Ashwini Vaishnaw Formula Photograph: (Kanak News)
କନକ ବ୍ୟୁରୋ : ରାଜ୍ୟ ରାଜନୀତି ପୁଣି ଦେଖିପାରେ ଅଶ୍ୱିନୀ ବୈଷ୍ଣବ ଫର୍ମୂଲା । ଦିଲ୍ଲୀରୁ ନାଁ ଆସିବ, ଓଡ଼ିଶାରୁ ସହମତି ମିଳିବ । ବୁଲେଇ ବଙ୍କେଇ ଆଜି ଏଭଳି କିଛି ତୀର ମାରିଛନ୍ତି ବିଜେପି ବିଧାୟକ । ସେପଟେ କିଏ ହେବ ରାଜ୍ୟସଭା ପ୍ରାର୍ଥୀ, ନେତା ଆରମ୍ଭ କଲେଣି ଜୋରଦାର ଲବି ।
ଚର୍ଚ୍ଚାରେ ରାଜ୍ୟସଭାର ଚତୁର୍ଥ ଆସନ । ଏହି ଆସନ ଅକ୍ତିଆର କରି ଦିଲ୍ଲୀରେ ପତିଆରା ଜାହିର କରିବାକୁ ସବୁ ରାଜନୈତିକ ଦଳ ଗୋଟି ଚଳାଇଛନ୍ତି । ହେଲେ ଶାସକ ଦଳ ପୂରା ଦମ୍ରେ ଲାଗିଛି । ଜଣେ ପରେ ଜଣେ ନେତା ଗଣମାଧ୍ୟମରେ ଦମ୍ଭୋକ୍ତି ଦେଖାଉଛନ୍ତି । ଆଜି କିନ୍ତୁ ବିଜେପି ବିଧାୟକ ଦୁଇପାଦ ଆଗକୁ ଯାଇ ପୂର୍ବ ଫର୍ମୁଲାରେ ଚତୁର୍ଥ ଆସନ ହାତେଇବୁ ବୋଲି କହିଛନ୍ତି । ବୁଲେଇ ବଙ୍କେଇ ୨୦୧୯ ଓ ୨୦୨୪ର ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କଥା ମନେ ପକାଇ ଦେଇଛନ୍ତି । ସଂଖ୍ୟା ନଥାଇ ବି ସେତେବେଳେ ଦଳ ରାଜ୍ୟସଭା ସିଟ୍ ହାତେଇଥିଲା ।
ଅଧିକ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନ ନେଇ ବଢ଼ିଲା ତାତି ; ଖୁବ ଶୀଘ୍ର ନବୀନଙ୍କୁ ଭେଟିବେ ଭକ୍ତ
ଫେବ୍ରୁଆରି ଶେଷ ସୁଦ୍ଧା ରାଜ୍ୟସଭା ନିର୍ବାଚନ ବିଗୁଲ୍ ବାଜିବ । ଆଉ ରାଜ୍ୟ ରାଜନୀତିରେ ବେଶ୍ ନିର୍ଣ୍ଣାୟକ ହେବ ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନ ପାଇଁ ନବୀନଙ୍କ କୋର୍ଟକୁ ବଲ୍ ଫିଙ୍ଗିସାରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ନବୀନଙ୍କୁ ଭେଟିବାକୁ ସମୟ ବି ମାଗିଛନ୍ତି । ସେପଟେ ପରୋକ୍ଷରେ ବିଜେପି, ନବୀନଙ୍କ ସମର୍ଥନ କଥା କହୁଛି । ଏସବୁ ଭିତରେ ନବୀନ କରିବେ କ’ଣ ? ଏକଥା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ପୂର୍ବଭଳି ଦିଲ୍ଲୀ ପ୍ରାର୍ଥୀ ଦେବ ଆଉ ନବୀନ ନିଷ୍ପତ୍ତି ନେବେ । ସେପଟେ ବିଜେଡି ବିଧାୟକ କହିଛନ୍ତି, ଚତୁର୍ଥ ଆସନ ପାଇଁ ସିକ୍ରେଟ୍ ପ୍ଲାନ୍ କରୁଛନ୍ତି ନବୀନ । ଚତୁର୍ଥ ଆସନ ଚର୍ଚ୍ଚା ଭିତରେ ବିଜେପି-ବିଜେଡିର ପ୍ରାର୍ଥୀ କିଏ ହେବ ? ତାକୁ ନେଇ ଜୋରଦାର ଚାଲିଛି କସରତ ।
Follow Us