କନକ ବ୍ୟୁରୋ: କେବେ ଖଣି ଦୁର୍ନୀତି, କେବେ ଦୁଷ୍କର୍ମ, କେବେ ଜମି ଜାଲିଆତି ତ କେବେ  ହତ୍ୟା ମାମଲା । ଏଭଳି ବଡ଼ ବଡ଼ ଅପରାଧରେ ଅଭିଯୁକ୍ତ ହୋଇ ୮ ମାସରେ ବନ୍ଧା ହେଲେଣି ବିଜେଡିର ୪ ଟାଣୁଆ ନେତା, ଯାହାକୁ ନେଇ ଏବେ ଅକଳରେ ପଡ଼ିଛି ‘ଶଙ୍ଖ’ ଶିବିର ।

Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ । ବିକ୍ରମଙ୍କୁ ପୁଲିସ ବାନ୍ଧିବା ପରେ ତାଙ୍କ ବେଲ୍ କୁ କୋର୍ଟ ଖାରଜ କରିଛନ୍ତି ଆଉ ଏବେ ବିକ୍ରମ ଜେଲ୍ ଯାଇଛନ୍ତି । ଏନେଇ ରାଜ୍ୟ ରାଜନୀତିରେ ଉଠିଛି ଝଡ଼, ବିଜେଡିକୁ ଗୁଣ୍ଡା ଦଳ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । 

‘ହାତ’ ପାଇଁ ସମ୍ମାନ ରକ୍ଷା; ‘ଶଙ୍ଖ’ ପାଇଁ ଗଡ଼ ସୁରକ୍ଷା, ଆଉ ‘ପଦ୍ମ’ ପାଇଁ ଅଗ୍ନିପରୀକ୍ଷା


ଖାଲି ବିକ୍ରମ ଯେ ବିଜେଡିର ଅଡ଼ୁଆ ବଢ଼ାଇଛନ୍ତି ତା’ ନୁହେଁ  । ବର୍ଷ ଆରମ୍ଭରୁ ଖଣି ଦୁର୍ନୀତିରେ ଛନ୍ଦି ହୋଇଥିବା ରାଜା ଚକ୍ରଙ୍କ ଗିଫରଦାରୀ ମଧ୍ୟ ବିଜେଡି ପାଇଁ ଟେନସନ୍ ବଢ଼ାଇଥିଲା । ଏତିକିରେ ସରିନଥିଲା ବିଜେଡି ନେତାଙ୍କ ଆପରାଧିକ ତାଲିକା, ଜମି ଜାଲିଆତି ସହ କୋଟି କୋଟି ଟଙ୍କା ଠକେଇ ମାମଲାରେ ଗତ ମାସରେ ବନ୍ଧା ହୋଇଥିଲେ ନିମାପଡ଼ା ବିଜେଡିର ଟାଣୁଆ ନେତା ଦିଲ୍ଲୀପ ନାୟକ ।

ହତ୍ୟା, ଦୁର୍ନୀତି, ଠକେଇ ବାଦ୍ ସବୁଠାରୁ ସଙ୍ଗିନ୍ ଅପରାଧ ଦୁଷ୍କର୍ମ ଅଭିଯୋଗରେ ବି ଛନ୍ଦି ହୋଇଛି ବିଜେଡି । ଏଭଳି ଏକ ଘୃଣ୍ୟ ମାମଲାରେ ବିଏମସିର ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଗିରଫ ପରେ ଦଳ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲା । ଗତ ୮ ମାସ ଭିତରେ ଗିରଫ ହୋଇଥିବା ଏହି ୪ ନେତା ଦଳର ଟାଣୁଆ ନେତା ବୋଲାନ୍ତି, ଯାହାଙ୍କ ବିନା ସମର୍ଥନରେ ବିଜେଡି ଦୁର୍ବଳ କହିଲେ କିଛି ଭୁଲ ହେବନି । ହେଲେ ବିରୋଧୀଦଳର ସର୍ବୋଚ୍ଚ ଆସନରେ ବସିଥିବା ନବୀନଙ୍କ ନେତୃତ୍ବକୁ ନେଇ ଏବେ ପ୍ରଶ୍ନ ଉଠିଛି । ପୂର୍ବରୁ କ୍ଷମତାରେ ଥିବା ବିଜେଡି ନେତାମାନେ ଅପରାଧ ଘଟାଇବାକୁ ସାହସ କେମିତି କରୁଛନ୍ତି? ବିଳମ୍ବରେ ହେଉ ପଛେ ପୁଲିସ ଆକ୍ସନ ନେଉଛି ଆଉ ଏହାକୁ ବିରୋଧୀ ରାଜନୈତିକ ରଙ୍ଗ ମାରୁଛନ୍ତି ।

ଏଠି ପ୍ରଶ୍ନ ଉଠୁଛି; ନୂଆପଡ଼ା ଉପ-ନିର୍ବାଚନ ପୂର୍ବରୁ ବିଜେଡିର ଟାଣୁଆ ନେତା ଗିରଫ ହେବା ‘ଶଙ୍ଖ’ ପାଇଁ ସମସ୍ୟା କରିବନି ତ? ଗଡ଼ ରକ୍ଷା କରିବାକୁ ଯେଉଁ ସ୍ବପ୍ନ ଦେଖୁଛନ୍ତି ନବୀନ ସେ ସ୍ବପ୍ନ ଭାଙ୍ଗିଯିବନି ତ?