କିପରି ଥିଲା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ରାଜନୈତିକ କ୍ୟାରିଅର ?

356

ବିଜୟ ମହାପାତ୍ରଙ୍କ ରାଜନୈତିକ କ୍ୟାରିଅର . . .
ବିଜୟ ମହାପାତ୍ର କେନ୍ଦ୍ରାପଡା ପାଟକୁରାରୁ ଲଗାତାର ୪ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ସେ ବିଧାୟକ ହୋଇଥିଲେ । ଏପରିକି ୧୯୯୦ରେ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ । ତାଙ୍କୁ ଜଳସେଚନ, ଶକ୍ତି ଓ ସଂସଦୀୟ ବ୍ୟାପର ମିଳିଥିଲା । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଗଠନ କରାଯାଇଥିଲା ବିଜୁ ଜନତା ଦଳ । ବିଜେଡି ଗଠନର ସଂସ୍ଥାପକ ସଦସ୍ୟ ମଧ୍ୟରେ ବିଜୟ ମହାପାତ୍ର ଅନ୍ୟତମ ଥିଲେ ।

୨୦୦୦ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ହଠାତ୍ ବିଜୟ ମହାପାତ୍ରଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇ ପାଟକୁରାରୁ ଟିକେଟ ମଧ୍ୟ ଦିଆଯାଇନଥିଲା । ଏହା ସେ ସମୟରେ ରାଜନୀତିରେ ସୃଷ୍ଟି କରିଥିଲା ବେଶ ଚର୍ଚ୍ଚା । ୨୦୦୧ ମସିହାରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ଗଠନ କରି ୨୦୦୪ରେ କଂଗ୍ରେସ ସହ ମେଂଟ କରିଥିଲେ ।

ନିର୍ବାଚନରେ ଓଜିପି ୨ଟି ଆସନ ପାଇଥିଲା । ବିଜୟ ମହାପାତ୍ର ଅତି କମ ବ୍ୟବଧାନରେ ହାରିଯାଇଥିଲେ । ତେବେ ପରେ ଓଜିପିର ଏନସିପି ସହ ମିଶ୍ରଣ ହୋଇଥିଲା । ୨୦୦୯ରେ ଏନସିପି ବିଜେଡି ସହ ମେଂଟ କରିବାକୁ ଘୋଷଣା କରିବା ପରେ ଏହାର ବିରୋଧ କରି ବିଜୟ ଦଳ ଛାଡିଥିଲେ ବିଜେପିରେ ସାମିଲ ହୋଇଥିଲେ ବିଜୟ ମହାପାତ୍ର ।

ଦିଲ୍ଲୀପ ରାୟଙ୍କ ରାଜନୈତିକ କ୍ୟାରିଅର . . .
ଦିଲ୍ଲୀପ ପାୟ ୧୯୮୨ ମସିହାରେ ରାଉରକେଲା ପୌର ପରିଷଦର ଅଧ୍ୟକ୍ଷ ଥିଲେ । ୧୯୮୫, ୧୯୯୦ ଓ ୨୦୧୪ରେ ସେ ରାଉରକେଲାରୁ ବିଧାସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଦିଲ୍ଲୀପ ରାୟ ଥିଲେ ଶିଳ୍ପ ମନ୍ତ୍ରୀ । ୧୯୯୬ ଓ ୨୦୦୨ରେ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ଅନେକ ଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ଖାସ ଲୋକଙ୍କ ମଧ୍ୟରେ ଦିଲ୍ଲୀପ ରାୟ ଅନ୍ୟତମ ଥିଲେ । ବିଜୁ ଜନତା ଦଳ ଗଠନରେ ମଧ୍ୟ ଦିଲ୍ଲୀପ ରାୟଙ୍କ ପ୍ରମୁଖ ଭୂମିକା ଥିଲା ।