କନକ ବ୍ୟୁରୋ : ଏକଦା ବିଜେଡିର ଗଡ଼ ଥିବା ନୂଆପଡ଼ାରେ ଦଳ କାହିଁକି ଉପନିର୍ବାଚନ ହାରିଲା । ପରାଜୟ ପଛର କାରଣ କଣ ? ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଭିତରେ ଆଜି ପୋଷ୍ଟମର୍ଟମ କରିଛନ୍ତି ନବୀନ ପଟ୍ଟନାୟକ । ନୂଆପଡ଼ାର ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

Advertisment

ମାସେ ପରେ ନବୀନ ନିବାସରେ ନୂଆପଡ଼ା ପରାଜୟର ପୋଷ୍ଟମର୍ଟମ କରିଛନ୍ତି ନବୀନ । ନୂଆପଡ଼ା ଜିଲ୍ଲା ସଭାପତି ଓ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି । ନୂଆପଡ଼ା ପରାଜୟ ଓ ଆଗାମୀ ରଣନୀତି ନେଇ ନେତୃବୃନ୍ଦଙ୍କ ସହ ଚର୍ଚ୍ଚା କରିଛନ୍ତି ବିଜେଡି ସୁପ୍ରିମୋ । ଜିଲା ସଂଗଠନକୁ ଅଧିକ ସୁଦୃଢ କରିବା ସହ ସରକାର ବିରୁଦ୍ଧରେ ତୃଣମୂଳ ସ୍ତରରେ ଲଢେଇ କରିବାକୁ ନବୀନଙ୍କ ଆହ୍ୱାନ ଦେଇଛନ୍ତି । ସ୍ଥାନୀୟ ନେତୃତ୍ୱକୁ ସାଙ୍ଗଠନିକ ଦାୟିତ୍ଵ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ବଦଳିବ କି ଗଞ୍ଜାମ ଗଣିତ? ଜେଲ୍‌ରେ ଜିଲ୍ଲା ବିଜେଡି ସଭାପତି

ଉପନିର୍ବାଚନ ସମୟରେ ସ୍ଥାନୀୟ ନେତୃତ୍ୱଙ୍କୁ ଭରସା ଓ ବିଶ୍ୱାସ କରିନଥିଲେ ନବୀନ । ବାହାର ଜିଲ୍ଲାରୁ ପ୍ରାର୍ଥୀ କରିଥିଲେ । ହେଲେ ନିର୍ବାଚନରେ ବଡ଼ ବିପର୍ଯ୍ୟୟ ପରେ ଏବେ ସ୍ଥାନୀୟ ନେତୃତ୍ୱଙ୍କୁ ଖୋଜୁଛନ୍ତି ନବୀନ । ଯେଇଁମାନେ ଆଗକୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବା ସହିତ ପଞ୍ଚାୟତ ନିର୍ବାଚନର ମୋର୍ଚ୍ଚା ସମ୍ଭାଳିବେ । ସେପଟେ ବୁଥ୍‌ ରିଗିଂ କରି ବିଜେପି ବିଜୟ ହାସଲ କରିଛି ବୋଲି ପୁଣି ଅଭିଯୋଗ କରିଛନ୍ତି ସ୍ନେହାଙ୍ଗିନୀ । କହିଛନ୍ତି, ପଞ୍ଚାୟତ ନିର୍ବାଚନ ଇଭିଏମ୍‌ ନୁହେଁ, ବାଲାଟ ପେପରରେ ଲୋକ ଜବାବ ଦେବେ ବିଜେପିକୁ ।

ନୂଆପଡ଼ା ବିଜେଡିର କିଏ ନେତୃତ୍ୱ ନେବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ନବୀନ । ସବୁ ନେତାଙ୍କୁ ସାମଗ୍ରିକ ଦାୟିତ୍ଵ ଦେଇଛନ୍ତି ।