ରୋଚକ ମୋଡ଼ରେ ମହାରାଷ୍ଟ୍ର ମହାନାଟକ : ଏନସିପି ମୁଖ୍ୟ ଶରଦ ପାୱାର କହିଲେ, କଂଗ୍ରେସର ମତକୁ କରାଯାଇଛି ଅପେକ୍ଷା, ସହମତି ଆସିଲେ ସରକାର ଗଠନ ନେଇ ହେବ ନିଷ୍ପତ୍ତି
କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଜାରି ରହିଛି । ମହାରାଷ୍ଟ୍ରରେ କିଏ ଗଢ଼ିବ ତାକୁ ନେଇ ଯେମିତି ଚର୍ଚ୍ଚା ଥମିବାରେ ନାଁ ନେଉନାହିଁ । ମହାରାଷ୍ଟ୍ର ରାଜନୀତିକୁ ନେଇ ଘଟିକେ ଘୋଡ଼ା ଛୁଟୁଛି । ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିପାରେ ଏନସିପି । କାରଣ ଏନସିପିକୁ ୨୪ ଘଂଟାର ମହଲତ ଦେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିଆରୀ । ଆଉ ଏସବୁ ଭିତରେ ଏନପିସି ମୁଖ୍ୟ ଶରଦ ପାୱାର କହିଛନ୍ତି, କଂଗ୍ରେସର ମତକୁ ଅପେକ୍ଷା କରାଯାଇଛି । କଂଗ୍ରେସ ସହମତି ପ୍ରକାଶ କଲେ ସରକାର ଗଠନ ନେଇ ନିଷ୍ପତ୍ତି ନିଆଯିବ । ତେବେ ରାଜ୍ୟପାଳଙ୍କୁ ଦାବି ଜଣାଇବା ପୂର୍ବରୁ ଆଜି ଏନସିପିର ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଦଳୀୟ ରଣନୀତି ସ୍ଥିର ହୋଇପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକିୟାରେ କଂଗ୍ରେସର ଭୂମିକା ନେଇ ମନ୍ଥନ କରିବେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । କଂଗ୍ରେସ, ସରକାରକୁ ବାହାରୁ ସମର୍ଥନ ଦେବା ନା ମେଂଟର ଭାଗିଦାରୀ ହେବ ତାକୁ ନେଇ ମନ୍ଥନ ହେବାର ସଂଭାବନା ରହିଛି । ତେବେ ଦ୍ୱିତୀୟ ବୃହତ ଦଳ ଭାବେ ଉଭା ହୋଇଥିବା ଶିବସେନା ସରକାର ଗଠନ ପାଇଁ ଗତକାଲି ମହଲତ ମାଗିଥିବା ବେଳେ ସମୟ ଦେବାକୁ ମନା କରିଦେଇଥିଲେ ରାଜ୍ୟପାଳ । ଏପଟେ ଏନସିପିକୁ ସରକାର ଗଠନ ନେଇ ୨୪ ଘଂଟିଆ ମହଲତ ଦେଇଛନ୍ତି ରାଜ୍ୟପାଳ ।
ଏହାରି ଭିତରେ କଂଗ୍ରେସ କିମ୍ବା ଏନସିପି କେହି ବି ଔପଚାରିକ ଭାବେ ଶିବସେନାକୁ ସମର୍ଥନ ଘୋଷଣା କରିନଥିବାରୁ ବର୍ତମାନ ମହାରାଷ୍ଟ୍ର ରାଜନୀତିକୁ ନେଇ ଦେଖାଦେଇଛି ଅନେକ ଆଶା ଆଶଙ୍କା । ଏପରିକି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି ।