ମୋଦିଙ୍କୁ ଧନ୍ୟବାଦ ଦେଲେ ନବୀନ, ରାଜନୀତିର ଗନ୍ଧ ବାରିଲା କଂଗ୍ରେସ : ପିସିସି ସଭାପତି କହିଲେ, ଆଂଚଳିକ ଦଳକୁ ଆଖେଇଛି ବିଜେପି

200

କନକ ବ୍ୟୁରୋ : ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା ଏବଂ ବାତ୍ୟା ପରେ ସହଯୋଗ ନେଇ ମୋଦିଙ୍କୁ ନବୀନଙ୍କ ଧନ୍ୟବାଦ । ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ଧନ୍ୟବାଦର ସଙ୍କେତ । ଆଜି କଂଗ୍ରେସ କହିଛି, ନିର୍ବାଚନ ସରିଗଲା ତେଣୁ ବିଜେଡିର ଆଉ ସମଦୂରତ୍ୱ ରହିବ ନାହିଁ । ପିସିସି ସଭାପତିଙ୍କ ଏଭଳି ମନ୍ତବ୍ୟ ନେଇ ବିଜେପି କହିଛି, ଓଡିଶାରେ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିବ ବିଜେପି, ମେଂଟର ଆବଶ୍ୟକତା ନାହିଁ । ବିଜେଡି କହିଛି, ଓଡିଶା ଯେଉଁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି ତାର ପୁନରୁଦ୍ଧାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଶିକି କାମ କରୁଛନ୍ତି । ଏଥିରେ ରାଜନୀତି ପୁରାଇବା ଅନୁଚିତ ।

ପ୍ରଶଂସାର ପ୍ରତିଉତ୍ତର ଧନ୍ୟବାଦରେ ଆସିବା ସ୍ୱାଭାବିକ । କିନ୍ତୁ ସାଧାରଣ ଜୀବନରେ ଯାହା ସ୍ୱାଭାବିକ ମନେହୁଏ, ତାହା ରାଜନୈତିକ କ୍ଷେତ୍ରରେ ବେଳେବେଳେ ଅସ୍ୱାଭାବିକ୍ ଲାଗେ । ଠିକ୍ ଯେତେବେଳେ ଏହି ପ୍ରଶଂସା ଓ ଧନ୍ୟବାଦ ପରସ୍ପର ପ୍ରତିନ୍ଦ୍ୱନ୍ଦୀଙ୍କ ମୁହଁରୁ ଶୁଣିବାକୁ ମିଳେ । ବାତ୍ୟା ସ୍ଥିତିର ମୁବାବିଲା ନେଇ ମୋଦିଙ୍କ ପ୍ରଶଂସା ଏବଂ ବାତ୍ୟା ପରେ ସହଯୋଗ ନେଇ ନବୀନଙ୍କ ଧନ୍ୟବାଦ ଭିତରେ ସେହି ଅସ୍ୱାଭାବିକତା ଲକ୍ଷ୍ୟ କରିଛି କଂଗ୍ରେସ । ନିର୍ବାଚନ ବେଳେ ପରସ୍ପର ବିରୋଧରେ ବିଷୋଦଗାର କରୁଥିବା ନବୀନ ଏବଂ ମୋଦିଙ୍କ ଏହି ଭାବଗତ ଆଦାନ ପ୍ରଦାନକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ପିସିସି ସଭାପତି ।

ଏପଟେ କିନ୍ତୁ କଂଗ୍ରେସ ଆଣୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବାକୁ ଯାଉଛି ବୋଲି ଦାବି କରିବା ସହ କୌଣସି ଦଳର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ବିଜେଡି କହିଛି- ବାତ୍ୟାର ପୁନରୁଦ୍ଧାର ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରୁଥିବା ବେଳେ ଏଥିରେ ରାଜନୀତି ପୁରାଇବା ଅନୁଚିତ ।

ତେବେ ଏହାକୁ ନେଇ ଏଥିପାଇଁ ବିତର୍କ ହେଉଛି ବା ବିରୋଧୀ କଂଗ୍ରେସ ପ୍ରଶ୍ନ କରୁଛି, କାରଣ ଆଜିର ଦିନରେ ବିଜେପି ଏବଂ ମୋଦିଙ୍କ ପାଇଁ ଏବେ ୨୦୧୪ ଭଳି ସ୍ଥିତି ନାହିଁ । ହୁଏତ, ସଂଖ୍ୟା ନପାଇଲେ, ବିଜେଡି ଭଳି କିଛି ରାଜନୈତିକ ଦଳ ଗୁଡ଼ିକ ଉପରେ ନିର୍ଭରଶୀଳ ହୋଇପାରେ ବିଜେପି । ତେଣୁ ଏବେ ଏହି ପ୍ରଶଂସା ଏବଂ ଧନ୍ୟବାଦକୁ ନେଇ ରାଜନୀତି ସରଗରମ ହୋଇଛି ।