତୁ ଅରବିନ୍ଦ କ’ଣ ବିଶ୍ବାସଘାତକତା କରିଛନ୍ତି, ସେ ସମ୍ପର୍କରେ କିଛି କହୁନାହାନ୍ତି। ସେଥିପାଇଁ ବରିଷ୍ଠ ନେତାମାନେ ଗଣମାଧ୍ୟମକୁ ସାମନା କରିବାକୁ ପଛଘୁଞ୍ଚା ଦେଉଛନ୍ତି।
ଆହୁରି ପଢ଼ନ୍ତୁ : ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେବା ଘଟଣା, ଅଭିଯୁକ୍ତ ପ୍ରତୀକ୍ ମିଶ୍ରକୁ ବାନ୍ଧିଲା ସିଂହଦ୍ୱାର ଥାନା ପୁଲିସ
ଶେଷରେ ନବୀନଙ୍କ ମୁହଁରେ କୁହାଇ ନିଲମ୍ବନକୁ ଯଥାର୍ଥ କରିବାକୁ ଯୋଜନା ଚୂଡ଼ାନ୍ତ ହେଲା। ସେହି ଅନୁଯାୟୀ ପାଟକୁରା ନେତା ଓ କର୍ମୀଙ୍କୁ ଡକାଯାଇ ସେମାନଙ୍କ ଆଗରେ ନବୀନ ନିଜର ମତ ରଖିଲେ। ପାଟକୁରାରେ ନେତା ଓ କର୍ମୀଙ୍କୁ ଡକାଯିବା ନେଇ ମଧ୍ୟ ରାଜନୀତି ଜୋର୍ ଧରିଛି। ଅରବିନ୍ଦଙ୍କ ନିଲମ୍ବନକୁ ନେଇ ପାଟକୁରା ବିଜେଡି ଦୁଇ ଫାଳ ହୋଇଯାଇଛି। ଲଗାତାର ଭାବେ ଏକାଧିକ କର୍ମୀ ସମାବେଶ କରାଯାଇ ନିଲମ୍ବନ ଆଦେଶକୁ ବିରୋଧ କରାଯାଉଛି। ତେବେ ଗତକାଲି ଦଳୀୟ ପାଞ୍ଚ ଜିଲ୍ଲା ପରିଷଦ ସଭ୍ୟ, ଡେରାବିଶ ବ୍ଲକ୍ ଉପାଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀ ଡାକି ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଥିଲେ। ଫଳରେ ପାଟକୁରା ବିଜେଡିରେ ଜୋର୍ଦାର ଛକାପଞ୍ଝା ଥିବା ସ୍ପଷ୍ଟ ହୋଇଯାଇଛି। ଗତକାଲି ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଥିବା ଗୋଷ୍ଠୀଙ୍କୁ ଆଜି ନବୀନ ନିବାସ ଡକାଯାଇଥିଲା। ନବୀନ ନିବାସରେ ୩/୪ ମିନିଟ୍ ପାଇଁ ନେତା ଓ କର୍ମୀମାନଙ୍କୁ ନବୀନ ଦେଖା ଦେଇଥିଲେ। ପ୍ରଥମେ ଓଡ଼ିଆରେ ଦୁଇଧାଡ଼ି କହି ତା’ ପରେ ହିନ୍ଦୀରେ ନିଜ ମତ ରଖିଥିଲେ।
ଅରବିନ୍ଦଙ୍କ ନାଁ ନ ନେଇ ନବୀନ କହିଲେ, ମୁଁ ଜଣଙ୍କୁ ବିଶ୍ବାସ କରି ପାଟକୁରା ପାଇଁ ଟିକେଟ ଦେଇଥିଲି। କିନ୍ତୁ ପାଟକୁରାବାସୀ ହଇରାଣ ହେଉଥିବା ଜାଣିବାକୁ ପାଇଲି। ଦଳରେ ରହି ଯିଏ ଲୋକଙ୍କୁ ହଇରାଣ କରେ, ତାଙ୍କୁ ମୁଁ କାଢ଼ିଦିଏ। ପାଟକୁରାବାସୀଙ୍କ ପାଇଁ ଜଣେ ଭଲ ନେତା ଆସିବେ। ଦଳ ପକ୍ଷରୁ ଅରବିନ୍ଦଙ୍କ ବିରୋଧରେ ଦୁର୍ନୀତି ଓ ବିଶ୍ବାସଘାତକତା କଥା ବାରମ୍ବାର କୁହାଯାଉଥିଲା ବେଳେ ଆଜି ନବୀନ ଏ ସମ୍ପର୍କରେ ସିଧାସଳଖ କିଛି କହିନାହାନ୍ତି। କେବଳ ପାଟକୁରାବାସୀଙ୍କୁ ଅରବିନ୍ଦ ହଇରାଣ କରୁଥିଲେ ବୋଲି ଇଙ୍ଗିତ ଦେଇଛନ୍ତି। ସାତ ଦିନ ହେଲା ବିଶ୍ବାସଘାତକତାର ଆରୋପକୁ ଦଳ ପ୍ରମାଣ ସହ ଉପସ୍ଥାପନ କରି ନପାରିବାରୁ ଏବେ ନୂଆ ବାଟ ଧରିଛି ବୋଲି ଆଲୋଚନା ଚାଲିଛି। ଲୋକଙ୍କୁ ହଇରାଣ କରୁଥିବା କହି ନବୀନ ନିଲମ୍ବନ ନିଷ୍ପତ୍ତି ପ୍ରତି ଲୋକଙ୍କ ସମର୍ଥନ ଲୋଡ଼ୁଥିବା ସ୍ପଷ୍ଟ ହୋଇଛି।
ସେହିପରି କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ହରାଇବା ପଛରେ ବିଧାୟକ ଅରବିନ୍ଦଙ୍କ ବଡ଼ ଭୂମିକା ଥିଲା ବୋଲି ଦଳ ପକ୍ଷରୁ କୁହାଯାଇଥିଲା। କିନ୍ତୁ ନବୀନ ସେ ସମ୍ପର୍କରେ ଆଜି କିଛି କହିନାହାନ୍ତି। ତିନି ଦିନ ହେଲା ଅଂଶୁମାନ ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି କି ଆଜି ମଧ୍ୟ ନବୀନ ନିବାସ ଆସି ନଥିଲେ। ପାଟକୁରା ବିଜେଡିରେ ନୂଆ ନେତା ଭାବେ କାହାକୁ ଦାୟିତ୍ବ ଦିଆଯିବ, ତା’କୁ ନେଇ ଦଳର ଆଭ୍ୟନ୍ତରୀଣ ଛକାପଞ୍ଝା ବି ଆରମ୍ଭ ହୋଇଗଲାଣି। ତିନିଟି ବ୍ଲକ୍ରେ ତିନି ଜଣ ନେତାଙ୍କୁ ସଂଗଠନ ଦାୟିତ୍ବ ଦିଆଯିବ ନା ପୂରା ନିର୍ବାଚନମଣ୍ଡଳୀରେ ଜଣଙ୍କୁ ଦାୟିତ୍ବ ମିଳିବ, ତାହାକୁ ନେଇ ଅଙ୍କକଷା ହେଉଛି। ଆଜିର କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ କେଶରୀ ଦେବ, ଧ୍ରୁବ ସାହୁ, ସୁନୀଲ ମହାନ୍ତି, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସମେତ ପାଟକୁରାର ୫ ଜଣ ଜିଲ୍ଲା ପରିଷଦ ସଭ୍ୟ, ଡେରାବିଶ ଓ ମାର୍ଶାଘାଇ ବ୍ଲକ୍ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ।
Follow Us