କନକ ବ୍ୟୁରୋ: ଏଥରର ନିର୍ବାଚନରେ ମୈଦାନ ହେଉଛି ପଶ୍ଚିମବଙ୍ଗ, ଆଉ ବିଜୟର ଲକ୍ଷ୍ୟ ୧୪୮ । ହେଲେ ଏ ନିର୍ବାଚନର ବାଜିରେ ବିଜେପି ବାଜିମାରିବ ତ? ଦିଦିଙ୍କ ଗଡ଼ରେ ଉଡ଼ିବ ତ ଗେରୁଆ ବାନା? ଏକଥା ଏଥିପାଇଁ କୁହାଯାଉଛି, କାହିଁକି ନା ଆଗାମୀ କିଛି ମାସ ଭିତରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଏହା ପୂର୍ବରୁ ବିଜେପିର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପିର ସରକାର ଗଠନ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ, ଆଉ ସରକାର ଗଠନ କରିବା ପରେ ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ହଟାଯିବ ।

Advertisment

ଶାହ ନିଜର ବୟାନରେ ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ ବିଜେପିର ଭୋଟ୍ ଯାତ୍ରାକୁ ନେଇ ତଥ୍ୟ ରଖିବା ସହିତ, ତାଙ୍କ ଭବିଷ୍ୟତବାଣୀ କେବଳ ଗୋଟିଏ ହାଓ୍ୱା ନୁହେଁ ବୋଲି ଇସାରା ଦେଇଛନ୍ତି । ସିଧା ସିଧା ଦିଦିଙ୍କୁ ତୀର ମାରିବା ସହିତ ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଜେପିର ସରକାର ଗଠନ ହେବ ବୋଲି କହିଛନ୍ତି ଶାହ ।

ଆହୁରି ଜାଣନ୍ତୁ: ଅନଲାଇନ୍ ଖାଇବା ମଗାଇ ଖାଉଛନ୍ତି କି? ଆପଣଙ୍କ ପାଇଁ ବଡ଼ ଖବର

ନଜର ପକାନ୍ତୁ ପଶ୍ଚିମବଙ୍ଗରେ ବିଜେପିର ଭୋଟ୍ ଯାତ୍ରା ଉପରେ...

  • ୨୦୧୪ ଲୋକସଭା ନିର୍ବାଚନରେ , ୧୭ ପ୍ରତିଶତ ଭୋଟ୍ ଏବଂ ୨ଟି ଆସନ
  • ୨୦୧୬ ବିଧାନସଭା ନିର୍ବାଚନରେ, ୧୦ ପ୍ରତିଶତ ଭୋଟ୍ ଏବଂ ବିଧାନସଭାରେ ୩ଟି ଆସନ
  • ୨୦୧୯ ଲୋକସଭା ନିର୍ବାଚନରେ, ୪୧ ପ୍ରତିଶତ ଭୋଟ୍ ଏବଂ ବିଧାନସଭାରେ ୧୮ଟି ଆସନ
  • ୨୦୨୧ ବିଧାନସଭା ନିର୍ବାଚନରେ, ୩୮ ପ୍ରତିଶତ ଭୋଟ ଏବଂ ବିଧାନସଭାରେ ୭୭ଟି ଆସନ
  • ୨୦୨୪ ଲୋକସଭା ନିର୍ବାଚନରେ ୩୯ ପ୍ରତିଶତ ଭୋଟ ଏବଂ ବିଧାନସଭାରେ ୧୨ଟି ଆସନ 

ଜାଣିରଖିବା ଉଚିତ ଯେ, ପଶ୍ଚିମବଙ୍ଗରେ ଏବେ ୨୯୪ଟି ବିଧାନସଭା ଆସନ ଅଛି। ତେଣୁ ସେଠାରେ କୌଣସି ଦଳ କିମ୍ବା ମେଣ୍ଟକୁ ସରକାର ଗଠନ କରିବାକୁ ହେଲେ ୧୪୮ ବିଧାୟକଙ୍କ ସମର୍ଥନ ରହିବା ଦରକାର । ଗତ ସାଧାରଣ ନିର୍ବାଚନରେ ବିଜେପି ଏଠାରେ ୭୭ଟି ସିଟ୍ ଜିତିଥିଲା । ତେଣୁ ଏଥର ଏହି ସଂଖ୍ୟା ମ୍ୟାଜିକ୍ ନମ୍ବର ପାର୍ କରୁଛି କି ନାହିଁ, ତା ଉପରେ ସମସ୍ତଙ୍କର ନଜର ।

ଏଥର ମମତା ବନାମ ବିଜେପି 

ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ପ୍ରାୟତଃ କଂଗ୍ରେସ ଦଳ ଶୂନରେ ପହଞ୍ଚିସାରିଛି । ଏହାସହ ପଶ୍ଚିମବଙ୍ଗରେ ୩୪ ବର୍ଷ ଧରି ଶାସନ କରିଥିବା କମ୍ୟୁନିଷ୍ଟ ମେଣ୍ଟ  ମଧ୍ୟ ସେଭଳି ପ୍ରଦର୍ଶନ କରିପାରିନି । ଗତ ବିଧାନସଭା ନିର୍ବାଚନରେ ୭୭ ଆସନ ଜିତି ବିଜେପି ସେଠାରେ ମୁଖ୍ୟ ବିରୋଧୀ ଦଳର ସ୍ଥାନ ଗ୍ରହଣ କରିଛି । ତେଣୁ ଏଥର ନିର୍ବାଚନରେ ଦିଦିଙ୍କ ସିଧା ଲଢ଼େଇ ବିଜେପି ସହିତ ହେବ । ସେହିଭଳି ଭାବେ ବିଜେପି ମଧ୍ୟ ଟିଏମସିକୁ ମାତ୍ ଦେଇ ଦିଦିଙ୍କ ଗଡ଼ରେ ବିଜୟର ବାନା ଉଡ଼ାଇବାକୁ ଅଙ୍କ କଷୁଛି ।